Latest Odisha News

ଖଣିଜ ସମ୍ପଦ ଓଡ଼ିଶାର ରତ୍ନଭଣ୍ଡାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… 

ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ, ଚାଇନା, ଜାପାନ, ଆମେରିକା । ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ । ଆମେ ସେଇ ହତଭାଗା ଓଡିଆ – ଆମ ରାଜ୍ୟରୁ କ୍ରୋମାଇଟ୍ ଲୁହାପଥର ଚୀନ୍‌, ଜାପାନ, ଆମେରିକା ପ୍ରଭୃତି ଦେଶକୁ ଏକ୍ସପୋର୍ଟ କରୁଛୁ । ଚୀନ୍ ଦେଶରେ ଆମ ଭାରତଠାରୁ ଅଧିକ ଲୁହାପଥର ଅଛି, କିନ୍ତୁ ଚାଇନା ତା’ର ଉତ୍ତର ପୀଢ଼ିଙ୍କ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ଲୁହାପଥର ସାଇତି ରଖୁଛି । ଆମ ଦେଶ ବିଶେଷ କରି ଓଡିଶାରୁ ଲୁହାପଥର, କ୍ରୋମାଇଟ୍ ଚଢା ଦାମ ଦେଇ ବୋହି ନେଉଛି । ଚାଇନାର ଉତ୍ପାଦିତ ଦ୍ରବ୍ୟ ସାରା
ବିଶ୍ୱରେ ଛାଇ ହେଇଗଲାଣି । ବିଶ୍ୱର ଦ୍ୱିତୀୟ ଧନୀ ଦେଶ ଭାବେ ପରିଗଣିତ ହେଲାଣି । ଜାପାନ ମଧ୍ୟ ଆମ କ୍ରୋମାଇଟ୍‌ରୁ ଉତ୍ପାଦିତ ଦ୍ରବ୍ୟରେ ବିଶ୍ୱ ବଜାର ଦଖଲ କରିସାରିଛି । ଆମେରିକା ଆମ କ୍ରୋମାଇଟ୍ ଲୁହାପଥରରେ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରି ଆମକୁ ବିକ୍ରି କରୁଛି ।

କମାରଶାଳଠାରୁ ଆରମ୍ଭ କରି ଇସ୍ପାତ କାରଖାନା ଆଲିପିନ୍‌ଠାରୁ ଆରମ୍ଭ କରି ଉଡାଜାହାଜ ପର୍ଯ୍ୟନ୍ତ ସବୁଠି ଲୁହାପଥର, କ୍ରୋମ୍‌ପଥର, କୋଇଲା ଆବଶ୍ୟକ । ଇସ୍ପାତ ଦେଶ ତଥା ବିଶ୍ୱର ଅଗ୍ରଗତିରେ ବିଶେଷ ସହାୟକ ହୋଇପଡିଥାଏ । ଖଣିରୁ ଲୁହାପଥର ଖୋଳି ଷ୍ଟିଲପ୍ଲାଣ୍ଟ ରେ ତରଳାଇ ଲୌହପିଣ୍ଡରୁ ବିଭିନ୍ନ ପ୍ରକାର ଯନ୍ତ୍ରପାତିଠାରୁ ଆରମ୍ଭ କରି ସଭ୍ୟତାର ଅଗ୍ରଗତି ପାଇଁ ଏକାନ୍ତ ଆବଶ୍ୟକ ।

ଯେଉଁମାନେ ଷ୍ଟିଲପ୍ଲାଣ୍ଟ କରିବାକୁ ଯାଉଛନ୍ତି – ସେମାନଙ୍କର ନଜର ରହିଛି କ୍ୟାପ୍‌ଟିଭ ଖଣି ଉପରେ । ସେମାନେ ଖଣିଲିଜ୍ ନେଇ କଞ୍ଚାମାଲ ବ୍ୟବହାର କରିବେ । କେନ୍ଦ୍ର ସରକାର ବହୁଦିନୁ ଆଇନ୍ କରିଛନ୍ତି- ଯେଉଁମାନେ କାରଖାନା କରିବେ ବା କରିଛନ୍ତି- ସେମାନଙ୍କୁ ଖଣି ଲିଜ୍ ଦିଆଯିବ ଏବଂ କାରଖାନାରେ ଯେତିକି କଂଚାମାଲ ପ୍ରୟୋଜନ ସେତିକି ବ୍ୟବହାର କରିବେ ବାକି ଖୋଳାଯାଇଥିବା କଞ୍ଚାମାଲକୁ ସରକାରଙ୍କ ପାଖରେ ଜମାଦେବେ । ରତ୍ପାନୀ କରିପାରିବେ ନାହିଁ । ଏ ଆଇନକୁ ପ୍ରାୟ କେହି ମାନୁନାହାଁନ୍ତି ।

