Latest Odisha News

BREAKING NEWS

ନିଖୋଜ ବୃଦ୍ଧଙ୍କ ମିଳିଲା ମୃତଦେହ, ଅଙ୍ଗ ଚୋରି ଉଦ୍ଦେଶ୍ୟରେ ହତ୍ୟା ଅଭିଯୋଗ

ଭୁବନେଶ୍ଵର: ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ । କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଇଚ୍ଛାପୁର ନିକଟସ୍ଥ ଧାନ ବିଲରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ଓଲଟପୁର ପୁଲିସ । ମୃତକ ଜଣକ ହେଉଛନ୍ତି ୟୁନିଟ ୧ ଅଞ୍ଚଳର ୫୫ ବର୍ଷିୟ କେଳୁଚରଣ ରାଉତରାୟ । ଗତ ୮ଦିନ ହେବ ନିଖୋଜ ଥିଲେ କେଳୁଚରଣ ।

ସୂଚନା ଅନୁସାରେ, ଗତ ୧୨ ତାରିଖରେ କେଳୁଚରଣ ପୁରୁଣା ଭୁବନେଶ୍ୱରର ଏକ ଛକରେ ବସିଥିଲା ବେଳେ ହଠାତ୍ ବାନ୍ତି କରିବା ସହ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରୁ ତାଙ୍କର କୌଣସି ଅତ୍ତାପତ୍ତା ମିଳିନଥିଲା । ଡାକ୍ତରଖାନାରୁ ତାଙ୍କର କୌଣସି ଖୋଜ ଖବର ନପାଇବା ପରେ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ହେଲେ ପୋଲିସ ଏହାକୁ ଗୁରୁତର ସହକାରେ ନେଇନଥିଲା ।

ଗତକାଲି ଓଲଟପୁର ନିକଟ ଏକ ବିଲରୁ ତାଙ୍କର ମୃତଦେହ ମିଳିଛି । ମାତ୍ର ତାଙ୍କ ଶରୀରରୁ ଆଖି ଏବଂ କିଡନୀ କାଢ଼ି ନିଆଯାଇଥିବା ଅଭିଯୋଗ କରିଛନ୍ତି କେଳୁଚରଣଙ୍କ ଭାଇ । ମୃତଦେହକୁ ଚିହ୍ନଟ କରି ନ ପାରିବା ନିମନ୍ତେ ସେଥିରେ ଏସିଡ ପକାଯାଇଥିବା ମଧ୍ୟ ସେ କହିଛନ୍ତି ।

ତେବେ କେଳୁଚରଣ ସେଠାକୁ କିପରି ଗଲେ ତାକୁ ନେଇ ପ୍ରଶ୍ନ ଉଠିଛି । କେଳୁଚରଣ ୯ ତାରିଖ ଦିନ ୧୦୮ ଆମ୍ୱୁଲାନ୍ସ ଯୋଗେ ଯାଇଥିବା ଅଭିଯୋଗ ହୋଇଥିବାରୁ କ୍ୟାପିଟାଲ ଥାନା ପୁଲିସ ସିସିଟିଭି ଫୁଟେଜ ସମେତ କ୍ୟାପିଟାଲ ଡାକ୍ତରଖାନା ରେଜିଷ୍ଟର ଯାଞ୍ଚ କରି ତଦନ୍ତ କରୁଛି ।

Leave A Reply

Your email address will not be published.