Latest Odisha News

BREAKING NEWS

ନଭେମ୍ବର ୧ରୁ ଗହିରମଥାରେ ଆରମ୍ଭ ହେବ ମିଶନ ଅଲିଭ ରିଡ଼ଲେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେ କରି ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ର ର ନୀଳ ଜଳରାଶିକୁ ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି । ଏହି କଇଁଛ ମାନଙ୍କର ଆଗମନକୁ ଆଖି ଆଗରେ ରଖି ଗହୀରମଥାକୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଛନ୍ତି ।

ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ “ମିଶନ ଅଲିଭ ରିଡ଼ଲେ। ” ରାଜ୍ୟର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ପ୍ରଜନନ ପାଇଁ ଆସିବେ ନୂଆ ଅତିଥି ବିରଳ ଅଲିଭ ରିଡଲେ କଇଁଛ। ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତି ଚାଲିଛି। ଏବେ  ସେମାନଙ୍କ ଆଗମନକୁ ଅପେକ୍ଷା କରାଯାଇଛି। ନଭେମ୍ବର ପହିଲାରୁ ମେ’ ୩୧ ପର୍ଯ୍ୟନ୍ତ, ଦୀର୍ଘ ୭ ମାସ ଧରି ୧୪୩୭ ବର୍ଗକି.ମି ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଧାମରା ମୁହାଣରୁ ଦେବୀ ମୁହାଣ ୧୬୦ କି.ମି ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ବୋଟ୍‌ ଓ ଟ୍ରଲର୍‌ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ଚେତାଇ ଦିଆଯାଇଛି। ଏନେଇ ବନ ବିଭାଗର ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

କଇଁଛଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ ୧୬ ଏବଂ ଭଦ୍ରକ ଡିଭିଜନ ପକ୍ଷରୁ ୬ ଗୋଟି ଅସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଏବଂ ଅଗରନାଶି ଠାରେ ୨ ସ୍ଥାୟୀ କ୍ୟାମ୍ପ କରାଯାଇଛି।  ଏହି ବିରଳ ଅଲିଭ୍‌‌ରିଡ୍‌‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସ୍‌ ଓ ୧୪ଟି ସ୍ଥାନରେ କଇଁଛ ସୁରକ୍ଷା ଶିବିର ସ୍ଥାପନ କରାଯିବ। ଏହି ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍‌ ପୁଲିସ, ମତ୍ସ୍ୟ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରିବେ ବୋଲି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

 

 

Leave A Reply

Your email address will not be published.