Latest Odisha News

BREAKING NEWS

‘ପ୍ରତୀକ୍ଷା’ର ହିନ୍ଦୀ ରିମେକ କରିବେ ଅନୁପମ ଖେର, ବାପା ଭୂମିକାରେ ଅଭିନୟ ବି କରିବେ

ସାରା ଦେଶରେ ‘ପ୍ରତୀକ୍ଷା’ର ଚର୍ଚ୍ଚା । ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ସ୍ଥାନ ପାଇ ପ୍ରଶଂସା ସାଉଁଟିଛି । ଏବେ ପ୍ରତୀକ୍ଷା ପାଇଁ ଆଉ ଏକ ଖୁସି ଖବର । ହିନ୍ଦୀରେ ରିମେକ ହେବ ପ୍ରତୀକ୍ଷା । ବଲିଉଡର ପ୍ରଖ୍ୟାତ ଅଭିନେତା-ନିର୍ଦ୍ଦେଶକ ଅନୁପମ ଖେର ଏହାର ହିନ୍ଦୀ ରିମେକ କରିବେ । ଏକଥା ନିଜେ ସ୍ୱତଃସ୍ପୃତ ଭାବେ ଘୋଷଣା କରିଥିଲେ । ସବୁଠାରୁ ଖୁସିର କଥା ଏହି ଚଳଚ୍ଚିତ୍ରରେ ନିଜେ ଅନୁପମ ଖେର ବାପା ଭୂମିକାରେ ଅଭିନୟ କରିବେ ।

ବାପା-ପୁଅ ସମ୍ପର୍କକୁ ନେଇ ତିଆରି ହୋଇଥିବା ଓଡ଼ିଆ ଫିଲ୍ମ ପ୍ରତୀକ୍ଷା  ଅନ୍ତର୍ଜାତୀୟ ଚଳଚ୍ଚିତ୍ର  ମହୋତ୍ସବରେ ସ୍ଥାନ ପାଇଛି । ଗୋଆ ରାଜଧାନୀ ପାଣାଜୀରେ ଆୟୋଜିତ ଏହି ମହୋତ୍ସବରେ  ଗତକାଲି ଅର୍ଥାତ ମଙ୍ଗଳବାର ଆଇନକ୍ସ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ଯାଇଛି । ଭାରତର ପାନୋରାମା ବିଭାଗରେ ୨୫ଟି ଭାରତୀୟ ଭାଷାର ୩୫୪ଟି ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ତା ଭିତରୁ ଗୋଟିଏ ଥିଲା ପ୍ରତୀକ୍ଷା ।

ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଆଧାରରେ ନିର୍ମିତ ଅମୀୟ ପଟ୍ଟନାୟକ ପ୍ରଡକ୍ସନର ଫିଲ୍ମ ‘ପ୍ରତୀକ୍ଷା’ ଏକ ମଧ୍ୟବିତ୍ତ ପରିବାରର ଆଶା, ନିରାଶା, ସ୍ୱପ୍ନ ସଂଘର୍ଷର କାହାଣୀ  । କାହାଣୀଟି ସମ୍ପୂର୍ଣ୍ଣ ନିଜସ୍ୱ । କାହାଣୀର ମୁଖ୍ୟ ନାୟକ ସଞ୍ଜୟ ଏକ ମଧ୍ୟବିତ୍ତ ପରିବାର ଯୁବକ  । ସରକାରୀ ଚାକିରୀଟିଏ ପାଇଁ ଖୋଜି ଖୋଜି ହତାଶ ହୋଇପଡ଼ିଛି । ଅବସର ନେବାକୁ ଥିବା ବାପା, ଘରେ ଋଣ ଭାର .. ଏସବୁ ଭିତରେ ଏକମାତ୍ର ଆଶା ଭରସା ହେଉଛି ପୁଅ । ହେଲେ ଚାକିରୀ କାହିଁ । ସରକାରଙ୍କ ଅନୁକମ୍ପାମୂଳକ ଥଇଥାନ ଯୋଜନା ସମ୍ପର୍କରେ ସଞ୍ଜୟ ଶୁଣିବାକୁ ପାଇଛି   । ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତେବେ ପରିବାରର ସଦସ୍ୟଙ୍କୁ ଚାକିରୀ ମିଳେ ।ଏହି ସମୟରେ ସେ ଜାଣିବାକୁ ପାଏ ଯେ ତାଙ୍କ ବାପା ଗୁରୁତର ରୋଗରେ ଆକ୍ରାନ୍ତ । ହତାଶ ସଞ୍ଜୟ ବାପାଙ୍କ ମୃତ୍ୟୁକୁ ଅପେକ୍ଷା କରିଥାଏ…. । ଏହା ପରିବାରର ଦୁଃଖ, ଯନ୍ତ୍ରଣା ଆଉ ସଂଘର୍ଷର କାହାଣୀ । ଗୋଟିଏ ପଟେ ସମ୍ପର୍କ ଆଉ ଗୋଟିଏ ପଟେ ସଂଘର୍ଷ । ତା ଭିତରେ ବାଟବଣା ହୋଇଥିବା ବାପା-ପୁଅଙ୍କ ଭଲପାଇବାର ସ୍ୱକ୍ଷ୍ମ ଅନୁଭବ ହେଉଛି ପ୍ରତୀକ୍ଷା ।

ଫିଲ୍ମରେ ଦିପନ୍ୱୀତ ଦାସମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।ଏହା ବ୍ୟତୀତ ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି ।

ଯାହା ବି ହେଉ, ଓଡ଼ିଆ ଫିଲ୍ମ ହିନ୍ଦୀରେ ରିମେକ ହେବ, ଏହା ଖାଲି ଫିଲ୍ମର ପ୍ରଯୋଜକ ବା ଡାଇରେକ୍ଟଙ୍କ ପାଇଁ ନୁହେଁ, ସାରା ଓଡ଼ିଶାବାସୀଙ୍କ ପାଇଁ ଏକ ଗୌରବର କଥା ନିଶ୍ଚୟ ।

Leave A Reply

Your email address will not be published.