Latest Odisha News

BREAKING NEWS

ମୃତ ପ୍ରେମିକା ମଥାରେ ସିନ୍ଦୂର ଦେଇ ପ୍ରେମକୁ କଲେ ଅମର

ଗୌହାଟୀ : ପ୍ରେମ ମାନେନି ଜାତି ଧର୍ମ, ପ୍ରେମ ଦେଖେନି ଧନୀ ଗରୀବ, ପ୍ରେମକୁ ପାଇବାକୁ କିଏ ସାତ ଦରିଆ ପାର୍ ହେଉଛି ତ କିଏ ପ୍ରେମ ପାଇଁ ଜୀବନ ଦେଉଛି । ଦୂରରେ ଥିଲେ ବି ପ୍ରେମ ଶାଶ୍ୱତ । ମୃତ୍ୟୁ ପରେ ବି କିଛି ପ୍ରେମ କାହାଣୀ ଅମର । ଏପରି ନିଚ୍ଛକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି ଆସାମ ଗୌହାଟିରେ । ମୃତ୍ୟୁର ପଥିକ ହୋଇସାରିଛନ୍ତି ପ୍ରେମିକା । କିନ୍ତୁ ଛାଡିବାକୁ ନାରାଜ ଯନ୍ତ୍ରଣାରେ ଜର୍ଜରିତ ପ୍ରେମିକ ।

ପ୍ରେମିକାକୁ କେବେ ବିବାହର ପ୍ରତିଶ୍ରୁତି ଦେଇଥିଲା, ସେହି ପ୍ରତିଶ୍ରୁତିକୁ ରକ୍ଷା କରିଛନ୍ତି ପ୍ରେମିକ । ଜୁଇରେ ଶୋଇବା ପୂର୍ବରୁ ପ୍ରେମିକାଙ୍କୁ ସ୍ତ୍ରୀର ମାନ୍ୟତା ଦେଇଛନ୍ତି । ଚିରନିଦ୍ରାରେ ଶୋଇପଡିଥିବା ପ୍ରେମିକାଙ୍କ ମଥାରେ ସିନ୍ଦୂର ଦେଇ ବିବାହ ପ୍ରତିଶ୍ରୁତିକୁ ପୂରା କରିଛନ୍ତି । ଏହି ଭାଇରାଲ ଭିଡିଓକୁ ଦେଖିଲେ ଆଖିରୁ ଲୁହ ଜକେଇ ଆସିବ । ୨୭ ବର୍ଷୀୟ ବିଟୁପାନ ତାମୁଲି ପ୍ରେମିକା ପ୍ରାର୍ଥନାଙ୍କୁ ହରାଇଦେଇଛନ୍ତି ସବୁଦିନ ପାଇଁ । ହେଲେ ସେମାନଙ୍କ ଭଲପାଇବା ଯେମିତି ସବୁଦିନ ପାଇଁ ଅମର, ସ୍ମୃତି ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ରହିଯାଇଛି ।

ରୋଗାକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି ପ୍ରାର୍ଥନା । ତାଙ୍କ ସିନ୍ଥିରେ ଓ ଗାଲରେ ସିନ୍ଦୂର ମାରି ନିଜର କରିନେଉଛନ୍ତି ବିଟୁପାନ୍ । ଜୀବନସଙ୍ଗିନୀକୁ ବିଦୟ ଦେବା ପୂର୍ବରୁ ଆଉ ଏକ କଥା ବି ଦେଇଛନ୍ତି ତାଙ୍କୁ । ସେ ଯେ ଆଉ କାହାକୁ ବିବାହ କରିବେନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବାସ୍ତବ ପ୍ରେମ ଓ ବଳିଦାନର ନିଦର୍ଶନ ସାଜିଛନ୍ତି ବିଟୁପାନ । ଆଜିର ସ୍ୱାର୍ଥପର ଦୁନିଆରେ କେତେ ଜଣ ଏମିତି ନିଜ ଭଲ ପାଇବାକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି?

ଯେଉଁଠି ସ୍ୱାର୍ଥପର ପ୍ରେମିକ କିମ୍ୱା ପ୍ରେମିକା ନିଜ ସାଥୀକୁ ହତ୍ୟା କରିବାକୁ ପଛାଉ ନାହାଁନ୍ତି, ଓ ସେହି ଘଟଣା ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି, ସେଠି ଏପରି ପ୍ରେମ କାହାଣୀ ଲୋକଙ୍କ ମନକୁ ଛୁଇଁଛି । ପ୍ରାର୍ଥନାଙ୍କୁ ବିଦାୟ ଦେବାବେଳେ ଅସ୍ଥିର ହୋଇ ସୁଦ୍ଧା ନିଜ କଥା ରଖିଛନ୍ତି ବିଟୁପାନ । ଆଜିର ଯୁବପୀଢି ପାଇଁ ବିଟୁପାନ-ପ୍ରାର୍ଥନାଙ୍କ ପ୍ରେମ କାହାଣୀ ଏକ ଶିକ୍ଷା ଓ ଏକ ଉଦାହରଣ ହେବା ଉଚିତ୍ ।

ମୃତ ଜୀବନସାଥିକୁ ବିବାହ କରିବା ଅସାଧାରଣ, ଅସ୍ୱାଭାବିକ ନିଶ୍ଚୟ । ହେଲେ ଏପରି ପ୍ରଥା କର୍ଣ୍ଣାଟକର କେତେକ ସମ୍ପ୍ରଦାୟରେ ଆଜି ବି ରହିଛି । ଯାହାକୁ ‘ପ୍ରେତ କଲ୍ୟାଣମ୍’ କିମ୍ୱା ‘ମୃତକଙ୍କ ବିବାହ’ ଭାବେ ଜଣାଶୁଣା । ତେବେ ବିଟୁପାନ ଓ ପ୍ରାର୍ଥନାଙ୍କ ଭଲପାଇବା, ପରସ୍ପର ପ୍ରତି ସମ୍ମାନ, ସମର୍ପଣଭାବ ଓ ବଳିଦାନକୁ ଅନ୍ୟମାନଙ୍କ ମନରେ କରୁଣା, ପ୍ରେମ ଭରିଦେଉ ।

Leave A Reply

Your email address will not be published.