Latest Odisha News

BREAKING NEWS

ମହାଶିବରାତ୍ରୀ: ସୁବାସିତ ଫୁଲ, ରଙ୍ଗୀନ ଆଲୋକମାଳାରେ ଝଟକୁଛି ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ମହାଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶିବରାତ୍ରୀ ଉତ୍ସବ ଲାଗି ୨୦ ପ୍ରକାର ସୁବାସିତ ଫୁଲରେ ସଜ୍ଜିତ ହୋଇଛି ମନ୍ଦିର । ପ୍ରାୟ ୧୫ ଲକ୍ଷ ଟଙ୍କାର ସୁବାସିତ ଫୁଲରେ ସଜା ହୋଇଛି ମନ୍ଦିର, ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଫୁଲସଜ୍ଜାରେ ମନ୍ଦିରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଛି ।

ରାଜଧାନୀସ୍ଥିତ ଏହି ୧୧ଶ ଶତାବ୍ଦୀର ପୁରାତନ ମନ୍ଦିରର ଏହି ଫୁଲସଜ୍ଜା କରିବା ଲାଗି ପ୍ରାୟ ୧୪୦ ଜଣ କାରିଗର ଶ୍ରମ ସ୍ୱୀକାର କରିଛନ୍ତି । ଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ଗେଣ୍ଡୁ, ଅର୍କିଡ୍ ସମେତ ୨୦ ପ୍ରକାରର ଫୁଲରେ ସଜା ହୋଇଛି ମନ୍ଦିର ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ଫୁଲସଜ୍ଜା ଏହା ପ୍ରଥମ ନୁହେଁ, ବରଂ ବିଭିନ୍ନ ଉତ୍ସବ ଓ ବିଶେଷ ପର୍ବପର୍ବାଣୀ ସମୟରେ ପୂର୍ବରୁ ମଧ୍ୟ ସଜା ହୋଇଛି । “ଗତ ୪ ବର୍ଷଧରି ଆମେ ମନ୍ଦିରର ଏହି ସାଜସଜ୍ଜା କରିଆସୁଛୁ,” ଏହା କହିଛନ୍ତି ନିୟୋଜିତ ହୋଇଥିବା ଜଣେ ସୁପରଭାଇଜର୍ ।

ସେ ଆହୁରି ମଧ୍ୟ ସୂଚନାଦେଇ କହିଛନ୍ତି ଯେ, କେବଳ ମନ୍ଦିରର ଭୋଗମଣ୍ଡପ ନୁହେଁ ବରଂ ମନ୍ଦିର ପରସରରେ ଥିବା ଅନେକ ଛୋଟବଡ଼ ମନ୍ଦିର ଗୁଡ଼ିକ ମଧ୍ୟ ସଜ୍ଜିତ ହୋଇଛି ।

ଏହି ସାଜସଜ୍ଜା କାର୍ଯ୍ୟ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି ।

ଅତିରିିକ୍ତ ପୋଲିସ କମିଶନର ଅନୁପ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଜାଗରରେ ଏହି ମନ୍ଦିର ଚାରିପାଖରେ ହୋଇଥିବା ସୌନ୍ଦର୍ଯ୍ୟକରଣ ଦେଖିବାକୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଆସିବେ । ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ର ଯୋଜନା ଅନ୍ତର୍ଗତ ଏହି ସୌନ୍ଦର୍ଯ୍ୟକରଣ ଅନେକ ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି ।

ଶିବରାତ୍ରୀ ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ୩୦ ପ୍ଲାଟୁନ୍ ପୋଲିସ କର୍ମୀଙ୍କ ସହିତ ୧୦୦ ଜଣ ପୋଲିସ ଅଧିକାରୀ ମୂତୟନ ହୋଇଛନ୍ତି, ଏହା କହିଛନ୍ତି ଶ୍ରୀ ସାହୁ ।

ଚଳିତ ବର୍ଷ ମନ୍ଦିରରେ ମହାଦୀପ ଶୁକ୍ରବାର ରାତି ୧୦ଟାରେ ଉଠିବ ।

Leave A Reply

Your email address will not be published.