Latest Odisha News

BREAKING NEWS

ବିଜେପି ବିରୋଧରେ ଗର୍ଜିଲେ ମମତା: “ଦେଖିବି ସେମାନଙ୍କ ପାଖରେ କେତେ ଅଣ୍ଡା ଓ ଇଟା ଅଛି”

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରିଛନ୍ତି । କୋଲକାତାରେ ଆୟୋଜିତ ଟିଏମସି ଛାତ୍ର ସଂଗଠନର ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇ ମମତା ଦାବି କରିଛନ୍ତି ଯେ ତାଙ୍କ ସରକାର ସମୟରେ ପୋଲିସର ଏକ ମାନବିକ ଚେହେରା ଥିଲା, କିନ୍ତୁ ବିଜେପି ଏବେ ପୋଲିସକୁ ‘ରାକ୍ଷସ’ରେ ପରିଣତ କରିଦେଇଛି । ରକ୍ଷାବନ୍ଧନ ଅବସରରେ ସେ ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ଉପରେ ହେଉଥିବା ପୋଲିସର ଅତ୍ୟାଚାରକୁ ବନ୍ଦ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବିଜେପି ରାଜ୍ୟରେ ବିଭାଜନକାରୀ ରାଜନୀତି କରୁଛି ଏବଂ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ପୋଲିସ ବାହିନୀର ଅପବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମସି ନେତାଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରି ମମତା କହିଛନ୍ତି, “ମୁଁ ଦେଖିବି ସେମାନଙ୍କ ପାଖରେ ଆକ୍ରମଣ କରିବା ପାଇଁ କେତେ ଅଣ୍ଡା ଏବଂ ଇଟା ଗଚ୍ଛିତ ଅଛି।” ଆଗାମୀ ଦିନରେ ସେ ସମଗ୍ର ରାଜ୍ୟ ଗସ୍ତ କରିବେ ଏବଂ ଯଦି ପ୍ରଶାସନ ସାଧାରଣ ସଭା କରିବାକୁ ଅନୁମତି ନଦିଏ, ତେବେ ସେ ରାସ୍ତାରେ ପଦଯାତ୍ରା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସମାବେଶ ଅନୁମତିକୁ ନେଇ ସେ ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ବି ପ୍ରଶାସନ ରାଲି ପାଇଁ ଅନୁମତି ଦେବାକୁ ମନା କରୁଛି, ସେତେବେଳେ ସେ କୋର୍ଟର ଦ୍ୱାରସ୍ଥ ହୋଇ ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି । ଏବେଠାରୁ ଯେଉଁଠି ସଭା କରିବାକୁ ଇଚ୍ଛା ହେବ, ସେଠାରେ ସିଧାସଳଖ ଜନତାଙ୍କଠାରୁ ଅନୁମତି ନିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଏହା ସହ ଗତ ବିଧାନସଭା ନିର୍ବାଚନରେ ବିଜେପି ନିର୍ବାଚନ ଆୟୋଗଙ୍କୁ ବ୍ୟବହାର କରି ଭୋଟ୍ ହାଇଜାକ୍ କରିଥିଲା ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ରାସ୍ତାକଡ଼ରୁ ଉଠାଦୋକାନୀମାନଙ୍କୁ ହଟାଇବା ପ୍ରସଙ୍ଗରେ ମଧ୍ୟ ମମତା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଫୁଟପାଥରୁ ଦୋକାନୀଙ୍କୁ ହଟାଇବାରେ ତାଙ୍କର କୌଣସି ଆପତ୍ତି ନାହିଁ, କିନ୍ତୁ ସେମାନଙ୍କର ଉପଯୁକ୍ତ ଥଇଥାନ କରାଯିବା ଆବଶ୍ୟକ । ଯଦି ସରକାର ସେମାନଙ୍କୁ ଥଇଥାନ କରିପାରୁନାହାନ୍ତି, ତେବେ ପ୍ରତିମାସରେ କ୍ଷତିପୂରଣ ବାବଦକୁ ୨୫,୦୦୦ ଟଙ୍କା ପ୍ରଦାନ କରନ୍ତୁ ।

Leave A Reply

Your email address will not be published.