Latest Odisha News

BREAKING NEWS

ମିଶନ ଶକ୍ତି ଋଣମେଳା:୧୨,୦୧୬ ଏସଏଚଜିଙ୍କୁ ୩୦୫.୭୦କୋଟି ଟଙ୍କାର ଋଣ ପ୍ରଦାନ

ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ଋଣମେଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମିଶନ ଶକ୍ତିର ନିର୍ଦ୍ଦେଶକ ତଥା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାକୁ ମୁଖ୍ୟଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି ଉଦଘାଟନ କରିଥିଲେ। ଏଥିରେ ଜିଲ୍ଲାର ୧୨ଗୋଟି ବ୍ଲକ ୩ଟି ପୌରପାଳିକା ଓ ଗୋଟିଏ ବିଜ୍ଞପିତ ଅଞ୍ଚଳର ଥିବା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଇଥିଲା। ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ୪ଟି ବ୍ୟାଟେରୀ ଚାଳିତ ରିକ୍ସା ବା ଇ-ରିକ୍ସା ପ୍ରଦାନ କରାଯାଇଥିଲା।

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ପକ୍ଷରୁ ନିଆଯାଉଥିବା ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ। ଜିଲ୍ଲାର ମୋଟ୍ ୧୨,୦୧୬ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମୋଟ୍ ୩୦୫.୭୦କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଏକଦିବସୀୟ ସର୍ବାଧିକ ଋଣ ପ୍ରଦାନର ଏହା ଏକ ରେକର୍ଡ଼ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର କୁମାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ, ଲିଡ଼ ବ୍ୟାଙ୍କ ମ୍ୟାନେଜର ସୁଦୀପ ଡାକୁଆ, ନାବାର୍ଡ଼ ଡିଡିଏମ ତାପସ କୁମାର ପ୍ରଧାନ ଉପସ୍ଥିତ ରହି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଉଥିବା ଋଚ୍ଚର ସୁବିନିଯୋଗ ଉପରେ ପରାମର୍ଶ ଦେଇଥିଲେ। ସେମାନଙ୍କ ଜୀବନ ଜୀବିକାର ଭବିଷ୍ୟତ ଯୋଜନା, ବୀମା, ପେନସନ ଏବଂ ଲଘୁ ଉଦ୍ୟୋଗ ସ୍ଥାପନ ତଥା ତାର ସଫଳ ରୂପାୟନ ଉପରେ ଅଧିକାରୀମାନେ ଆଲୋଚନା କରିଥିଲେ।

ଏଥିରେ ମିଶନ ଶକ୍ତିର ଅନ୍ୟତମ ଅଧିକାରୀ ବିଶ୍ୱଜିତ ପରିଡ଼ା, ଜୀବିକା ମିଶନର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କୌସିକ ପାତ୍ର, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ତଥା ଓରମାସର ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.