ଆମ ଦେଶରେ ମୂଲ୍ୟଯୁକ୍ତ ଖଣିଜପଦାର୍ଥ ଯୋଗାଣ ଏପର୍ଯ୍ୟନ୍ତ ହୋଇପାରିନି । ବିଶେଷକରି ମୋଜାମ୍ବକରୁ, ବଲଭିଆ, ଗୁଇଁନା, ଦକ୍ଷିଣ ଆଫ୍ରିକା ଦେଶମାନେ ଖଣିଜ ପଦାର୍ଥ ମୂଲ୍ୟଯୁକ୍ତ କରିବାରୁ ଆମଦାନୀ କରିବା ସମ୍ଭବ ହେଉନି । ସବୁଠୁ ବଡ ଆଶ୍ଚର୍ଯ୍ୟର ବିଷୟ- ଆମ ଦେଶରେ ଗଢିଉଠୁଥିବା ଇସ୍ପାତ ଶିଳ୍ପକୁ ଆମେ କଞ୍ଚାମାଲ ଯୋଗାଇ ପାରୁନୁ, ଏଣେ ଲକ୍ଷ ଲକ୍ଷ ଟନ୍ ଲୌହପଥର, କ୍ରୋମାଇଟ୍ ଚୀନକୁ ରତ୍ପାନୀ କରିଦେଉଛେ । ଚୀନ୍‌ରେ ଏକଦଳୀୟ ଶାସନ ଯୋଗୁ ଇସ୍ପାତଶିଳ୍ପରେ ଚଟାପଟ
ଉତ୍ପାଦନ ଆରମ୍ଭ କରି ସମଗ୍ର ବିଶ୍ୱବଜାରରେ ଶସ୍ତା ସାମଗ୍ରୀ ଯୋଗାଇଦେଇ ପ୍ରଚୁର ଲାଭ କରୁଛନ୍ତି । ଯାହାଫଳରେ ଭାରତ ଇସ୍ପାତ ଶିଳ୍ପରେ ଚୀନ୍ ସହ ପ୍ରତିଯୋଗିତା କରିପାରୁନି ।

ସମଗ୍ର ବିଶ୍ୱରେ ବଜାରବିପ୍ଲବ ଦ୍ରୁତଗତିରେ ବଢିଚାଲିଛି । ଇସ୍ପାତଶିଳ୍ପରେ ପୁଞ୍ଜି ଓ କଞ୍ଚାମାଲ ଆବଶ୍ୟକ । ଶିଳ୍ପପତିମାନେ ପୁଞ୍ଜି ସଂଗ୍ରହ କରିପାରୁଛନ୍ତି, କିନ୍ତୁ ଶସ୍ତାରେ କଞ୍ଚାମାଲ ଖୋଜୁଛନ୍ତି- ପାଉନାହାଁନ୍ତି ଯାହାକି ପ୍ରଚୁର ଲାଭର ମୋହ ଛାହି ପାରୁନାହାଁନ୍ତି । ଏଣେ ସରକାରୀ କଳକୁ ହାତକରି ଖଣି ଆପଣେଇବା ପାଇଁ ଲାଗିପଡିଛନ୍ତି । ଅତିକମ୍‌ରେ ୧ ମିଲିୟନ୍ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ୫ ହଜାରରୁ ୬ ହଜାର କୋଟି ଟଙ୍କା ଆବଶ୍ୟକ ପୁଣି ଗୋଟିଏ ଟନ୍‌ ଇସ୍ପାତ ପ୍ରସ୍ତୁତ ପାଇଁ ୩ରୁ ସାଢେ ୩ ଟନ୍ କଞ୍ଚାମାଲ ଆବଶ୍ୟକ ।

