Latest Odisha News

BREAKING NEWS

ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହିରେ ଗୁରୁତର ତୃଟି ,ବଜ୍ରକାପ୍ତାକୁ ନେଇ ବଢୁଛି ବିବାଦ

ଭୁବନେଶ୍ୱର : ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହିରେ ଗୁରୁତର ତୃଟି ଦେଖିବାକୁ ମିଳିଛି । ବଜ୍ରକାପ୍ତା କାତିର ଵ୍ୟଵହାରକୁ ପ୍ରୋତ୍ସାହନ ଦିଆଯାଇଛି । ସାରା ପୃଥିବୀରେ ଜୀବନ୍ତ ବଜ୍ରକାପ୍ତା ଓ ଏହାର କାତି ର ଚୋରା ଚାଲାଣ ରୋକିବା ପାଇଁ କଡାକଡି ଭାବରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଭାରତରେ ମଧ୍ୟ ବଜ୍ରକାପ୍ତା କୁ ଭାରତୀୟ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ସବୁଠାରୁ ଅଧିକ ସୁରକ୍ଷା ମଧ୍ୟ ଦିଆଯାଇଛି । ହେଲେ ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହି ରେ ବଜ୍ରକାପ୍ତା କାତି ର ବ୍ୟବହାର ତଥା ଏହାର ଔଷଧୀୟ ଗୁଣ କଥା ପିଲାମାନଙ୍କୁ ଭୁଲ୍ ପାଠ ପଢ଼ାଯାଉଛି।

ଗଣଶିକ୍ଷା ବିଭାଗ ତରଫରୁ ଚତୁର୍ଥ ଶ୍ରେଣୀ ପାଠ୍ୟ ପୁସ୍ତକ “ଆମେ ଓ ଆମ ପରିବେଶ” ରେ ୧୪୬ ନମ୍ବର ପୃଷ୍ଠାରେ ବଜ୍ରକାପ୍ତା କୁ ନେଇ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି ।  ଫଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ଏହି ଭୁଲ ତଥ୍ୟ କୁ ପିଲା ମାନଙ୍କୁ ପଢେଇବା ପାଇଁ ବାଧ୍ୟ ହେଉଛନ୍ତି । ବହିରେ ଏକ ଟେବୁଲ କରି ପ୍ରାଣୀ ମାନଙ୍କର ନାମ ଏବଂ ସେଥିରୁ ଲୋକେ କଣ ସବୁ ପାଉଛନ୍ତି ତାହା ଦିଆଯାଇଛି । ଏଥିରେ ଲେଖା ହୋଇଛି କି ବଜ୍ରକାପ୍ତା ରୁ କାତି ମିଳି ଥାଏ ଯେଉଁଥିରୁ ମୁଦି ତିଆରି ହୁଏ, ଏବଂ ଏଥିରେ ଔଷଧୀୟ ଗୁଣ ଅଛି ।

ସୂଚନା ଅନୁସାରେ ଆଜି ପିପିଲି ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଖୋର୍ଦ୍ଧ ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱବାଧାରକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ଫୋନ କରି ନିକଟରେ ଜୟିସିପାଟଣା ଅଞ୍ଚଳରେ ବଜ୍ରକାପ୍ତା କାତି କୁ ନେଇ ଗିରଫଦାରୀ ବିଷୟରେ ପ୍ରଶ୍ନ କରିବା ସହିତ ବଜ୍ରକାପ୍ତା କାତିର ବ୍ୟବହାର ବିଷୟରେ ପଚାରିଥିଲେ । ଶୁଭେନ୍ଦୁ ତାଙ୍କୁ ବନ୍ୟ ପ୍ରାଣୀ ଆଇନ ବିଷୟରେ ବୁଝାଇବା ସହିତ ଏହି କାତି ର କୌଣସି ଔଷଧୀୟ ଗୁଣ ନଥିବା କହିବା ପରେ, ଶିକ୍ଷୟିତ୍ରୀ ଜଣକ ସ୍କୁଲ ରେ ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହି ରେ ବଜ୍ରକାପ୍ତା କାତି ର ବ୍ୟବହାର ତଥା ଏହାର ଔଷଧୀୟ ଗୁଣ କଥା ସେମାନେ ପିଲାମାନଙ୍କୁ ପଢ଼ାଉଥିବା କଥା କହିଥିଲେ ।

ଶୁଭେନ୍ଦୁ  ସେହି ପୃଷ୍ଠା ର ଫୋଟୋ ପଠେଇବା ପାଇଁ କହିଥିଲେ । ଶିକ୍ଷୟିତ୍ରୀ ଜଣଙ୍କ ବହିଟିର ୧୪୬ ନମ୍ବର ପୃଷ୍ଠା ର ଫୋଟୋ ପଠେଇବା ପରେ ଶୁଭେନ୍ଦୁ ଆଚମ୍ବିତ ହୋଇଥିଲେ । କୋମଳମତି ପିଲାମାନଙ୍କୁ ମନରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା ବଦଳରେ ପ୍ରକୃତରେ ସେହି ବହିରେ ଅନ୍ଧବିଶ୍ୱାସର ପ୍ରଚାର କରାଯାଉଛି ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ରାଜ୍ୟ ସରକାର ଯେତେଶୀଘ୍ର ସମ୍ଭବ ଏହି ଗୁରୁତର ତ୍ରୁଟି କୁ ସଂଶୋଧନ କରି ନୂଆ ପୁସ୍ତକ ପିଲାମାନଙ୍କୁ ପଢିବା ପାଇଁ ଦେବେ ସେତେ ମଙ୍ଗଳ ହେବ ।

ଗତ କିଛି ବର୍ଷ ତଳେ ଏହି ଭଳି ସାପ କାମୁଡା ର ପ୍ରାଥମିକ ଚିକିତ୍ସା ବିଷୟରେ ପଞ୍ଚମ ଶ୍ରେଣୀ ବିଜ୍ଞାନ ବହିରେ ଭୁଲ ତଥ୍ୟ ଥିଲା, ଏବଂ ଯାହା ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ସରକାର ମାତ୍ର ଦୁଇ ମାସ ଭିତରେ ନୂଆ ବହି ସଂଶୋଧନ କରି ସ୍କୁଲ କୁ ପଠେଇବା ବ୍ୟବସ୍ଥା କରିଥିଲେ ।

Leave A Reply

Your email address will not be published.