Latest Odisha News

BREAKING NEWS

ପୁଣି ବଦଳିବ ପାଗ, ୨୯ରେ ନୂଆ ଲଘୁଚାପ: ରାଜ୍ୟର ଅନେକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ରହିଥିବା ବେଳେ ପୁଣି ଥରେ ପାଗ ବଦଳିବାକୁ ଯାଉଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ ତଥା ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ଅଗଷ୍ଟ ୨୯ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସିଷ୍ଟମ୍ ଧୀରେ ଧୀରେ ଘନୀଭୂତ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବ । ବିଶେଷକରି ଅଗଷ୍ଟ ୨୯ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ପାଇବ । ଏହି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ପବନ ବହିବାର ଆଶଙ୍କା ଥିବାରୁ ବାଲେଶ୍ୱର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ବା ସତର୍କ ସୂଚନା ଜାରି କରାଯାଇଛି । ସେହିପରି ଢେଙ୍କାନାଳ, ଯାଜପୁର, ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି । ଆସନ୍ତା ଅଗଷ୍ଟ ୩୦ ଏବଂ ୩୧ ତାରିଖରେ ମଧ୍ୟ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ ।

ଚଳିତ ମୌସୁମୀ ଋତୁରେ ଜୁନ୍ ୧ ରୁ ଅଗଷ୍ଟ ମାସ ଶେଷ ସପ୍ତାହ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ହାରାହାରି ୧୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇସାରିଛି । ତେଣୁ ନୂଆ ଲଘୁଚାପ ଆସିଲେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ । ଲଘୁଚାପ ସମୟରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି ।

ଆଗାମୀ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି । ବିଶେଷ କରି ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଉପକୂଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

Leave A Reply

Your email address will not be published.