ଇସ୍ପାତ କମ୍ପାନୀମାନେ ଲାଭ ଉଦ୍ଦେଶ୍ୟରେ ହିଁ କାରଖାନା କରିଥାନ୍ତି । ଯେଉଁଠି ଲାଭ ନାହିଁ ସେମାନେ ପଛଘୁଞ୍ଚା ଦିଅନ୍ତି । ଦେଶର ସ୍ୱାର୍ଥ ପାଇଁ ଇସ୍ପାତ ପ୍ରୟୋଜନ- ଏ ଧାରଣା କୌଣସି ଶିଳ୍ପପତି ରଖିନାହାଁନ୍ତି । ଇସ୍ପାତ ଚାହିଦା ବୃଦ୍ଧିଯୋଗୁ ଆମ ଦେଶର ଓଡିଶା, ଝାଡଖଣ୍ଡ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ଷ୍ଟିଲପ୍ଲାଣ୍ଟ ପାଇଁ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ବୁଝାମଣା କରିଛନ୍ତି । କିନ୍ତୁ ପରିବେଶ ଓ ଜଙ୍ଗଲ ବିଭାଗର ଅଙ୍କୁଶ, ଜମି ଅଧିଗ୍ରହଣ, ଖଣିିଲିଜ୍‌କୁ ସହଜରେ ସରକାର ସହଯୋଗ ଦେବାପାଇଁ ପ୍ରତିଶ୍ରୁତି ଦେଲେ ମଧ୍ୟ ଜନଗଣଙ୍କ ପ୍ରବଳ ବିରୋଧ ଯୋଗୁ ବହୁ ପ୍ରକଳ୍ପ ବିଳମ୍ବ ହେଉଛି ।

କର୍ଣ୍ଣାଟକ, ଗୋଆ, ଓଡିଶାରେ ନାହିଁ ନଥିବା ଖଣିଚୋରୀ ଯୋଗୁ ବହୁ ଖଣିକୁ ବନ୍ଦ କରିଦିଆଯାଇଛି । ଦେଶର ପ୍ରାକୃତିକ ସମ୍ପଦକୁ ଖୋଲାଖୋଲି ଭାବେ ଅସାଧୁ କର୍ମଚାରୀ, ରାଜନେତା, ଶିଳ୍ପପତି, ମାଫିଆ ଗୋଷ୍ଠୀ ଲୁଟ୍‌କରି ବ୍ୟକ୍ତିଗତ ସମ୍ପତିକୁ
ଆକାଶଛୁଆଁ ଅବସ୍ଥାରେ ପହଞ୍ଚାଇ ଦେଇଛନ୍ତି । ଏମାନଙ୍କ ବିରୋଧରେ ରାଜ୍ୟ କି କେନ୍ଦ୍ର ସରକାର କୌଣସି ଦଣ୍ଡ ବ୍ୟବସ୍ଥା କରିପାରୁନାହାଁନ୍ତି । କାରଣ ସରକାରୀ କଳ ଏହି ବେଆଇନ୍ କାରବାରରେ ଲିପ୍ତ ଅଛନ୍ତି । ଯଦି ସବୁ ଖଣିଚୋରଙ୍କ ସମ୍ପତିକୁ ବ୍ୟାଜ୍ୟାପ୍ତ କରି ରାଜକୋଷକୁ ଅଣାଯାଆନ୍ତା, ତା’ହେଲେ ଆଖିଦୃଶିଆ ଦଣ୍ଡ ପାଇଁ ‘ବିରିମାଡ ଦେଖି କୋଳଥ ଚେପା’ ହୋଇଯାଆନ୍ତେ । ଖଣିବନ୍ଦ ଯୋଗୁ ଇସ୍ପାତଶିଳ୍ପ ସଙ୍କଟରେ ପଡିଯାଇଛନ୍ତି। କଞ୍ଚାମାଲ ଅଭାବରୁ ଇସ୍ପାତ ଜଡିତ ବହୁ ଛୋଟ ବଡ ପ୍ଲାଣ୍ଟରେ ଧୁଆଁ ବାହାରୁନି । ଏବେ ଅନିଶ୍ଚିତ ମଧ୍ୟରେ ଇସ୍ପାତ ଶିଳ୍ପ । ଶିଳ୍ପପତିମାନଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବଡ ବ୍ୟଗ୍ର । କାରଣ ବିଦେଶୀ ମୁଦ୍ର ମିଳିବ । ଚାକିରି ମିଳିବ । ସହଯୋଗୀ ସଂସ୍ଥା ଗଢି ଉଠିବ । ଏ ସବୁ ଠିକ କଥା; କିନ୍ତୁ ଅସଲ କଥା ହେଉଛି- କେତେଜଣ ଘରୋଇ ଶିଳ୍ପପତି ଦେଶରେ ଜଳ ଜମି ଜଙ୍ଗଲ ଖଣି ଏବଂ ଶ୍ରମ ଶକ୍ତି ଶସ୍ତାରେ ହାତେଇ ନେବେ, ୟାଡେ କୋଟି କୋଟି ଜନଗଣ ଭୋକଉପାସରେ ଛଟପଟ ହେବେ । ଏହା ବିକାଶ ବଦଳରେ ବିନାଶରେ ପରିଣତ ହେବ । ଶିଳ୍ପ ପ୍ରୟୋଜନ, କାହାର ବିରୋଧ ନାହିଁ । ଅପାରଗ ସରକାର ନିଜେ ଶିଳ୍ପ କରିପାରୁନି-ଘରୋଇ ଶିଳ୍ପପତିକୁ ଡାକି ଆଣୁଛି । ସେମାନେ ମୂଲ୍ୟଯୁକ୍ତ କାରଖାନା କରନ୍ତୁ, କଞ୍ଚାମାଲ, ପାଣି, ବିଜୁଳି କିଣନ୍ତୁ । ରାଜକୋଷ ଭର୍ତି ହେଲେ ଲୋକଙ୍କ ସ୍ୱାର୍ଥ ପାଇଁ ଖର୍ଚ୍ଚ ହେବ । ଅବଶ୍ୟ ଶିଳ୍ପପତିଙ୍କ ଲାଭ ବେଶୀ ହେବନି । ଖାଳି ଲାଭ ଓ ଲୋଭ ପାଇଁ କାରଖାନା ହେଲେ ଲୋକେ ବିରୋଧ କରିବାକୁ ବାଧ୍ୟ ହେଉଛନ୍ତି ।

