Latest Odisha News

BREAKING NEWS

ସୁଲଭ ମୂଲ୍ୟରେ ମିଳିବ ଅବଢା; ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ରେଟ୍ ଚାର୍ଟ

ପୁରୀ: ଦୁର୍ମୂଲ୍ୟ ହେବନି ମହାପ୍ରସାଦ । ସୁଲଭ ମୂଲ୍ୟରେ ଆନନ୍ଦବଜାରରେ  ଅବଢା ଖାଇବେ ଭକ୍ତ । ଶ୍ରୀମନ୍ଦିରରେ ଠକେଇର ଶିକାର ହେବନି ଶ୍ରଦ୍ଧାଳୁ । ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦରର ଚାର୍ଟ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଏପରି ଗୁରୁତତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିରରେ ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା କରିବା ତଥା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ କିପରି ସୁନ୍ଦର ଅନୁଭୂତି ନେଇ ଫେରିବେ ସେଥିପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହାବ୍ୟତୀତ ମହାପ୍ରସାଦ ଦର ଆକାଶଛୁଆଁ ହେବାସହ ଭକ୍ତମାନେ ଠକାମୀର ଶିକାର ହେଉଥିବା ନେଇ ଅଭିଯୋଗ ଆସୁଥିଲା । ଏ ସବୁ ସମସ୍ୟାର ସମାଧାନ ପାଇଁ ବୈଠକରେ ସୁଆର, ମହାସୁଆର ନିଯୋଗ ,ପରିଚାଳନା କମିଟି ସଦସ୍ୟ,ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନର ୧୧ ଜଣଙ୍କୁ ନେଇ କୋର୍ କମିଟି ଗଠିତ ହୋଇଛି।

ଆନନ୍ଦ ବଜାରରେ ଅଣସୁଆରଙ୍କୁ ଚିହ୍ନଟ କରି ବାହାର କରିବା,ଭକ୍ତଙ୍କ ପାଇଁ ମହାପ୍ରସାଦର ରେଟ୍ ଚାର୍ଟ ଲଗାଇବା ,ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବା ,ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ କରିବା , ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା , ଜରି କାଢି ଶେଡର ବ୍ୟବସ୍ଥା କରିବା, ଉତ୍ତର ଦ୍ଵାରରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କୁ ଶୁଖିଲା ଓ ମହାପ୍ରସାଦ ଯୋଗାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବୀ କରିଥିଲା ସୁଆର ମହାସୁଆର ନିଯୋଗ।

ସମସ୍ତ ଦାବିକୁ ପ୍ରଶାସନ ଗ୍ରହଣ କରିବା ସହ ଗଠିତ ହୋଇଥିବା କୋର୍ କମିଟି ଆସନ୍ତା ୭ ଦିନ ଭିତରେ ରିପୋର୍ଟ ଦେବ। ସେହି ଆଧାରରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯାଇପାରିବ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ କହିଛନ୍ତି। ବିଶେଷ କରି ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ କଟକଣାକୁ ଗୁରୁତ୍ଵ ଦିଆଯାଇଛି।

 

Leave A Reply

Your email address will not be published.