Latest Odisha News

BREAKING NEWS

ମଣିଷ: ସୃଷ୍ଟିର ଶେଷ କପଟି !

ସାମ୍ପ୍ରତିକ ସମାଜର ପରିସ୍ଥିତିକୁ ନେଇ ବଳଭଦ୍ର ରଥଙ୍କ ନିୟମିତ ସ୍ତମ୍ଭ: ଦୁନିଆ ଚିନ୍ତା

ଏ ମଣିଷ କୁଆଡେ ଜୀବଜଗତର ଶ୍ରେଷ୍ଠ ଜୀବ ! ବଣଜଙ୍ଗଲର ଲଙ୍ଗଳା ଅବସ୍ଥାରୁ ମଙ୍ଗଳଗ୍ରହରେ ପହଂଚିବା ପର୍ଯ୍ୟନ୍ତ ଏ ମଣିଷର ସଭ୍ୟତାକୁ ଲାଗିଯାଇଛି ପ୍ରାୟ ଦୁଇଲକ୍ଷ ବର୍ଷ । ଏଇ ଦୁଇଲକ୍ଷ ବର୍ଷର ସଭ୍ୟତାର ବିବର୍ତ୍ତନରେ ମଣିଷ ନିଜକୁ ପ୍ରକୃତିର ମାଲିକ ବୋଲି କହୁଥିବା ବେଳେ ଆଜି ବି ତା ମୁଣ୍ଡ ଭିତରେ ରହିଥିବା ଚିନ୍ତାଧାରା ‘ମାର୍ କିମ୍ବା ମର୍‌’ । ନିଜ ତୁଣ୍ଡରେ ନିଜେ ସଭ୍ୟ ବୋଲି ବାଇଦ ବଜେଇବା ପରେ ମଧ୍ୟ ପ୍ରକୃତିର ଉଦ୍ଭିଦ ଓ ଜୀବଜଗତକୁ ମଣିଷ ଶତ୍ରୁ ଭାବରେ ଦେଖିବା ଛାଡିପାରିଲା ନାହିଁ ।
ପୃଥିବୀନାମକ ଗ୍ରହରେ ଜୀବଜଗତକୁ ନେଇ ବଂଚିବା ଅପେକ୍ଷା ନିଜେ ଏକ ପାଚେରୀ ଘେରା ଉପନିବେଶ ଭିତରେ ନିଜକୁ ନିଜେ ସଭ୍ୟ, ସଭ୍ୟ ବୋଲି କହିବୁଲୁଛି । ପାଚେରୀ ଡେଇଁ ମାଙ୍କଡଟିଏ ଏହା ଭିତରକୁ ପଶିଗଲେ ଅନଧିକାର ପ୍ରବେଶ ଅପରାଧରେ ସଙ୍ଗେ ସଙ୍ଗେ ନୃଶଂସ ଆକ୍ରମଣ କରିବାକୁ ଟିକିଏ ବି ହେଳା କରେନି ଏ ମଣିଷ । ଏ ହେଲା ଆପଣା ଗଢା ଜେଲ୍‌ଖାନା ପାଚେରୀ ଭଳି ଉପନିବେଶ ସଭ୍ୟତା । ଏଣେ ବିଲବାଡିରେ ହାତୀ ପଶିଗଲେ ବିଜୁଳି କରେଣ୍ଟ୍ ଦେଇ ମାରିଦେବାର କ୍ରୁରତା ଏଇ ମଣିଷର ମୁଣ୍ଡ ଭିତରେ ହିଁ ଅଛି ।
ମଣିଷ ଆଜି ଜୀବଜଗତ ପାଇଁ ବିପଦ ହିଁ ବିପଦ । ମଣିଷ ଭିତରେ ମଣିଷପଣିଆ ମରିଯାଇଛି । ଏବେ ସେ ବସ୍ତ୍ରପିନ୍ଧା ହିଂସ୍ରଜନ୍ତୁ, ନାହିଁ ତ କଂକ୍ରିଟାୟନର ଏକ କୀଟ । ଏ କୀଟ ପଙ୍ଗପାଳ ଭଳି ଆଖି ଆଗରେ ଯାହା କିଛି ସବୁଜ ଓ ଜୀବନ୍ତ ଦେଖିପାରେ, ତାକୁ ଗିଳିପକାଇବାର ସୀମାହୀନ ଭୋକ!