ଯେଉଁ କ୍ରୋମାଇଟ୍ ବିଶ୍ୱର ମହା ମହା ମାରାଣାସ୍ତ୍ର ତିଆରି କରିବାରେ ମୁଖ୍ୟ ବ୍ରହ୍ମବୀଜ – ଯାହାକୁ ନେଇ ବଜ୍ର । ଏସିଆ ମହାଦେଶରେ ୯୮ ଭାଗ କ୍ରୋମାଇଟ୍ କେବଳ ଆମ ରାଜ୍ୟ ସୁକିନ୍ଦାରେ କାହିଁ କେଉଁ କାଳରୁ ପ୍ରକୃତି ସାଇତି ରଖିଛି । ଏ କ୍ରୋମାଇଟ୍ ହେଉଛି – କଳିକାଳର ଦଧିଚି ହାଡ – ଯାହାକୁ ନେଇ ଆଟମ୍ ବମ୍‌, ହାଇଡ୍ରୋଜେନ୍ ବମ୍‌ଠାରୁ ଆରମ୍ଭ କରି ସାଇକେଲ ବଲବ୍ ବେରିଙ୍ଗ୍ ପର୍ଯ୍ୟନ୍ତ ପ୍ରସ୍ତୁତି ହୁଏ, ଏହାକୁ ଇସ୍ପାତ ସହିତ ମିଶ୍ରଣ କରାଯାଇ କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ କରାଯାଏ ।

ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖ ଦର୍ପଣରେ ଏବେ ସୁକିନ୍ଦା । ଏସୀୟ ରାଷ୍ଟ୍ର ଚୀନ୍ ଓ ଜାପାନ ଚାଟି ନେଇ ସାରିଲେଣି ସୁକିନ୍ଦା କ୍ରୋମାଇଟ୍‌ର ବହୁଳାଂଶ । ଏବେ ଆମେରିକା ଏ ସୁକିନ୍ଦା କ୍ରୋମାଇଟ୍‌ର ସ୍ୱାଦ ଚାଖି ସାରିବା ପରେ ବିସ୍ତାର କରିଛି ତା’ର ଆସୁରିକ ଆଁ ।

ଖଣିଜ ସମ୍ପଦ ପ୍ରକୃତରେ ଜାତୀୟ ସମ୍ପତି – ଏହି ଜାତୀୟ ସମ୍ପତିକୁ କେଉଁ ନ୍ୟାୟରେ ବଣ୍ଟାକୁ ବଣ୍ଟା କରି ଲିଜ୍ ମାଧ୍ୟମରେ ହେଉ କି ସୁପାରିଶ୍ ଜରିଆରେ ହେଉ, ବ୍ୟକ୍ତି ସମ୍ପତିରେ ପରିଣତ କରିବାରେ ବୀଭତ୍ସ ପ୍ରକ୍ରିୟା ଆଜି ତାରିଖ ସୁଦ୍ଧା କାଏମ ରହିଛି କିପରି ?

