Latest Odisha News

BREAKING NEWS

ବାଚସ୍ପତି ନିର୍ବାଚନ: ସଣ୍ଡେରେ ସିନ୍ଦେ ଦେଖାଇବେ ଦମ୍?

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କେବଳ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଗଲେ କିମ୍ବା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ହୋଇଗଲେ ମହାରାଷ୍ଟ୍ର ରାଜନୀତିର ମହାନାଟକ ଶେଷ ହୋଇନି । ବରଂ ଆଜି ସଣ୍ଡେରେ (ରବିବାର) ସିନ୍ଦେ ନିଜ ନେତୃତ୍ୱ ଦେଖାଇବାର ସମୟ ରହିଛି । ପରେ ସୋମବାର ସିନ୍ଦେଙ୍କ ନେତୃତ୍ୱାଧୀନ ବିଧାୟକ ଏବଂ ବିଜେପି ବିଧାନସଭାରେ ଆସ୍ଥା ଭୋଟର ସାମ୍ନା କରିବେ । ଏଥିପାଇଁ ଆଜିଠୁ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପଟେ ଗୋଆରୁ ବିଦ୍ରୋହୀ ବିଧାୟକଙ୍କୁ ଧରି ମୁମ୍ବାଇ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ସମର୍ଥକ ବିଧାୟକ।

ଶିବସେନାର ସମସ୍ତ ବିଦ୍ରୋହୀ ବିଧାୟକ ମୁମ୍ବାଇର ତାଜ୍ ହୋଟେଲରେ ରହିଛନ୍ତି। ଏହା ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ହୋଟେଲରେ ପହଞ୍ଚିଥିଲେ। ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ମଧ୍ୟ ବିଦ୍ରୋହୀ ବିଧାୟକଙ୍କୁ ଭେଟିଛନ୍ତି। ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି।

ରବିବାରଠୁ ଦୁଇ ଦିନିଆ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଯଦିଓ ବିଜେପି ବିଧାୟକ ରାହୁଲ ନାର୍ଭେକର ବାଚସ୍ପତି ହେବେ ବୋଲି କୁହାଯାଉଛି, କିନ୍ତୁ ଶନିବାର ସନ୍ଧ୍ୟାରେ ଶିବସେନା ପକ୍ଷରୁ ଜାରି କରାଯାଇଥିବା ହ୍ୱିପ୍ ନୂଆ ଘଟଣାକ୍ରମକୁ ଆମନ୍ତ୍ରଣ କରିଛି।  ଶିବସେନା ତାର ସମସ୍ତ ବିଧାୟକଙ୍କୁ ବାଚସ୍ପତି ପଦ ପାଇଁ ଏମଭିଏ ପ୍ରାର୍ଥୀ ରାଜନ ସାଲଭିଙ୍କୁ ଭୋଟ ଦେବାକୁ କହିଛି। ଯାହାକି ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଚି ହୋଇଛି ।

ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ସିନ୍ଦେ ଓ ତାଙ୍କ ବିଦ୍ରୋହୀ ବିଧାୟକ ଗୋଷ୍ଠୀଙ୍କ ଅଗ୍ନିପରୀକ୍ଷା ହେବ। ତାଙ୍କୁ ଆଉ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ଆସନ୍ତା ଅଢ଼େଇ ବର୍ଷ ପାଇଁ ସିନ୍ଦେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ତେବେ ସିନ୍ଦେ ଓ ତାଙ୍କ ସାଥୀ ବିଧାୟକମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଶିବସେନା ମଧ୍ୟ ଆଜିଠାରୁ ଆରମ୍ଭ ହେଉଥିବା ଘଟଣାକ୍ରମ ଉପରେ ନଜର ରଖିଛି। ଶନିବାର ସନ୍ଧ୍ୟାରେ ଶିବସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶିବସେନା ଏଯାଏଁ ପରାଜୟ ସ୍ୱୀକାର କରିନାହିଁ ବୋଲି ସ୍ପଷ୍ଟ କରିଛି।

ଶିବସେନା ଏବେ ବି ଉଦ୍ଧବ ଠାକରେଙ୍କର। ଏଥିରେ କୌଣସି ସନ୍ଦେହ ନାହିଁ। ଶିବସେନାର ସଚେତକ ସୁନୀଲ ପ୍ରଭୁ ଏହା କହିଛନ୍ତି। ହ୍ୱିପ୍ରହରରେ ସେ ସମସ୍ତ ଶିବସେନା ବିଧାୟକଙ୍କୁ ଆଜି ଗୃହରେ ଉପସ୍ଥିତ ରହି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ସେନା ପ୍ରାର୍ଥୀ ରାଜନ ସାଲଭିଙ୍କ ସପକ୍ଷରେ ଭୋଟ୍ ଦେବାକୁ କହିଛନ୍ତି।

ବିଦ୍ରୋହୀ ଶିବସେନା ବିଧାୟକଙ୍କ ପାଇଁ ବଡ଼ ପରୀକ୍ଷା ହେଉଛି, ସେମାନେ ପୁଣି ଥରେ ଶିବସେନାର ସଚେତକ ମୁଖ୍ୟଙ୍କ ନିର୍ଦ୍ଦେଶକୁ ମାନିବାକୁ ମନା କରିବେ କି ନାହିଁ, ଆଉ ଯଦି ହଁ ତେବେ ଶିବସେନାର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ବିଦ୍ରୋହୀ ବିଧାୟକମାନେ ପୂର୍ବରୁ କହିସାରିଛନ୍ତି ଯେ ଶିବସେନାରେ ସେମାନଙ୍କର ସଂଖ୍ୟାଗରିଷ୍ଠତା ରହିଛି, ତେଣୁ ଉଦ୍ଧବ ଠାକରେ ଯେଉଁ ହ୍ୱିପ୍ ଜାରି କରିଛନ୍ତି ସେଥିରେ ସେମାନଙ୍କର କୌଣସି ଯୁକ୍ତି ନାହିଁ।

Leave A Reply

Your email address will not be published.