ଭୁବନେଶ୍ବର: ପିଲା ଚୋର ସନ୍ଦେହରେ ଜଣେ ଯୁବତୀ ଓ ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ନିକଟରେ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଫେଲୋଶିପ୍ କରୁଥିବା ଉକ୍ତ ଯୁବତୀ ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ମାରଣାତ୍ମକ ଆକ୍ରମଣ କରାଯାଇଛି। ଦୁହେଁ ଫେଲୋଶିପ୍ କାମ ସାରି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରକୁ ସ୍କୁଟିରେ ଫେରୁଥିଲେ। ସେମାନେ ଅଞ୍ଚଳ ସମ୍ପର୍କରେ ପରିଚିତ ନ ଥିବାରୁ ଗୁଗୁଲ୍ ମ୍ୟାପ୍ ସହାୟତାରେ ଯାଉଥିଲେ। ତେବେ ଏହି ସମୟରେ କିଛି ବ୍ୟକ୍ତି ସନ୍ଦେହ କରି ସେମାନଙ୍କୁ ଅଟକାଇଥିଲେ। ଉଭୟ ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ଉକ୍ତ ବ୍ୟକ୍ତି ମାନେ କିଛି ନ ବୁଝି ସେମାନଙ୍କୁ ଖରାପ ବ୍ୟବହାର କରିବା ସହ ମାଡ଼ ମାରିଥିଲେ।
ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ତେବେ ଘଟଣାକୁ ନେଇ କଲ୍ୟାଣସିଂହପୁର ଥାନାରେ ମାମଲା ରୁଜୁ ସହ ସେମାନେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ମେଡିକାଲରେ ପହଞ୍ଚି ଆଲୋଚନା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।