ଏବେ ଏକ ଗୋପନୀୟ ତଥ୍ୟ ପ୍ରଘଟ ହୋଇଛି- ସୁକିନ୍ଦା ଖଣି ଉପରେ ଆତଙ୍କବାଦୀ ହାମଲା ହେଲେ ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ଏହି ତଥ୍ୟ ଜଣାପଡିଲା ପରେ ସମଗ୍ର ବିଶ୍ୱର ଆଖି ସୁକିନ୍ଦା ଉପରେ । ଆମେରିକା, ଚୀନ୍‌, ଜାପାନ, ଦକ୍ଷିଣ କୋରିଆ ପ୍ରମୁଖ ୨୫ଟି ଦେଶ ସୁକିନ୍ଦା କ୍ରୋମାଇଟ୍ କିଣୁଛନ୍ତି । ବିଶେଷକରି ଦିଲ୍ଲୀ, ଭୁବନେଶ୍ୱରଠାରୁ ଆରମ୍ଭ କରି ସୁକିନ୍ଦା ଖଣି ଅଞ୍ଚଳରେ ଆମେରିକା ଏଜେଣ୍ଟ ଘୁରି ବୁଲୁଛନ୍ତି । ସରକାରୀ କଳକୁ ହାତ କରି ୪୦ ଭାଗ କ୍ରୋମାଇଟ୍ ଚୋରାରେ ନେଇଯାଉଛନ୍ତି ।

ଖଣିଚୋରୀ ଦୁର୍ନୀତିର ମହାସମୁଦ୍ରରୁ ମାତ୍ର ଆଞ୍ଜୁଳାଏ ଦେଖାଉଛି । ସୁକିନ୍ଦା କ୍ରୋମ୍ ଜୋନ୍‌ରେ ୯ଟି ଖଣି ଲିଜ୍‌ଧାରୀଙ୍କର ୨୩ଟି କ୍ରୋମାଇଟ୍ ଖଣି ଅଛି । ପ୍ରତିବର୍ଷ ୪୫ ଲକ୍ଷ ଟନ୍ କ୍ରୋମାଇଟ୍ ଉତ୍ପାଦନ ହେଉଛି । ୨୫ ଲକ୍ଷ ଟନ୍ ବିଦେଶକୁ ରତ୍ପାନୀ ହେଉଛି ବାକି ୨୦ ଲକ୍ଷ ଟନ୍ ଦେଶ ଭିତରେ ବିକ୍ରି କରାଯାଉଛି । ଗୋଟିଏ ଟନ୍‌ କ୍ରୋମାଇଟ୍ ଉତୋଳନ ପାଇଁ ଅତି ବେଶିରେ ହଜାରେ ଟଙ୍କା ଖର୍ଚ୍ଚ ହେବ । ଖଣି ପାଖରେ ବିକ୍ରି ହେଉଛି ବିଭିନ୍ନ ଗ୍ରେଡ୍‌ର ୧୦ ହଜାରରୁ ୩୨ ହଜାର ଟଙ୍କା । ଜାଣନ୍ତୁ ଗୋଟିଏ ଟନ୍ କ୍ରୋମାଇଟ୍‌ରେ ଲାଭ କେତେ ? ଏ ଲାଭ କିଏ ଖାଉଛି ? ପୁଣି ଅବାଧ ଚୋରି ଚାଲିଛି । ଏ ଚୋରିରେ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ରାଜନେତା, ଅଫିସର, ଖଣି ମାଫିଆ ଏପରିକି ଆନ୍ତର୍ଜାତୀୟ ଖଣି ମାଫିଆ ସମ୍ପୃକ୍ତ ଅଛନ୍ତି । ଏ ଖଣି ଚୋରି ଟଙ୍କାରେ ରାଜ୍ୟରେ କ୍ଷମତା ଦଖଲ କରାଯାଉଛି ।

