ସମାଜସେବୀ ମାଳତୀ ଚୌଧୁରୀ

ମାଳତୀ ଚୌଧୁରୀ

(୧୯୦୪-୧୯୯୮)
କ୍ଷେତ୍ର: ସମାଜସେବା

ଜଣେ ଗାନ୍ଧିବାଦୀ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ମାଳତୀ ଚୌଧୁରୀ ଏକ ସୁପରିଚିତ ନାମ । ୧୯୦୪ରେ ବାରିଷ୍ଟର କୁମୁଦନାଥ ସେନ୍‍ଙ୍କ ଔରସରୁ ତାଙ୍କର ଜନ୍ମ । ସେ ଥିଲେ ଢାକାର ମୂଳ ବାସିନ୍ଦା ।

୧୬ ବର୍ଷ ବୟସରେ ରବୀନ୍ଦ୍ରନାଥଙ୍କ ପ୍ରତିଷ୍ଠିତ ବିଶ୍ୱଭାରତୀରେ ଯୋଗଦେବା ପରେ ମାଳତୀଙ୍କ ଜୀବନଶୈଳୀ ବଦଳି ଯାଇଥିଲା । ସେ ସମୟରେ ଶାନ୍ତିନିକେତନ ଥିଲା ଏକ ଛୋଟିଆ ଅଥଚ ସୁନ୍ଦର ଜାଗା । ସମବୟସ୍କା ଆଉ ୯ ଜଣ ଝିଅ ସେଠାରେ ରହୁଥିଲେ । ସେମାନଙ୍କ ସହ ଖୋଲା ଆକାଶ ତଳେ ବସି ପାଠପଢ଼ା, ସିଲେଇ, ହସ୍ତଶିଳ୍ପ, ନାଚ, ଗୀତ, ଚିତ୍ର ଆଦି କରିବା ଭିତରେ ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ଆଦର୍ଶର ଗଭୀର ପ୍ରଭାବ ପଡ଼ିଥିଲା ତାଙ୍କ ଉପରେ ଏବଂ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ଆଗଭର ହୋଇଥିଲେ ।

ସେହି ସମୟରେ ଓଡ଼ିଆ ଯୁବକ ନବକୃଷ୍ଣ ଚୌଧୁରୀ ଗାନ୍ଧିଜୀଙ୍କ ସାବରମତି ଆଶ୍ରମରୁ ଫେରି ଶାନ୍ତିନିକେତନରେ ଶିକ୍ଷାଗ୍ରହଣ ପାଇଁ ପହଞ୍ଚିଲେ । ମାଳତୀ ସେନ୍‍ ଯୁବକ ନବକୃଷ୍ଣଙ୍କ ପ୍ରତିଭାରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ କଲେ ଓ ୧୯୨୭ରେ ଦୁହେଁ ଶାନ୍ତିନିକେତନ ଛାଡ଼ି ଓଡ଼ିଶା ଆସିଲେ । ବିବାହ ପରେ ମାଳତୀଙ୍କ କର୍ମଭୂମି ପାଲଟିଗଲା ଓଡ଼ିଶା । ଜଗତସିଂହପୁର ଜିଲ୍ଲାର ଗୋଟେ ଛୋଟିଆ ଗାଁରେ ସ୍ୱାମୀ ନବକୃଷ୍ଣଙ୍କ ଆଖୁଚାଷ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କଲେ, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଚାଷ ବାହାନାରେ ଲୋକମାନଙ୍କ ସହ ମିଶିବା । କ୍ରମେ ଲୋକମାନଙ୍କର ନିକଟବର୍ତ୍ତୀ ହୋଇ ଦୁହେଁ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ହାତକୁ ନେଲେ ।

ସେ ସମୟରେ ଲବଣ ସତ୍ୟାଗ୍ରହ ଆରମ୍ଭ ହେଲା ଏବଂ ଦୁହେଁ ସେଥିରେ ଅବିଳମ୍ବେ ମିଶିଗଲେ । ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଯୋଗଦେବା ପରେ ସେ ଏକାଧିକ ବାର ସରଳା ଦେବୀ, ରମା ଦେବୀଙ୍କ ସହ ବନ୍ଦୀ ହୋଇଥିଲେ । କାରାକାର ଭିତରେ ବନ୍ଦୀମାନଙ୍କୁ ଆଦର୍ଶ ଓ ଦେଶପ୍ରେମ ଶିକ୍ଷାଦେବାକୁ ଭୁଲୁନଥିଲେ । ଅନୁଗୁଳଠାରେ ସେ ବାଜିରାଉତ ଛାତ୍ରାବାସ ପ୍ରତିଷ୍ଠା କରିଥିଲେ, ଯେଉଁଠାରେ ପ୍ରଜାମଣ୍ଡଳ ଆନେ୍ଦାଳନର ଅଂଶଗ୍ରହଣକାରୀଙ୍କୁ ପ୍ରସ୍ତୁତ କରାଯାଉଥିଲା ଓ ଯାହା ପରବର୍ତ୍ତୀ ସମୟରେ ଏକ ଜାତୀୟ ଅନୁଷ୍ଠାନରେ ପରିଣତ ହୋଇଥିଲା । ଅନୁଗୁଳରେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରି ସେ ପ୍ରୌଢ଼ଶିକ୍ଷା ଓ ଅନ୍ୟାନ୍ୟ ଜନହିତକର କାର୍ଯ୍ୟ ହାତକୁ ନେଇଥିଲେ ।

ସେ ମଧ୍ୟ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିବା ମାଳତୀ ଚୌଧୁରୀ ୧୫ ମାର୍ଚ୍ଚ ୧୯୯୮ରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

ଆଲେଖ୍ୟ © ସରୋଜ ବଳ