ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ସରକାରୀ ଓ କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଏବଂ ତୃଣମୂଳ ସ୍ତରରେ ଏହାର ବାସ୍ତବ ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ତଦାରଖ କରିବା ନିମନ୍ତେ ୩୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ସଚିବମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୧, ୨୦୨୬ ତାରିଖରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏକ ବିଧିବଦ୍ଧ ଚିଠି ଜାରି କରିଛନ୍ତି । ସମସ୍ତ ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ନିଜକୁ ଆବଣ୍ଟିତ ହୋଇଥିବା ଜିଲ୍ଲାଗୁଡ଼ିକୁ ଗସ୍ତ କରିବା ପାଇଁ ଏହି ଚିଠିରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଅଧିକାରୀ ନିଜ ଦାୟିତ୍ୱରେ ଥିବା ଜିଲ୍ଲାରେ ଅତିକମରେ ୨ରୁ ୩ ଦିନିଆ ଗସ୍ତ କରିବା ସହ ଗୋଟିଏ ରାତି ଜିଲ୍ଲା କିମ୍ବା ଉପଖଣ୍ଡ ମୁଖ୍ୟାଳୟରେ ରହିବା ବାଧ୍ୟତାମୂଳକ କରାଯାଇଛି ।
ଗସ୍ତ ସମୟରେ ଅଧିକାରୀମାନେ ସ୍ୱାସ୍ଥ୍ୟସେବା ଉପରେ ବିଶେଷ ଗୁରୁତ୍ୱ ଦେବେ। ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବେ । ସେଠାରେ ସେମାନେ ସିଧାସଳଖ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ରୋଗୀସେବା, ମାନବ ସମ୍ବଳ, ଔଷଧର ଉପଲବ୍ଧତା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ଏହାବ୍ୟତୀତ ଗାଁ ଗହଳିର ବାସ୍ତବ ଚିତ୍ର ଜାଣିବା ପାଇଁ ବରିଷ୍ଠ ଅଧିକାରୀମାନେ ଅପହଞ୍ଚ ତଥା ଦୁର୍ଗମ ଆଦିବାସୀ ଅଞ୍ଚଳଗୁଡ଼ିକୁ ଅଚାନକ ଗସ୍ତ କରିବେ। ଆବଶ୍ୟକ ପଡ଼ିଲେ ସେମାନେ ପାଦରେ ଚାଲି ଚାଲି ଯାଇ ପିଭିଟିଜି ଯୋଜନାର ସମୀକ୍ଷା କରିବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି । ସେହିପରି ଅତିକମରେ ଗୋଟିଏ ଗ୍ରାମପଞ୍ଚାୟତକୁ ଯାଇ ସେଠାରେ ଉନ୍ନୟନମୂଳକ କାର୍ଯ୍ୟ ଏବଂ ମୌଳିକ ସୁବିଧାର ସମୀକ୍ଷା କରିବାକୁ କୁହାଯାଇଛି । ଏହାସହ ଗ୍ରାମାଞ୍ଚଳରେ ଚାଲିଥିବା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଘରୋଇ ଟ୍ୟାପ୍ କନେକ୍ସନ୍ କାର୍ଯ୍ୟର ଅଗ୍ରଗତି ତଦାରଖ କରି ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବେ।

