Latest Odisha News

BREAKING NEWS

ଖଡଗେ କହିଲେ-ମୋଦି ବିଷଧର ସାପ; ବିଜେପି କହିଲା ’ ଏ ବିଷ କଂଗ୍ରେସ ବୁଣିଛି’

ନୂଆଦିଲ୍ଲୀ: ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ କୋର୍ଟ ମାମଲାରେ ଫସିଛନ୍ତି ରାହୁଲ ଗାନ୍ଧି । ସେ ମାମଲା ଏଯାଏ ତୁଟିନି ।  ଏବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପୁଣି ମୋଦିଙ୍କ ବିରୋଧରେ ଦେଇଛନ୍ତି ବିବାଦୀୟ ବୟାନ  । ଖଡଗେ ମୋଦିଙ୍କୁ କହିଛନ୍ତି ବିଷଧର ସାପ ।  ଏହାକୁ ନେଇ ତାତିଛି ବିଜେପି । ଏହି ବୟାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ  ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରବେଳେ ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ପିଏମ ମୋଦିଙ୍କ ବିରୋଧରେ  ଦେଇଛନ୍ତି ବିବାଦୀୟ ବୟାନ । ଖଡଗେ କହିଛନ୍ତି, ମୋଦି ବିଷଧର ସାପ ସଦୃଶ । ଆପଣ ତାଙ୍କୁ ବିଷ ବୋଲି ମାନନ୍ତୁ ବା ମାନନ୍ତୁ । କିନ୍ତୁ ଚାଖିଲେ ମରିଯିବେ । ଆପଣ ଭାବୁଥିବେ ସତରେ କ’ଣ ସେ ବିଷଧର ? ମୋଦି ଜଣେ ଭଲ ମଣିଷ । ସେ ଯାହା ଦେଇଛନ୍ତି, ତାହାକୁ ଆମେ ଦେଖିବୁ । ଆପଣ ଯେମିତି ଏହାକୁ ଚାଟିବେ, ସବୁଦିନ ପାଇଁ ଶୋଇଯିବେ ।’ ଖଡଗେ ତାଙ୍କ ଅଭିଭାଷଣରେ ବିଜେପିର କଡା ସମାଲୋଚନା କରିଛନ୍ତି ।

ଅବଶ୍ୟ ଏହି ବୟାନକୁ ନେଇ ବିବାଦ ହେବାରୁ କହିବାର କିଛି ସମୟ ପରେ ଖଡଗେ ନିଜ ମତ ବଦଳାଇଛନ୍ତି । ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଏହା ମୁଁ କହିନାହିଁ । ମୁଁ ବ୍ୟକ୍ତିଗତ ବୟାନ ଦିଏ ନାହିଁ । ମୋର କହିବାର ଅର୍ଥ ଏହା ଥିଲା ଯେ, ତାଙ୍କର ବିଚାରଧାରା ସାପ ପରି ଅଟେ । ଯଦି ଆପଣ ଏହାକୁ ଚାଟିବାକୁ ଚେଷ୍ଟା କରିବେ ତେବେ ମୃତ୍ୟୁ ସୁନିଶ୍ଚିତ ।’

ଖଡଗେଙ୍କର ଏପରି ବିବୃତ୍ତିକୁ ସମାଲୋଚନା କରିଛନ୍ତି ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ  । ସେ ଟୁଇଟ କରି କହିଛନ୍ତି, କଂଗ୍ରେସ ତ ଏହି ବିଷ ବୁଣିଛି । ସମାଜରେ ବିଭାଜନର ବିଷ । ଦେଶ ବିଭାଜନର ବିଷ, ଭ୍ରଷ୍ଟାଚାରର ବିଷ, ରାଜନୀତିରେ ବଂଶବାଦର ବିଷ- ଏସବୁ କଂଗ୍ରେସ କଂଗ୍ରେସ ବୁଣିଥିବା ବିଷ ଅଟେ ।

ସେହିପରି ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ‘ତାଙ୍କର ଏହି ବୟାନରେ କଂଗ୍ରେସର ହତାଶା ଦେଖିବାକୁ ମିଳିଛି । ସେ ତାଙ୍କ ଟୁଇଟର ହାଣ୍ଡେଲରେ ଖଡଗେଙ୍କ ଭିଡିଓକୁ  ଟୁଇଟ କରି ଲେଖିଛନ୍ତି, ‘ସୋନିଆ ଗାନ୍ଧିଙ୍କ ମୃତ୍ୟୁର ସୌଦାଗରରୁ ଏହା ଆରମ୍ଭ ହୋଇଛି । ଆଉ ଏହାର ଶେଷ କେମିତି ହେବ ଆମେ ଜାଣିଛୁ ।

Leave A Reply

Your email address will not be published.