Latest Odisha News

ଏନଡିଏରୁ ବାହାରିଲା ଜେଡିୟୁ ! ମଣିପୁରରେ ବଡ଼ ହଲଚଲ

ନୂଆଦିଲ୍ଲୀ: ମଣିପୁରର ଏନ. ବୀରେନ୍ ସିଂହ ନେତୃତ୍ବାଧୀନ ଏନଡିଏ ସରକାରରୁ ଓହରିଗଲା ନୀତୀଶ କୁମାରଙ୍କ ଜେଡିୟୁ। ମଣିପୁରରେ ଜେଡିୟୁର ଏକମାତ୍ର ବିଧାୟକ ଅଛନ୍ତି ମହମ୍ମଦ ଅବଦୁଲ୍ ନସିର୍ । ଏବେ ସେ ବିରୋଧୀ ଦଳ ବିଧାୟକଙ୍କ ସହ ବିଧାନସଭାରେ ବସିବେ । ବର୍ଷେରୁ ଅଧିକ ହେବ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଲାଗି ରହିଥିବା ବେଳେ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ନେଉ ନାହାନ୍ତି । ଯାହାକୁ ବିରୋଧ କରି ଜେଡିୟୁ ବିଧାୟକ ମମମ୍ମଦ ଅବଦୁଲ ନସିର୍ ସରକାରରୁ ସମର୍ଥନ ଫେରାଇ ନେଇଛନ୍ତି ।

ଜେଡିୟୁର ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟ ଏନ୍. ବୀରେନ ସିଂହ ସରକାରକୁ ବିପଦ ନାହିଁ । କାରଣ ୬୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଏବେ ଏନଡିଏର ସଂଖ୍ୟା ୩୭ ରହିଛି । ସେମାନଙ୍କ ମଧ୍ୟରେ ୫ ଜଣ ବିଧାୟକ ନାଗା ପିପୁଲ୍‌ସ ଫ୍ରଣ୍ଟର ହୋଇଥିବା ବେଳେ ୩ ଜଣ ସ୍ବାଧୀନ । କିଛି ମାସ ତଳେ କନର୍ଡ ସାଙ୍ଗମାଙ୍କ ନାସନାଲ୍ ପିପୁଲ୍ସ ପାର୍ଟି, ବୀରେନ ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ମଣିପୁରର ଏହି ଡେଭଲପମେଣ୍ଟ, ଜାତୀୟ ଏବଂ ବିହାର ରାଜନୀତି ପାଇଁ ଭିନ୍ନ ଏକ ମେସେଜ୍ ଦେଇଛି ।

କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଏନଡିଏ ସରକାରରେ, ନୀତୀଶ କୁମାରଙ୍କ ଜେଡିୟୁ ପ୍ରମୁଖ ଅଂଶୀଦାର ରହିଛି । ଜେଡିୟୁର ୧୨ ଜଣ ସାଂସଦ ଅଛନ୍ତି । ସେପଟେ ଚଳିତବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେଠାରେ ମଧ୍ୟ ନିର୍ବାଚନୀ ନେତୃତ୍ବାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଉ ଏଭଳି ସ୍ଥିତିରେ ମଣିପୁରର ଏନଡିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଛି ଜେଡିୟୁ । ଆଉ ଏଭଳି ସ୍ଥିତରେ ଜେଡିୟୁ ତାର ମଣିପୁର ସଭାପତିଙ୍କୁ ପଦରୁ ହଟାଇ ଦେଇଛି । ଏନଡିଏ ପ୍ରତି ଜେଡିୟୁର ସମର୍ଥନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ।

Comments are closed.