ଛାଡନ୍ତୁ ! ପ୍ରସଙ୍ଗକୁ ଆସିବା । ଯେଉଁ ପ୍ରସଙ୍ଗ କେରଳର ମାଲାପ୍ପୁରମ୍ ଜିଲ୍ଲାର ସେଇ ଘଟଣା, ଯେଉଁ ଘଟଣା ଗର୍ଭିଣୀ ହାତୀଟିଏର ମୃତ୍ୟୁର କାରଣ । ସେ ଗର୍ଭିଣୀ ହାତୀ ପେଟରେ ଥିଲା ନିଜ ଭଳି ଆଉ ଏକ ସତ୍ତା ଦୁନିଆର ଆଲୁଅ ଅପେକ୍ଷାରେ । ହେଲେ କିଛି ସତ୍ତା ଆତ୍ମପ୍ରକାଶ ପାଇବା ପୂର୍ବରୁ ହିଁ ବୋଧେ ସବୁଦିନ ପାଇଁ ସମାଧି ନେଇଥାଏ । ମଣିଷର କପଟଫାଶ ଆଉ କ୍ରୁର ଷଡଯନ୍ତ୍ରରେ ଫଶି ତିନିଦିନ ଯନ୍ତ୍ରଣାରେ ଛଟପଟ ହୋଇ ମରିଗଲା ଗର୍ଭିଣୀ ହାତୀ । ଫଳ ଭିତରେ ଥିଲା କାଳ ପୂରିବାର ଠିକଣା । ମଣିଷ ହାତରୁ ଖାଇଥିବା ସପୁରୀ ଭିତରେ ଥିଲା ଭିତରେ ଥିଲା ବିସ୍ଫୋଟକ ଖୁନ୍ଦା ବିଶ୍ୱାସର ବିଷ! ତା’ ବିଶ୍ୱାସ ହିଁ ନେଇଥିଲା ବିସ୍ଫୋରଣର ରୂପ…
ସରିଗଲା, ହାରିଗଲା, ମରିଗଲା, ଛିନଛତର ହୋଇଗଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀଟି ପାଣି ଭିତରେ ପଶିଯାଇ ପାଟି ମେଲା କରି ଯନ୍ତ୍ରଣାରୁ କିଛିଟା ଉପଶମ ପାଇବାକୁ କଲା ସତତ ଚେଷ୍ଟା । କିନ୍ତୁ ଶେଷ ପରିଣାମ-ଯନ୍ତ୍ରଣା ଜର୍ଜରିତ ଅସହାୟ ମୃତ୍ୟୁ ! ଆଉ ମଟମଟ କରି ଦେଖି ରହିଥିଲା, ଆହା ଚୁ ଚୁ କରୁଥିଲା ସୃଷ୍ଟିର ଶେଷ କପଟି-ମଣିଷ ! ଭିଡ ଜମେଇଥିବା ଶେଷ କପଟି ଉଠାଇ ଚାଲିଥିଲେ ଫଟୋ ପରେ ଫଟୋ…କ୍ଲିକ୍‌…କ୍ଲିକ୍‌…କ୍ଲିକ୍‌…
ବୋଧେ ମଣିଷର ଅମାନବୀୟ କାଣ୍ଡର ଚିତ୍ର ଓ ଚରିତ୍ର ମଣିଷ ମାଧ୍ୟମରେ ହିଁ ଏବେ ଘୁରିବୁଲୁଛି ସାରା ଦୁନିଆ! ଆଉ ସେ ଚିତ୍ର-ଚରିତ୍ରକୁ ଦେଖି କିଛି ମଣିଷଙ୍କ ଅମଣିଷପଣିଆ ନିକଟରେ ସମଗ୍ର ମଣିଷ ସମାଜ ଦୋଷୀ ଭାବେ ନତମସ୍ତକ । ନିଜକୁ ନିଜେ ଧିକ୍କାର କରୁଛି ମଣିଷ । ହେଲେ ଏତକରେ ସବୁ ମଣିଷ କଣ ମଣିଷ ହୋଇଯିବେ? ସତରେ ସନ୍ଦେହ!
