Latest Odisha News

BREAKING NEWS

ପ୍ରଥମ ଥର ଓଡିଶାରେ ଆୟୋଜିତ ହେବ ମିଲେଟ୍ ସମ୍ମିଳନୀ

ଭୁବନେଶ୍ୱର: ମିଲେଟ ବା ମାଣ୍ଡିଆ ଯାହାର ଏବେ ଲୋକପ୍ରିୟିତା ବେଶ ବୃଦ୍ଧି ପାଇବାରେ ଲାଗିଛି । ଦିନ ଥିଲା ମାଣ୍ଡିଆ କେବଳ ଗରିବଙ୍କ ଖାଦ୍ୟ ଭାବେ ଜଣାଯାଉଥିଲା । ହେଲେ ଏହା ଏବେ ଧନୀଙ୍କ ଖାଦ୍ୟ ହୋଇଯାଇଛି । ଆଜିକାଲି ମାଣ୍ଡିଆ ବିଭିନ୍ନ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଷ୍ଟୋର୍‌ଗୁଡିକରେ ମିଳୁଛି । ମାଣ୍ତିଆରେ ଏମିତି ଅନେକ ପ୍ରୋଟିନ ଭିଟାମିନ ପ୍ରଚୁର ମାତ୍ରାରେ ରହିଛି ଯାହା ମାନବର ପୋଷଣ ପାଇଁ ଅତ୍ୟନ୍ତ ଜରୁରୀ । ଯାହାର ଗୁରୁତ୍ବକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଯାଉଛି ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ।

ଏହି ସମ୍ମିଳନୀ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏନେଇ କୃଷି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆସନ୍ତା ୯ ଓ ୧୦ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ତଥା ବିଦେଶର ଅନେକ ହିତାଧିକାରୀ ଭାଗନେବେ ବୋଲି ସୂଚନା ରହିଛି ।

ତେବେ ମିଲେଟର ଉପଯୋଗ ଏବଂ ଏହାର ଆବଶ୍ୟକତାକୁ ନେଇ ସମସ୍ତଙ୍କୁ ସଚେତନ କରାଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଜଳବାୟୁ ପରିବର୍ତ୍ତନ ହେବା ସମୟରେ ମିଲେଟ୍ କିପରି ବରଦାନ ସାଜିଛି ଏବଂ ଏହା କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ ବିଷୟରେ ଏହି ସମ୍ମିଳନୀରେ ଆଲୋଚନା ହେବ ।

ତେବେ ଦେଶରେ କେବଳ ଓଡିଶା ହିଁ ଏକମାତ୍ର ଏପରି ରାଜ୍ୟ ଯେଉଁଠି ନଭେମ୍ବର ୧୦ ତାରିଖ କୁ ମାଣ୍ତିଆ ଦିବସ ପାଳନ କରାଯାଉଛି ।

Leave A Reply

Your email address will not be published.