Latest Odisha News

BREAKING NEWS

ମୋଦିଙ୍କୁ ଟ୍ରମ୍ପଙ୍କ ଜବରଦସ୍ତ ପ୍ରଶଂସା: ‘ସେ ବେଶ୍ ଶାନ୍ତ, ଧୀରସ୍ଥିର କିନ୍ତୁ ନିଷ୍ପତ୍ତି ନେବାରେ ସିଦ୍ଧହସ୍ତ ଶିକାରି’

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିଜର ଦେଶ ତଥା ରଙ୍ଗୀନ ଅନ୍ଦାଜରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥା ହେବା ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର କାର୍ଯ୍ୟଶୈଳୀକୁ ନେଇ କେତେକ ବଡ଼ ବୟାନ ଦେଇଛନ୍ତି।

 

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ନେତା ଭାବେ କହିବା ସହ ସେ ବେଶ୍ ଶାନ୍ତ କିନ୍ତୁ ନିଜର ଲକ୍ଷ୍ୟ ହାସଲ କରିବାରେ ଏବଂ ବଡ଼ ନିଷ୍ପତ୍ତି ନେବାରେ ଜବରଦସ୍ତ ଖେଳାଳି ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।

 

ବୈଠକ କକ୍ଷକୁ ପ୍ରବେଶ କରିବା ପୂର୍ବରୁ ସାମ୍ବାଦିକମାନେ ଉଭୟ ନେତାଙ୍କୁ ଘେରି ଯାଇଥିଲେ। ଏହି ସମୟରେ ଦୁଇ ଦେଶର ବନ୍ଧୁତ୍ୱକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ ନିଜର କୌତୁକିଆ ଢଙ୍ଗରେ କହିଥିଲେ: “ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖନ୍ତୁ। ସେ ସବୁବେଳେ କେମିତି ସମ୍ପୂର୍ଣ୍ଣ ଶାନ୍ତ ଏବଂ ଧୀରସ୍ଥିର ଦେଖାଯାନ୍ତି। କିନ୍ତୁ ସେ ହେଉଛନ୍ତି ଜଣେ ପ୍ରକୃତ ସିଦ୍ଧହସ୍ତ ଶିକାରି। ରାଜନୈତିକ ନିଷ୍ପତ୍ତି ହେଉ କିମ୍ବା ଦେଶର ସୁରକ୍ଷା ବ୍ୟାପାର, ସେ ନିଜର ଲକ୍ଷ୍ୟ ସାଧନ କରିବାରେ ସେ ସର୍ବଦା ମାହିର୍। କିନ୍ତୁ ମୁଁ ତାଙ୍କ ଭଳି ଶାନ୍ତ ରହିପାରେ ନାହିଁ, ମୁଁ ଖୁବ୍ ଶୀଘ୍ର ଉତ୍ତେଜିତ ହୋଇଯାଏ।”

 

ଟ୍ରମ୍ପଙ୍କ ଏହି ମଜାଦାର ମନ୍ତବ୍ୟ ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜର ହସ ରୋକିପାରି ନଥିଲେ ଏବଂ ଦୁଇ ନେତାଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ବନ୍ଧୁତ୍ୱ ପୁଣି ଥରେ କ୍ୟାମେରା ସାମ୍ନାରେ ପ୍ରତିଫଳିତ ହୋଇଥିଲା।

 

ରାଜନୈତିକ ସମୀକ୍ଷକମାନଙ୍କ ମତରେ, ଟ୍ରମ୍ପଙ୍କ ମୁହଁରୁ ମୋଦିଙ୍କ ପାଇଁ ‘ଟୋଟାଲ୍ କିଲର୍’ ଭଳି ଶବ୍ଦର ବ୍ୟବହାର ଦର୍ଶାଉଛି ଯେ ଆମେରିକା ଭାରତର ସାମ୍ପ୍ରତିକ ରଣନୈତିକ ନେତୃତ୍ୱକୁ କେତେ ଉଚ୍ଚ ସମ୍ମାନ ଓ ଗୁରୁତ୍ୱ ଦେଉଛି। ଖାସ କରି ବିଶ୍ୱ ଶକ୍ତି ସନ୍ତୁଳନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଶାନ୍ତି ପ୍ରକ୍ରିୟା ମଧ୍ୟରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଦ୍ୱିପାକ୍ଷିକ ଆଲୋଚନା ପୂର୍ବରୁ ଏଭଳି ବାତାବରଣ ଦୁଇ ଦେଶର ସମ୍ପର୍କକୁ ଏକ ନୂଆ ଶିଖରକୁ ନେଇଯିବ। ବୈଠକରେ ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ ଏବଂ ସାମୁଦ୍ରିକ ସୁରକ୍ଷା ଭଳି କେତେକ ବଡ଼ ଏଜେଣ୍ଡା ଉପରେ ଚୂଡ଼ାନ୍ତ ମୋହର ବାଜିବ ବୋଲି ଆଶା କରାଯାଉଛି।

Comments are closed.