ମାଟିର ମଣିଷ ଓ ସତ୍ୟଜିତ ରାୟ

ଚିଠିର ସ୍ପଷ୍ଟରେଖକୁ ଆଗ ପଢନ୍ତୁ , ଏହା ମୂଳ ଚିଠିର ଅବିକଳ । ତେବେ କାଗଜ ଚିରି ଥିବାରୁ ଦୁଇଟି ସ୍ଥାନରେ XXX ଚିହ୍ନ ଦେଇଛି । ଏହାକୁ ମୁଁ ଅନୁମାନ କରି ଲେଖି ପାରିଥାନ୍ତି କିନ୍ତୁ ଜାଣିଶୁଣି କଲି ନାହିଁ, ଆପଣମାନେ ଅନୁମାନ କରିପାରିବେ ଓ ଜାଣିପାରିବେ ।

SATYAJIT RAY

3 LAKE TEMPLE ROAD, CALCUTTA, 29, PHONE 46-1817

It is clear that both his head and heart went into the making of Mrinal Sen’s first Oriya film ‘MATIRA MANISHA’. The result in a film that one can feel for as well as be stimulated by. Its blend of techniques is also something which sets the film apart, while sen points up the family relationship in this rural saga with poetry and subtle observation, he is not averse to using straight XXXmentary methods when it comes to setting his story XXX firmly in a definite time and a definite place. XXX the most remarkable thing in the film , however Sen must share the credit with his performers. For sustained excellence and conviction, the acting in MATIRA MANISHA has few equals in the Indian cinema. I congratulate every one concerned in the making of this bold film.

Satyajit Ray

07.03.97

ଏ ତଥ୍ୟ ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ ଯେ କିମ୍ବଦନ୍ତୀ ନିର୍ଦେଶକ ସତ୍ୟଜିତ ରାୟ ଓଡ଼ିଆ ଫିଲ୍ମ ‘ମାଟିର ମଣିଷ’ର ନିର୍ଦେଶନା ଦେଇଥାନ୍ତେ କିନ୍ତୁ ତାଙ୍କ ସର୍ତ୍ତରେ ପ୍ରଯୋଜକ ଅରାଜି ହେଲେ ଓ ପ୍ରସ୍ତାବ ସେମିତି ରହିଗଲା । ତେବେ ‘ମାଟିର ମଣିଷ’ ଦେଖିବା ପରେ ସତ୍ୟଜିତ ରାୟ ପ୍ରଯୋଜକଙ୍କୁ ଏକ ପ୍ରଶଂସାପୂର୍ଣ୍ଣ ଚିଠି ଲେଖିଥିଲେ ଓ ସେ ଚିଠି ଏଠାରେ ସଂଲଗ୍ନ ହୋଇଛି  । ଏ’ ମାସ କିମ୍ବଦନ୍ତୀ ନିର୍ଦେଶକ ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବର ଆରମ୍ଭ ମାସ । ମେ ୨ ତାରିଖ ୧୯୨୧ରେ ତାଙ୍କର ଜନ୍ମ । ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।

ଏବେ ମୂଳ କଥାକୁ ଆସିବା, ସର୍ତ୍ତ କଣ ଥିଲା ?

କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ର ଚଳଚିତ୍ର ସ୍ୱତ୍ତ୍ୱ ୧୯୬୦ ମସିହାରେ ବିକ୍ରି ହୋଇଥିଲା କେ. ଏ.ଆବାସଙ୍କୁ, ୨୫ ହଜାର ଟଙ୍କାରେ. କିନ୍ତୁ ସେ ଫିଲ୍ମ କରୁନଥିଲେ । ଲେଖକ କାଳନ୍ଦୀ ପାଣିଗ୍ରାହୀ ଛାୟାବାଣୀର ପ୍ରଯୋଜକ ବାବୁଲାଲ ଦୋଶୀଙ୍କ ପାଖରେ ସର୍ତ୍ତ ରଖିଲେ ଯଦି ସତ୍ୟଜିତ ରାୟ ‘ମାଟିର ମଣିଷ’ ନିର୍ଦେଶନା ଦେବେ, ତେବେ ହୁଏତ ସେ କେ.ଏ. ଆବାସଙ୍କଠାରୁ ଓଡ଼ିଆ ଭାଷା ଚଳଚିତ୍ର ପାଇଁ ସ୍ୱତ୍ତ୍ୱ ନେଇ ଆସିବେ । ପ୍ରଯୋଜକ ରାଜି ଥିଲେ । ସତ୍ୟଜିତ ରାୟଙ୍କ ପିଉସୀ ସୁଖଲତା କଟକରେ ବାହା ହୋଇଥିଲେ ଡାକ୍ତର ଜୟନ୍ତ ରାଓଙ୍କୁ । ସୁଖଲତା ‘ମାଟିର ମଣିଷ’କୁ ବଙ୍ଗଳାରେ ଅନୁବାଦ ବି କରିଥିଲେ । ସେହି ସୂତ୍ରରେ ସତ୍ୟଜିତ ରାୟଙ୍କ ସହ ସମ୍ପର୍କ କରାଗଲା । ଇତି ମଧ୍ୟରେ କେ. ଏ. ଆବାସ ଚଳଚିତ୍ର ସ୍ୱତ୍ତ୍ୱ ବି ଫେରାଇ ଦେଇଥିଲେ । ସତ୍ୟଜିତ ରାୟ କହିଲେ: ଦେଢ଼ବର୍ଷ ପରେ ସେ ‘ମାଟିର ମଣିଷ’ର ନିର୍ଦେଶନା ଦେଇପାରନ୍ତି, ଏବେ ନୁହେଁ । ଯଦି ପ୍ରଯୋଜକ ଅପେକ୍ଷା କରନ୍ତି ଭଲ କିନ୍ତୁ ତାପରେ ସେ ଛ ମାସ ଓଡ଼ିଶାରେ ରହି ଓଡ଼ିଆ ପରମ୍ପରା, ଚାଲିଚଳଣ ଜାଣିଲା ପରେ ‘ମାଟିର ମଣିଷ’ କରିବେ । ତାଙ୍କୁ ଓଡ଼ିଆ ଭାଷା ଶିଖାଇବା ପାଇଁ ଓ ଓଡ଼ିଶାର ଗାଁ ବୁଲାଇବା ପାଇଁ ଜଣେ ଗାଇଡ଼ ଦରକାର, ଗାଡି ବି ଦରକାର ।

ପ୍ରଯୋଜକ ହିସାବ କଲେ: ସତ୍ୟଜିତ ରାୟ ରହିବେ ମାନେ ପୁରୀର ବି. ଏନ. ଆର. ହୋଟେଲରେ ଛ ମାସ ଖର୍ଚ, ଗାଡି, ଗାଇଡ଼ ଖର୍ଚ ଯାହା ହେବ ତା’ କାହିଁରେ କେତେ ! ଅତଏବ ସେ ଏତେ ଅପେକ୍ଷା କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇଲେ । ସୁତରାଂ ସତ୍ୟଜିତ ରାୟ ଆଉ ଦୁଇଜଣ ନିର୍ଦେଶକ ତପନ ସିହ୍ନା ଓ ମୃଣାଳ ସେନଙ୍କ ମଧ୍ୟରୁ ଜଣକୁ ନିଆଯାଇପାରେ ବୋଲି ମନ୍ତବ୍ୟ ଦେଲେ । ପ୍ରଥମେ ତପନ ସିହ୍ନାଙ୍କ ସହ ଯୋଗାଯୋଗ କରାଗଲା, ସେତେବେଳକୁ ସେ ବଙ୍ଗଳା ଫିଲ୍ମ ‘ହାଟେ ବାଜାରେ’ ପାଇଁ ବ୍ୟସ୍ତ । ଅତଏବ ମୃଣାଳ ସେନଙ୍କୁ ଯୋଗାଯୋଗ କରାଗଲା , ସେ ରାଜି ହେଲେ ।

ତାପରେ ହେଲା ମୃଣାଳ ସେନଙ୍କ ‘ମାଟିର ମଣିଷ’ । ହୁଏତ ଏହା ସତ୍ୟଜିତ ରାୟଙ୍କ ‘ମାଟିର ମଣିଷ’ ହୋଇପାରିଥାନ୍ତା, ହେଲାନାହିଁ । କିନ୍ତୁ ସେନସର ପରେ ପ୍ରଥମ ସୋ’ ସେ ଦେଖିଲେ ଓ ଏଠାରେ ସଂଯୁକ୍ତ ଚିଠି ପ୍ରଯୋଜକଙ୍କୁ ଦେଇଥିଲେ ।

( ସ୍ଵର୍ଗତଃ ଗୋପାଳ ଘୋଷ ଓ ସ୍ଵର୍ଗତଃ କାର୍ତିକ ଘୋଷଙ୍କଠାରୁ ଏବଂ କଳା ବିକାଶ କେନ୍ଦ୍ରରୁ ସଂଗୃହିତ ତଥ୍ୟ ଆଧାରରେ)