ସୁକିନ୍ଦାରେ ନୀଳାଚଳ ଇସ୍ପାତ କାରଖାନା ପ୍ରତିଷ୍ଠା ବେଳେ ସେ ସ୍ଥାନରୁ କ୍ରୋମାଇଟ୍‌, କିରୋସିନି ବାହାରି ଥିବାରୁ ଶ୍ରମିକମାନେ କହିଲେ ମୁଁ ଅଭିଯୋଗ କଲି । ନୀଳାଚଳ ଷ୍ଟିଲ ପ୍ଲାଂଟ୍‌କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ କିନ୍ତୁ କେହି ଶୁଣିଲେ ନାହିଁ । ୧୯୯୦ ମସିହାରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ମୋତେ ଡକାଇ ପଠାଇଲେ । ପଚାରିଲେ – ମାୟାଧର! ଓଡ଼ିଶା ରାଜକୋଷ ଖାଲି । ଟଙ୍କା କୁଆଡୁ ଆସିବ? ମୁଁ କହିଥିଲି ଟଙ୍କା ଓଡ଼ିଶାର ମାଟି ତଳେ ପୋତା ହୋଇଛି । ଖୋଳନ୍ତୁ ବସ୍ତା ବସ୍ତ ଟଙ୍କା ପାଇବେ । ସେ ଆଶ୍ଚର୍ଯ୍ୟହୋଇ ଚାହିଁଲେ । ମୁଁ କହିଲି ଓଡ଼ିଶାରେ ଯେତେ ଖଣିଜ ସମ୍ପଦ ଅଛି – ସବୁ ଖଣି ଲିଜ୍ ବାତିଲ କରନ୍ତୁ – ନୋ କ୍ୟପଟିଭ୍ ମାଇନସ୍‌, ନୋ ଏକ୍ସପୋର୍ଟ । ସବୁ ଖଣିଜ ସମ୍ପଦକୁ ସରକାର ନିଜ ଅଧିନରେ ରଖି ଉତ୍ତୋଳନ କରି ବଜାର ଦରରେ ମୂଲ୍ୟଯୁକ୍ତ କରାଯାଇ ବିକ୍ରି କରନ୍ତୁ – ଓଡ଼ିଶା ଟଙ୍କାରେ ପୋତି ହୋଇଯିବ । ସେ ମୁଣ୍ଡ ଟୁଙ୍ଗାରିଲେ । କିନ୍ତୁ କାର୍ଯ୍ୟକାରୀ କରିବା ପୂର୍ବରୁ ସ୍ୱର୍ଗଦ୍ୱାରକୁ ଚାଲିଗଲେ ।

ଓଡ଼ିଶାର କେବଳ ସୁକିନ୍ଦା କ୍ରୋମାଇଟରୁ ଭାଗେ ଶୁଣିଲେ । ବାକି ୯୯ ଭାଗ ଅଦୃଶ୍ୟ ଘଟଣା, ଚୋରି, ଦୁର୍ନୀତି, ମାଫିଆ ରାଜର ସବୁ ଖବର ଅଛି । କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ ଜିଲ୍ଲାର ଲୁହାପଥରର ପାହାଡ ଲୁଟ୍ ଚାଲିଛି । ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର କୋଇଲା ବିଶ୍ୱବିଖ୍ୟାତ । କଳାହାଣ୍ଡି ନୂଆପଡା, ବଲାଙ୍ଗୀର ପ୍ରମୁଖ ଜିଲ୍ଲାର ଜେମ୍‌ସ ଷ୍ଟୋନ୍‌, ହୀରା, ମୋତି, ମାଣିକ, ସୁନା ପଥର ଲକ୍ଷଲକ୍ଷ କୋଟି ଟଙ୍କାରେ ଗଚ୍ଛିତ ଅଛି । କୋରାପୁଟ, ରାୟଗଡା, କଳାହାଣ୍ଡି ଜିଲ୍ଲାର ବକ୍‌ସାଇଟ୍ ଖୁନ୍ଦି ହୋଇ ରହିଛି । ମାଙ୍ଗାନିଜ୍ ଠାରୁ ଆରମ୍ଭ କରି ଚାଇନା କ୍ଲେ ପର୍ଯ୍ୟନ୍ତ ୩୨ ପ୍ରକାର ଖଣିଜ ସମ୍ପଦରୁ ୪୧ ପ୍ରକାରକୁ ଉଠିଲାଣି । ସବୁ ଖଣିଜ ସମ୍ପଦଓଡ଼ିଶା ମାଟିରେ । ଶାସନକଳ ସହାୟତାରେ ସବୁ ଲୁଟ୍ ପାଟ ଚାଲିଛି । କେବଳ ଖଣିଜ ସମ୍ପଦକୁ କରାୟତ କରିପାରିଲେ ଓଡ଼ିଶା ଭାରତରେ ଏକନମ୍ବର ଧନୀ ରାଜ୍ୟରେ ପରିଣତ ହେବ । ଯଥାର୍ଥରେ ଓଡିଶାର ରତ୍ନଭଣ୍ଡାର ଖଣିଜ ସମ୍ପଦ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Comments are closed.