ନୂଆଦିଲ୍ଲୀ: ହାତ ମିଳାଇବେ କି ରାଜ ଠାକରେ ଓ ଉଦ୍ଧବ ଠାକରେ ? ଗତ କିଛି ଦିନ ହେଲା ମହାରାଷ୍ଟ୍ର ରାଜନୀତିର ଦୁଇ ସଂପର୍କୀୟ ଭାଇ ଏକାଠି ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଉଭୟ ପକ୍ଷ ପରିବାର ପୁନର୍ମିଳନ ନେଇ ସଂକେତ ବି ଦେଇଥିଲେ । ଆଗକୁ ହେବାକୁ ଥିବା ମହାରାଷ୍ଟ୍ର ମ୍ୟୁନିସିପାଲିଟି ନିର୍ବାଚନରେ ରାଜନୀତି ନୂଆ ସମୀକରଣ ସୃଷ୍ଟି ହେବାକୁ ନେଇ କୁହାଯାଉଥିଲା । ତେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଏଣ୍ଟ୍ରି ପରେ ଏବେ ବଡ଼ ଟୁଇଷ୍ଟ ଆସିଛି। ଏହାପରେ ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସମ୍ଭାବନାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।
ନିରାଶ କରିଥିଲା ବିଧାନସଭା ଫଳାଫଳ
୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅସ୍ତିତ୍ବର ଲଢେଇ ଲଢିଥିଲେ ଅନେକ ଦଳ । ଏହାପୂର୍ବରୁ ଲୋକସଭା ନିର୍ବାଚନ ଦେବେନ୍ଦ୍ର ଫଡନାବିସ ଓ ଏକନାଥ ସିନ୍ଦେଙ୍କ ଚିନ୍ତା ବଢାଇଥିଲା ତ ମହାବିକାଶ ଅଘାଡିର ଉତ୍ସାହ ବଢାଇଥିଲା । ତେବେ ବିଧାନସଭା ଫଳାଫଳ ଠାକରେ ଭାଇଙ୍କୁ ନିରାଶ କରିଥିଲା । ବିରୋଧୀ ଗଠବନ୍ଧନରେ ସବୁଠୁ ଅଧିକ ସିଟ୍ ଜିତିବା ଉଦ୍ଧବଙ୍କୁ ଅଳ୍ପ ଆଶ୍ବସ୍ତି ଦେଇଥିଲା । ତେବେ ରାଜ ଠାକରେଙ୍କୁ ଲାଗିଥିଲା ଝଟକା । ତାଙ୍କ ପୁଅ ଅମିତ ଠାକରେ ନିର୍ବାଚନ ହାରି ଯାଇଥିଲେ । ୨୦୧୯ରେ ମହାରାଷ୍ଟ୍ର ନବନିର୍ମାଣ ସେନା ପାଖରେ ଜଣେ ବିଧାୟକ ଥିବା ବେଳେ ୨୪ରେ ଖାତା ଖୋଲି ପାରିନଥିଲା ଦଳ । ବିଧାନସଭା ନିର୍ବାଚନରେ ଦୁଇ ଭାଇ ପରସ୍ପରକୁ ଟାର୍ଗେଟ୍ କରିଥିଲେ । ଅମିତ ଠାକରେଙ୍କ ବିରୋଧରେ ପ୍ରାର୍ଥୀ ଦେଇଥିଲେ ଉଦ୍ଧବ ତ ତାଙ୍କ ଅସୁସ୍ଥତାକୁ ନେଇ ପରିହାସ କରିଥିଲେ ରାଜ ।
ରାଜ୍ ଓ ଉଦ୍ଧବ ଏକାଠି ଆସିବା ସଂକେତ
ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଗତବର୍ଷ ଡିସେମ୍ବରରେ ଏକ ବିବାହ କାର୍ଯ୍ୟକ୍ରମକୁ ଉଭୟ ରାଜ ଓ ଉଦ୍ଧବ ଯାଇଥିଲେ । ସେଠାରେ ରାଜ ଠାକରେ ଉଦ୍ଧବଙ୍କ ପତ୍ନୀ ରଶ୍ମି ଠାକରେଙ୍କ ସହ କଥା ହୋଇଥିଲେ । ଏହାପରେ ମହେଶ ମଞ୍ଜରେକରଙ୍କ ପଡକାଷ୍ଟରେ ରାଜ ଠାକରେଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ଉଦ୍ଧବଙ୍କ ସହ ସେ ହାତ ମିଳାଇବେ କି ପ୍ରଶ୍ନର ଉତ୍ତରରେ, ସେମାନଙ୍କ ବିବାଦ, ଝଗଡ଼ା ଓ ପ୍ରସଙ୍ଗ ଛୋଟ, ମହାରାଷ୍ଟ୍ର ତାଠାରୁ ବହୁତ ବଡ ବୋଲି ରାଜ ଠାକରେ କହିଥିଲେ । ଏହାପରେ ଶିବସେନାର ମୁଖପାତ୍ର ସାମନାରେ ଉଦ୍ଧବଙ୍କ ପ୍ରତିକ୍ରିୟା ଆସିଥିଲା । ଏହାପରେ ଉଭୟ ଏକାଠି ଆସିପାରନ୍ତି ନେଇ ଜୋରଦାର ଚର୍ଚ୍ଚା ହେଲା ।
ଖେଳ ବିଗାଡିଲେ ଫଡନାବିସ !
