Latest Odisha News

BREAKING NEWS

ବିଧାୟିକା ଭି ସୁଜ୍ଞାନୀ ଦେଓଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓ । ଗତ କିଛି ଦିନ ହେବ ସେ ଗୁରୁତର ହୋଇପଡିବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି । ବିଧାୟିକା ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ଜଣାଇଛନ୍ତି ।

ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହାସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଓଡ଼ିଶାର ଲୋକକ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ରାଜ୍ୟପାଳ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ଲେଖିଛନ୍ତି, ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଯେ, ବିଶିଷ୍ଟ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଦୀର୍ଘ ସମୟ ଧରି ବିଧାୟିକା ଭାବେ ଓଡ଼ିଶାର ଜନମାନସରେ ସେ ସୁପରିଚିତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ରାଜନେତ୍ରୀଙ୍କୁ ହରାଇଲା। ରାଜ୍ୟ ରାଜନୀତି ଜଗତରେ ଜନପ୍ରତିନିଧି ଭାବେ ତାଙ୍କର ଲୋକସେବା କାର୍ଯ୍ୟ ଗୁଡ଼ିକ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ଏକ ଶୋକ ବାର୍ତ୍ତା ରେ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ “ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବରିଷ୍ଠ ବିଧାୟିକା ଭି ସୁଜ୍ଞାନୀ କୁମାରୀ ଦେଓଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ l ତାଙ୍କ ଦୀର୍ଘ ଦିନର ରାଜନୈତିକ ଯାତ୍ରା ଥିଲା ଅବିସ୍ମରଣୀୟ l ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହେବା ତାଙ୍କ ଜନପ୍ରିୟତାର ପ୍ରମାଣ ଥିଲା l ଜଣେ ସ୍ପଷ୍ଟବାଦୀ, କ୍ଷମତା ପ୍ରତି ଚିର ଅନାସକ୍ତ ରାଜନେତ୍ରୀ ଭାବେ ସେ ଜନମାନସରେ ସୁପରିଚିତ ଥିଲେ l ୫ ଦଶନ୍ଧି ଧରି ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାୟିକାଭାବେ ସେ ଜନସାଧାରଣଙ୍କ ସେବାରେ ଆଜୀବନ ବ୍ରତୀ ଥିଲେ  ଓ ଅଞ୍ଚଳର ସାମଗ୍ରିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ l  ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ଏକ ଦାରୁଣ ଓ ଅପୂରଣୀୟ  କ୍ଷତି ହୋଇଛି” l

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ସୁଜ୍ଞାନ କୁମାରୀ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ କ୍ଷମତା ପାଇଁ କେବେ ଲାଳାୟିତ ନଥିଲେ। ବାରମ୍ବାର ମନ୍ତ୍ରୀ ପଦ ପାଇଁ ଅଫର ମିଳିଥିଲେ ବି ସେ ଏହାକୁ ଗ୍ରହଣ କରିନଥିଲେ। ସେ ଜଣେ ରୋଲ ମଡେଲ୍ ଥିଲେ। ମୋ ପ୍ରତି ତାଙ୍କର ସ୍ନେହ ଥିଲା । ଖରାପ ସମୟରେ ସେ ମୋତେ ଉତ୍ସାହିତ କରିବା ସହ ଭରସା ଦେଉଥିଲେ ବୋଲି ଏକ୍ସରେ ଲେଖିଛନ୍ତି ବୈଜୟନ୍ତ ।

Leave A Reply

Your email address will not be published.