Latest Odisha News

BREAKING NEWS

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସରିଲା ବୈଠକ; ରଥରେ ଅଣସେବକ ଚଢ଼ିଲେ ରୁଜୁ ହେବ ମୋକଦ୍ଦମା

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଦଇତାପତିଙ୍କ ବୈଠକ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକଙ୍କ ସହ ବାଡଗ୍ରାହୀ ଓ ଯୁବ ଦଇତାପତି ଯୋଗ ଦେଇଥିଲେ । ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଓ ନେତ୍ରୋତ୍ସବ ଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ପ୍ରସାଦ ସେବନ ଉପରେ ଗୁରୁତ୍ବ ଦିଆଯାଇଛି । ଗତବର୍ଷର ପହଣ୍ଡି ଅଘଟଣ ଏଡାଇବାକୁ ସ୍ଵତ୍ଵଲିପି ଅନୁଯାୟୀ ସେବା ସଂପୃକ୍ତ ସେବକଙ୍କୁ ନେଇ ଗଠିତ ହୋଇଛି ପହଣ୍ଡି ଟିମ୍ । ୩ ଜଣିଆ କମିଟିର ପରାମର୍ଶ ଅନୁଯାୟୀ ହେବ ପହଣ୍ଡି କାର୍ଯ୍ୟ । ରଥ ଉପରେ ଓ ପହଣ୍ଡି ସମୟରେ ମୋବାଇଲ୍ ସମ୍ପୁର୍ଣ୍ଣ ବାରଣ ହେବ । ନୀତି ଶୃଙ୍ଖଳା ଓ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ନିଯୋଗ ସମ୍ପାଦକ । ୪ଟି ପହଣ୍ଡି ଦଳ ପ୍ରସ୍ତୁତ କରିସାରିଛି ଦଇତାପତି ନିଯୋଗ ।

ଅନ୍ୟ ନିଯୋଗର ସୂଚୀ ଆସିବା ପରେ ହେବ ପହଣ୍ଡି ପାଇଁ ଫାଇନାଲ ଲିଷ୍ଟ ପ୍ରସ୍ତୁତ ହେବ । ଉତ୍ତମ ସମନ୍ଵୟ, ଶୃଙ୍ଖଳିତ ନୀତି, ବ୍ୟବସ୍ଥାବଳି ଅନୂପାଳନ ଉପରେ ଫୋକସ୍ ଦିଆଯାଇଛି । ସେବକଙ୍କ ସହାୟକ କେବଳ ଆବଶ୍ୟକ ସମୟରେ ରଥ ଉପରକୁ ଯାଇପାରିବେ । ଅନ୍ୟ ସମୟରେ ଗଲେ ଆକ୍ସନ ନିଆଯିବ । ରଥ ଉପରକୁ ଛଦ୍ମବେଶୀ ଚଢିଲେ ହେବ ଫୌଜଦାରି ମୋକଦ୍ଦମା । ସ୍ନାନ ପୂର୍ଣ୍ଣିମାରେ ଭକ୍ତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁବା ଘଟଣାରେ ଚାଲିଛି ତଦନ୍ତ । ଭିଡିଓ ଫୁଟେଜର ଯାଞ୍ଚ୍ ପରେ ହେବ ଆକ୍ସନ ୨୮ ଜୁନ ଠାରୁ ୬ ଜୁଲାଇ ମଧ୍ୟରେ ସମସ୍ତ ସଂରକ୍ଷଣ କାର୍ଯ୍ୟ ଶେଷ କରିବାକୁ ଏଏସଆଇ କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ରହିବ ମ୍ୟାଟେରିଆଲ । ରଥଯାତ୍ରା ସମୟରେ ହେବ ମରାମତି କାର୍ଯ୍ୟ । ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ଓ ପାର୍ଶ୍ଵ ଦେବାଦେବୀ ମନ୍ଦିରରେ ହେବ ଆଲୋକିକରଣ । ବୈଷୟିକ ସଂସ୍ଥା ଦେଇସାରିଛନ୍ତି ପ୍ରେଜେଣ୍ଟେସନ୍ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ଭସାଡ ଲାଇଟ୍ ଆହୁରି ସୁଦୃଢ଼ୀକରଣ ହେବ । ଶ୍ରୀଗୁଣ୍ଡିଚା ମନ୍ଦିରରେ ସରିଛି ବାହାର ସୋନ୍ଦର୍ଯ୍ୟକରଣ କାମ । ନୂଆ ଏକ ସୂଚନା କେନ୍ଦ୍ର ଯୋଡ଼ି ହେବାସହ ସିଂହଦ୍ୱାର ଓ ନାକଚଣା ଦ୍ଵାରରେ ହୋଇଛି ସୌନ୍ଦର୍ଯ୍ୟକରଣ । ଭକ୍ତଙ୍କୁ ଶ୍ରୀମନ୍ଦିର ନୀତିକାନ୍ତି ବିଷୟରେ ସୂଚନା ଦେବାକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୂଆକରି ଲାଗିଛି ଏଲଇଡି । ସେପଟେ ଦିବ୍ୟାଙ୍ଗ ଦର୍ଶନକୁ ବ୍ୟବସ୍ଥିତ କରିବାକୁ ଉତ୍ତରଦ୍ଵାରରେ ସରିଛି ରାମ୍ପ । ସେବା ସଂପୃକ୍ତ ନିଯୋଗ ସହ ଆଲୋଚନା ଓ ପରାମର୍ଶ ପରେ ଲାଗୁ ହେବ ବ୍ୟବସ୍ଥା । ଦିବ୍ୟାଙ୍ଗ ଦର୍ଶନ ସମୟରେ ଯେପରି ପରମ୍ପରା ନ ଭାଙ୍ଗେ ସେନେଇ ବ୍ୟବସ୍ଥା ହେବ । ଆବଶ୍ୟକ ପଡିଲେ ନିୟୋଜିତ ହେବେ ଅଧିକରୁ ଅଧିକ ସ୍ବେଛାସେବୀ ।

ଶ୍ରୀମନ୍ଦିର ନାଟମଣ୍ଡପରେ ଖୁବ୍ ଶୀଘ୍ର ଏସି ବ୍ୟବସ୍ଥା ଲାଗୁ କରିବାକୁ ଏଏସଆଇର ଅନୁମତି ଲୋଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ସୁନାବେଶରେ ଶ୍ରୀ ପୟର, ଶ୍ରୀ ଭୁଜକୁ ଭକ୍ତଙ୍କ ଦର୍ଶନ ପାଇଁ ଅବରୋଧ ନକରିବାକୁ ସେବକଙ୍କୁ ପରାମର୍ଶ ଦିଆଯାଇଛି ।

 

Comments are closed.