Latest Odisha News

BREAKING NEWS

ମେଡିକାଲ କଲେଜରେ ନାମ ଲେଖାଇବା ନାଁ ରେ ଠକେଇ, ଗିରଫ ହେଲେ ୩ ଠକ

ବଲାଙ୍ଗୀର: ମେଡିକାଲ କଲେଜରେ ନାମଲେଖା ନାଁରେ ଠକେଇ । ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବଲାଙ୍ଗୀର ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ଖଣ୍ତପଡା ଥାନା ବଳରାମପ୍ରସାଦ ମା’ମଙ୍ଗଳାର ସାହିର ବ୍ୟାସଦେବ ମହାନ୍ତି, ଫୁଲବାଣୀ ଟାଉନ ଥାନା କେନ୍ଦୁପଡ଼ାର ଅବିନାଶ ଓରଫ କାହ୍ନା ପୁରୋହିତ ଏବଂ ନୟାଗଡ଼ ଜିଲ୍ଲା ଓଡ଼ଗାର ମନସ ପରିଡ଼ି ।

ସୂଚନା ଅନୁସାରେ, ନିଟ୍ ରେ ବିଫଳ ହେଉଥିବା ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରି ସରକାରୀ ମେଡିକାଲ କଲେଜରେ ସ୍ପଟ୍ ଆଡମିସନ କରି ନାମଲେଖାଇ ଦେବାକୁ କହି ପ୍ରଥମେ ବିଶ୍ଵାସ ଜନ୍ମାଉ ଥିଲେ ଠକ । ଲୋଭନୀୟ ଅଫର ପାଇ ଠକାମୀର ଶିକାର ହେଉଥିଲା ଅନେକ ପିଲା । ବରଗଡ଼ ଜିଲ୍ଲା ପଦ୍ମପୁରରୁ ବୃନ୍ଦାବନ ମେହେରଙ୍କ ଝିଅ ନିଟ୍ ରେ ଭଲ ନମ୍ବର ରଖିନଥିଲେ, ଫଳରେ ସେମାନେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଉଦ୍ୟମ କରୁଥିଲେ ।

ସେହିଠାରେ ତାଙ୍କର ଦେଖା ଏହି ଠକ ମାନଙ୍କ ସହ ହୋଇଥିଲା । ଠକମାନେ ତାଙ୍କୁ ସରକାରୀ କଲେଜରେ ନାମ ଲେଖାଇ ଦେବାକୁ କହି ପ୍ରଥମେ ବିଶ୍ଵାସ ଜନ୍ମେଇ ଥିଲେ । ପରେ ତାଙ୍କଠାରୁ ୧୬ ଲକ୍ଷ ଟଙ୍କା ଠକି ନେଇଥିଲେ ଠକ । କିନ୍ତୁ ଏସବୁ ଫେକ୍ ବୋଲି ଜାଣିବା ପରେ ବଲାଙ୍ଗୀର ସାଇବର ଥାନାର ଦ୍ଵାରସ୍ତ ହୋଇଥିଲେ ବୃନ୍ଦାବନ ମେହେର । ଏହାର ତଦନ୍ତ କରି ଆଜି ବଲାଙ୍ଗୀର ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.