Latest Odisha News

ଭାଗ ହେଲେ ସ୍ଵାମୀ, ଦୁଇ ପତ୍ନୀଙ୍କ ପାଖେ ତିନି-ତିନି ଦିନ, ମା’ଙ୍କ ପାଖେ ଗୋଟେ ଦିନ

ଲକ୍ଷ୍ନୌ: ଧନସମ୍ପତ୍ତି, ଜମିବାଡି, ସୁନାଗହଣା, ଟଙ୍କାପଇସା ଆଦି ଭଗ ହେବା କଥା ତ ଆପଣ ଶୁଣିଥିବେ ନିଶ୍ଚୟ । କିନ୍ତୁ ଆପଣ କେବେ ସ୍ଵାମୀ ଭାଗ ହେବା କଥା ଶୁଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶ ବାଗପତର କୋତୱାଲି ଅଞ୍ଚଳରେ ପାରିବାରିକ କଳହ ମାମଲାକୁ ନେଇ ଏକ ଅଜବ ଚୁକ୍ତି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଜଣେ ଡାକ୍ତର ସ୍ଵାମୀଙ୍କୁ ନେଇ ଦୁଇ ପତ୍ନୀଙ୍କ ମଧ୍ୟରେ ଲାଗିଥିବା ବିବାଦର ନିମାଂସା ପାଇଁ ଏଭଳି ଏକ ଚୁକ୍ତି ହୋଇଛି । ପାରିବାରିକ କଳହରୁ ମୁକ୍ତି ପାଇବା ପାଇଁ ପୋଲିସ ଷ୍ଟେସନରେ ନିଷ୍ପତ୍ତି ନିଆଯାଇଛି ଯେ ଉକ୍ତ ଡାକ୍ତର ସ୍ୱାମୀ ଜଣଙ୍କ ସପ୍ତାହରେ ତିନି ତିନି ଦିନ ଭାଗ କରି ଉଭୟ ପତ୍ନୀଙ୍କ ସହ ରହିବେ ଏବଂ ବଳକା ଗୋଟିଏ ଦିନ ତାଙ୍କ ମା’ଙ୍କ ସହିତ ରହିବେ। କେବଳ ଏତିକି ନୁହେଁ, ଚୁକ୍ତିରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଉଭୟ ପତ୍ନୀ ପରସ୍ପର ବିରୋଧରେ ସୋସିଆଲ ମିଡିଆରେ କିଛି ବି ପୋଷ୍ଟ କରିପାରିବେ ନାହିଁ।

ଘଟଣା ଅନୁସାରେ, କୋତୱାଲି ଅଞ୍ଚଳର ଜଣେ ମହିଳା ପୋଲିସ ଷ୍ଟେସନରେ ପହଞ୍ଚି ଏକ ଅଜବ ଅଭିଯୋଗ କରିଥିଲେ । ଥାନାକୁ ଯାଇ ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ, ସେ ବର୍ତ୍ତମାନ ସାତ ମାସର ଗର୍ଭବତୀ ଅଛନ୍ତି ମାତ୍ର ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ରହୁଛନ୍ତି। ସେ ଏକଥା ମଧ୍ୟ କହିଥିଲେ ଯେ ସେ ସ୍ଵାମୀଙ୍କର ଦ୍ୱିତୀୟ ପତ୍ନୀ ଏବଂ ସ୍ୱାମୀ ଏବେ ପ୍ରଥମ ପତ୍ନୀଙ୍କ ସହ ରହୁଛନ୍ତି। ଏହା ପରେ ପୋଲିସ ଉଭୟ ଡାକ୍ତର ସ୍ଵାମୀ ଏବଂ ତାଙ୍କ ପ୍ରଥମ ପତ୍ନୀଙ୍କୁ ଥାନାକୁ ଡକାଇଥିଲେ । କିନ୍ତୁ ସେଠାରେ ପରିସ୍ଥିତି ଏପରି ହେଲା ଯେ, ଦୁଇ ପତ୍ନୀ ସ୍ଵାମୀଙ୍କୁ ପାଖରେ ରଖିବାକୁ ପରସ୍ପର ସହ ଯୁକ୍ତି କରିବା ଆରମ୍ଭ କରିଦେଲେ । ଶେଷରେ ପୋଲିସ ଉତ୍ୟକ୍ତ ହୋଇ ଯେତେବେଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଧମକ ଦେଲା ସେତେବେଳେ ସେମାନେ ପରସ୍ପର ସହ ଆପୋଷ ବୁଝାମଣା କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଉଭୟ ପତ୍ନୀ ପାରସ୍ପରିକ ସମ୍ମତି ସହିତ ଏକ ଚୁକ୍ତି ଲେଖିଥିଲେ । ଚୁକ୍ତି ଅନୁସାରେ ସେମାନେ ନିଷ୍ପତି ନେଇଥିଲେ ଯେ ଡାକ୍ତର ସ୍ୱାମୀ ଦୁଇ ପତ୍ନୀଙ୍କ ସହିତ ସପ୍ତାହକୁ ତିନି ଦିନ ବିତାଇବେ। ଏବଂ ବଳକା ଏକ ଦିନ ସେ ତାଙ୍କ ମା ସହିତ ବିତାଇବେ। ଏତଦ୍ ବ୍ୟତୀତ ସୋସିଆଲ ମିଡିଆରେ ପରସ୍ପର ବିରୋଧରେ କିଛି ବି ପୋଷ୍ଟ କରିପାରିବେ ନାହିଁ ବୋଲି ଚୁକ୍ତିରେ ନିର୍ଦ୍ଦେଶ ରହିଛି ।

ଚୁକ୍ତିନାମା ଅନୁସାରେ, ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ସ୍ୱାମୀ ପ୍ରଥମ ପତ୍ନୀଙ୍କ ସହ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଗୁରୁବାର, ଶୁକ୍ରବାର ଏବଂ ଶନିବାର ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ସହିତ ରହିବେ । ସପ୍ତାହର ଶେଷ ବାର ଅର୍ଥାତ୍ ରବିବାର ଦିନ ସେ ତାଙ୍କ ମାଙ୍କ ସହ ରହିବେ । ଚୁକ୍ତିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଜଣେ ପତ୍ନୀଙ୍କ ସହ ରହୁଥିବାବେଳେ ସ୍ୱାମୀ ଜଣଙ୍କ ଅନ୍ୟ ପତ୍ନୀଙ୍କ ସହ ଫୋନରେ ମଧ୍ୟ କଥା ହେବେ ନାହିଁ। କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଉଭୟେ କେହି କାହା ବିରୋଧରେ କୌଣସି ପୋଷ୍ଟ କରିପାରିବେ ନାହିଁ କି କାହା ପୋଷ୍ଟରେ କେହି ବିବାଦୀୟ ମନ୍ତବ୍ୟ ଦେଇପାରିବେ ନାହିଁ । କହିରଖୁଛୁ ଯେ, ୧୫ ବର୍ଷ ତଳେ ଡାକ୍ତର ସ୍ୱାମୀ ଜଣଙ୍କ ତାଙ୍କର ପ୍ରଥମ ପତ୍ନୀଙ୍କ ସହ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ଠାରୁ ତାଙ୍କର ୭ଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ କିଛି ବର୍ଷ ତଳେ ସେ ପୁଣୀ ଥରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ ଯିଏ ବର୍ତ୍ତମାନ ସାତ ମାସର ଗର୍ଭବତୀ ଅଛନ୍ତି |

 

Comments are closed.