ଏ ଅମାନବୀୟ ଘଟଣା ପରେ ମୋ ଭଳି ଅନେକ ଆଜି ଶୋକାଭିଭୂତ । ଏକ ଭୋକିଲା ଗର୍ଭିଣୀ ହାତୀ ଖାଦ୍ୟ ଅନ୍ୱେଷଣ କରୁଥିବା ବେଳେ ମଣିଷକୁ ଗଭୀର ବିଶ୍ୱାସରେ ମଣିଷ ହାତରୁ ସପୁରୀଟେ ଖାଇଦେଲା । ସେ ଜାଣିନଥିଲା ଯେ ଏହି ସପୁରୀ ଭିତରେ ଛଳନାର ମୃତ୍ୟୁକୁ ତାକୁ ଗ୍ରାସ କରୁଛି । ମଣିଷର କପଟକୁ ସେ ବା କାହୁଁ ବୁଝିବ?
ମାଲାପୁରମ୍ ହାତୀ ମୃତ୍ୟୁ ଘଟଣା ମଣିଷର ଚରମ ଅମଣିଷପଣିଆ । ପ୍ରକୃତିର ଶ୍ରେଷ୍ଠ ଜୀବ ଆଜି ପ୍ରକୃତିର ଶେଷ କପଟି ଜୀବ ଭାବେ ପ୍ରମାଣିତ । ମଣିଷ ଏବଂ ପ୍ରାଣୀଜଗତର ଲଢେଇରେ ପ୍ରାଣୀଜଗତ ହାରିବା ସ୍ୱାଭାବିକ । ଏହା ପୂର୍ବ ନିର୍ଦ୍ଧାରିତ, କାରଣ ସେ ପୃଥିବୀର ଶ୍ରେଷ୍ଠ ଜୀବ । ହେଲେ ଏହି ଲଢେଇରେ ନିଜର ବିଜୟକୁ ଯଦି ମଣିଷ ପ୍ରକୃତ ବିଜୟ ବୋଲି ଭାବେ ଏହାଠାରୁ ବଳି ବୋକାମୀ ଆଉ କଣ ବା ହୋଇପାରେ? ପ୍ରସ୍ତରଯୁଗର ସେହି ଆଦିମ ମଣିଷ ଆଉ ଆଜି ପଥର ହୋଇ ରହିଥିବା ମଣିଷ ଭିତରେ ତଫାତ୍ ବା କେତେ?
ପ୍ରକୃତିର ସମସ୍ତ ପ୍ରାଣୀ ନିଜ ପେଟ ପାଇଁ ସଂଘର୍ଷ କରୁଥିବା ବେଳେ ମଣିଷର ସଂଘର୍ଷ କେବଳ ନିଜର ଲୋଭ ପାଇଁ । ନଖ, ଦାନ୍ତ, ବିଷଯୁକ୍ତ ପ୍ରାଣୀ ଠାରୁ ବଂଚିବାର ଅନେକ ଉପାୟ ଅଛି; ହେଲେ ଅମଣିଷଙ୍କ ଠାରୁ ବଂଚିବାର ଗୋଟାଏ ବି ଉପାୟ ନାହିଁ । ବିଶ୍ୱାସ କରିପାରନ୍ତି, ଅବିଶ୍ୱାସ ବି କରିପାରନ୍ତି ।
ଆସ, ଆମ ଭଳି ଅମଣିଷମାନେ ପାରିବା ଯଦି ଆଜି ପାଇଁ ଦି’ଧାର ଲୁହ ଗଡେଇଦେବା…ପୁଣି ଅମଣିଷ ହେଇ କାଲି ପାଇଁ ବଂଚିବା…ଶ୍ରେଷ୍ଠ କପଟିର ସ୍ତରରୁ ଆଉ କେତେ ପାଦ ଆଗକୁ ବଢିବା…
ସହିଦ ନଗର, ଭୁବନେଶ୍ୱର
ଇମେଲ୍‌: balabhadrar@gmail.com
(ଲେଖକ ଜଣେ ସାମ୍ବାଦିକ ଓ ସମ୍ବାଦ ପାଠକ)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.