Latest Odisha News

BREAKING NEWS

‘ମହାରାଷ୍ଟ୍ର ରାଜନୀତି’, ସ୍ୱାର୍ଥ ପାଇଁ ମିଶିଗଲେ, ଏବେ ପଦ ପାଇଁ ବାଡାବାଡି!

ଭୁବନେଶ୍ୱର: ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ରାଜନୀତି ସରଗରମ ହେଉଛି। ଗୋଟିଏ ପଟେ ସିନ୍ଦେ ବିଜେପି ଅଜିତ ସରକାର ନିଜର ମନ୍ତ୍ରୀମଣ୍ଡଳକୁ ଚୂଡାନ୍ତ ରୂପ ଦେଇପାରୁ ନାହାଁନ୍ତି।

ଏପରିକି ବିଭାଗ ବଣ୍ଟନକୁ ନେଇ ମଧ୍ୟ ଅଙ୍କ ଛିଡୁ ନାହିଁ। ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ପ୍ରସଙ୍ଗ ନେଇ ଅଜିତ ପାୱାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ମଧ୍ୟ ଏ ଯାଏ ଅଙ୍କ ଛିଡି ପାରୁ ନାହିଁ । ଅଜିତଙ୍କୁ ଅର୍ଥ ବିଭାଗ ମିଳିବା ନେଇ ପ୍ରତିଶ୍ରୁତି ମିଳିଥିବେ କୁହାଯାଉଛି । କିନ୍ତୁ ଏ ଯାଏ ବିଭାଗ ବଣ୍ଟନ ହୋଇପାରୁନି ।

ସେପଟେ ଏହାକୁ ନେଇ ସିନ୍ଦେ ଗୋଷ୍ଠୀ ନେତାଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବଢି ବଢି ଚାଲିଛି। ଠିକ ଏଭଳି ସ୍ଥିତିରେ ଏମଭିଏ ମେଣ୍ଟରେ ବିରୋଧୀ ଦଳ ନେତା କିଏ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଆସନ୍ତା ସୋମବାର ଠାରୁ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏସବୁ ପ୍ରକ୍ରିୟା ଉଭୟ ମେଣ୍ଟ ସାରିବାକୁ ଚାହୁଁଛନ୍ତି। ସେପଟେ ଏବେ ଉଭୟ ସରକାରୀ ପକ୍ଷ ଓ ବିରୋଧୀ ପକ୍ଷର ସମିକରଣ ମଧ୍ୟ ବଦଳିଛି।

ସିନ୍ଦେ ବିଜେପି ସରକାର ଗଠନ ହେବା ପରେ ଏନସିପିର ଅଜିତ ପାୱାର ବିରୋଧୀ ଦଳ ନେତା ହୋଇଥିଲେ। କିନ୍ତୁ ସେ ନିଜ ସମର୍ଥକ ବିଧାୟକ ମାନଙ୍କ ସହ ସରକାରରେ ମିଶି ଉପମୁଖ୍ୟମନ୍ତ୍ରୀ ହେବା ପରେ ଶରଦ ପାୱାର ଗୋଷ୍ଠୀ ନେତା ଜିତେନ୍ଦ୍ର ଆହ୍ୱାଡ଼ଙ୍କୁ ବିରୋଧୀ ଦଳ ନେତା ପଦରେ ବସାଇଥିଲା।

କିନ୍ତୁ ବର୍ତ୍ତମାନ ପରିବର୍ତ୍ତିତ ସ୍ଥିତିରେ ବିରୋଧୀ ପକ୍ଷରେ ଥିବା ଦଳଗୁଡିକ ମଧ୍ୟରୁ କଂଗ୍ରେସ ସହ ସବୁଠୁ ଅଧିକ ବିଧାୟକ ରହିଛନ୍ତି। କଂଗ୍ରେସର ୪୫ ବିଧାୟକ ଥିବାବେଳେ ଉଦ୍ଧବ ଗୋଷ୍ଠୀର ୧୬ ଜଣ ବିଧାୟକ ଓ ଶରଦ ପାୱାର ଗୋଷ୍ଠୀର ପ୍ରାୟ ୧୨ ଜଣ ବିଧାୟକ ରହିଛନ୍ତି।

ତେଣୁ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ବିଧାୟକ ହିଁ ବିରୋଧୀ ଦଳ ନେତା ପଦରେ ବସିବେ। ଏ ନେଇ ଏମଭିଏ ମେଣ୍ଟର ତିନି ଦଳ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି। ଏପରିକି ବିରୋଧୀ ପକ୍ଷରେ ସମାଜବାଦୀ ପାର୍ଟିର ଦୁଇ ଜଣ ବିଧାୟକ ଥିବାବେଳେ ସିପିଆଇଏମ ଓ ଅନ୍ୟ କିଛି ଦଳର ବିଧାୟକ ମାନେ ରହିଛନ୍ତି।

ସେପଟେ ଏ ସବୁକୁ ନେଇ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। ସେପଟେ ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଏବେ ବି ବାଚସ୍ପତିଙ୍କ ପାଖରେ ରହିଛି। ଯେଉଁଥିରେ ବିଳମ୍ବକୁ ନେଇ ଉଦ୍ଧବ ଗୋଷ୍ଠୀ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେପଟେ ବାଚସ୍ପତି ଶିବସେନାର ଉଭୟ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ବିଧାୟକଙ୍କୁ ନୋଟିସ ମଧ୍ୟ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ବିଧାନସଭା ଅଧିବେଶନକୁ ଆଉ ମାତ୍ର ଚାରିଦିନ ବାକି ଥିବାରୁ ଉଭୟ ସରକାରୀ ଓ ବିରୋଧୀ ପକ୍ଷଙ୍କ ଆଭମୁଖ୍ୟ ସହ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି।

 

Leave A Reply

Your email address will not be published.