କିଛି ଦିନ ପୂର୍ବରୁ ଉଦ୍ଧବ ଓ ରାଜଙ୍କ ବିବାଦ ସେମାନଙ୍କ ବ୍ୟକ୍ତିଗତ ମାମଲା ବୋଲି କହିଥିଲେ ଦେବେନ୍ଦ୍ର ଫଡନାବିସ । ତେବେ ପରେ ତାଙ୍କ ଏଣ୍ଟ୍ରି ଦୁଇ ଭାଇଙ୍କ ପୁନର୍ମିଳନ ସମ୍ଭାବନାରେ ବ୍ରେକ୍ ଲଗାଇଥିବା କୁହାଯାଉଛି । ମୁମ୍ବାଇର ଏକ ହୋଟେଲରେ ୧୨ତାରିଖ ଦିନ ରାଜ ଠାକରେଙ୍କୁ ଭେଟିଛନ୍ତି ଫଡନାବିସ । ଘଣ୍ଟାଏରୁ ଅଧିକ ସମୟ ଧରି ଉଭୟ ନେତା ଆଲୋଚନା କରିଥିଲେ । ଏପରିକି ଏହି ସାକ୍ଷାତକାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ କାର୍ଯ୍ୟକ୍ରମ ସିଡ୍ୟୁଲରେ ସାମିଲ ନଥିଲା । ତେବେ ବୈଠକ ପରେ ଉଦ୍ଧବ ଓ ରାଜ ଏକାଠି ଆସିବା ସମ୍ଭାବନା କମ୍ ରହିଥିବା କୁହାଯାଉଛି ।
ଆଗକୁ ହେବାକୁ ଥିବା ବିଏମସି ନିର୍ବାଚନରେ ବିଜେପି ସପକ୍ଷରେ ଜନମତ ଯାଇପାରେ ବୋଲି ଭୋଟ୍ ଭାଇବସ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି । ତେବେ ଉଦ୍ଧବ ଠାକରେ ଓ ରାଜ୍ ଠାକରେ ଏକାଠି ହେଲେ ମରାଠୀ ଭୋଟବ୍ୟାଙ୍କ ଏକପାଖିଆ ହେବା ସହ ଏଥିରୁ କ୍ଷତି ସହିପାରେ ବିଜେପି । ତେଣୁ ଦେବେନ୍ଦ୍ର ଫଡନାବିସ ରାଜ ଠାକରେଙ୍କୁ ଭେଟିବା ନେଇ ଚର୍ଚ୍ଚା ହେଉଛି । ପ୍ରଶ୍ନ ଉଠୁଛି, ଉଦ୍ଧବଙ୍କ ପ୍ରଭାବ କମାଇବାକୁ ରାଜ ଠାକରେଙ୍କୁ କୌଣସି ଅଫର ଦେଇଛି କି ବିଜେପି? ରାଜ ଠାକରେଙ୍କ ଏମଏନଏସ ୨୦୨୪ ଲୋକସଭା ନିର୍ବାଚନ ନଲଢି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଥିଲା । ତେବେ ବିଧାନସଭା ନିର୍ବାଚନରେ ମହାୟୁତିର ଅଂଶ ନଥିଲା ଦଳ । ଏକାକୀ ଲଢି ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଏମଏନଏସ । ପୁଣି ବିଜେପିକୁ ବିଏମସି ନିର୍ବାଚନରେ ରାଜ ଠାକରେ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Comments are closed.