Latest Odisha News

BREAKING NEWS

ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ସମୟ ଅଭାବରୁ ତ୍ରୁଟି ହୋଇଥିବା ସ୍ୱୀକାର କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟା ଯାଇଥିବା ପାଠ୍ୟପୁସ୍ତକରେ ବ୍ୟାପକ ପ୍ରିଣ୍ଟିଂ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଆଜି ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

 

ବହିରେ ଥିବା ତ୍ରୁଟିର ସଠିକ୍ ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ୩ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୭ ଦିନ ମଧ୍ୟରେ ନିଜର ବିସ୍ତୃତ ରିପୋର୍ଟ ପ୍ରଦାନ କରିବ ଏବଂ ଏହି ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତ୍ରୀ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।

 

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି (NEP) ଆସିବା ପରେ ଓଡ଼ିଶାରେ ମଧ୍ୟ NCERT ଅନୁଯାୟୀ ନୂଆ ପାଠ୍ୟପୁସ୍ତକ ମୁଦ୍ରଣ କରାଯାଇଥିଲା। କିନ୍ତୁ ଏହି ପୁସ୍ତକ ପ୍ରସ୍ତୁତି ଏବଂ ପ୍ରକାଶନ ପାଇଁ ହାତରେ ସମୟ ବହୁତ କମ୍ ଥିଲା। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବା ଯୋଗୁଁ ଅଜାଣତରେ କିଛି ସ୍ଥାନରେ ମୁଦ୍ରଣ ଜନିତ ତ୍ରୁଟି ରହିଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବହେଳାକୁ ସରକାର ସହଜରେ ଗ୍ରହଣ କରିବେ ନାହିଁ। ଯେଉଁ ଅଧିକାରୀ କିମ୍ବା ସଂସ୍ଥା ଏହି ବଡ଼ ଭୁଲ୍ ପାଇଁ ଦାୟୀ, ସେମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।

 

ପିଲାମାନଙ୍କ ପାଠପଢ଼ାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ବିଭାଗ ପକ୍ଷରୁ ଏକ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସ୍କୁଲ ଖୋଲିବା ପରେ କ୍ଲାସରୁମ୍‌ରେ ବିଷୟଭିତ୍ତିକ ପାଠ ପଢ଼ାଇବା ସମୟରେ ହିଁ ଶିକ୍ଷକମାନେ ବହିର ସେହି ଭୁଲଗୁଡ଼ିକୁ ସଂଶୋଧନ କରିବେ।

 

“ବହିରେ ଯେଉଁ ସବୁ ସ୍ଥାନରେ ତ୍ରୁଟି ରହିଛି, ଶିକ୍ଷକମାନେ ପିଲାମାନଙ୍କୁ ପଢ଼ାଇବା ବେଳେ ପ୍ରଥମେ ତାହାକୁ ନିଜେ ସୁଧାରିବେ ଏବଂ ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଶିକ୍ଷା ପ୍ରଦାନ କରିବେ। ଏଥିପାଇଁ ସୂଚୀପତ୍ର ଜାରି କରାଯାଇଛି।”

 

ଏଥିସହିତ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଚଳିତ ଶିକ୍ଷାବର୍ଷରେ ଯାହା ଭୁଲ୍ ହୋଇଛି ତାହାକୁ ଯଥାଶୀଘ୍ର ସଜଡ଼ା ଯାଉଛି। କିନ୍ତୁ ଆଗାମୀ ଦିନରେ ରାଜ୍ୟରେ ଯେଉଁ ସବୁ ପାଠ୍ୟପୁସ୍ତକ ଛପା ହେବ, ସେଗୁଡ଼ିକୁ ଏକାଧିକ ସ୍ତରରେ ଯାଞ୍ଚ କରାଯାଇ ସମ୍ପୂର୍ଣ୍ଣ ନିର୍ଭୁଲ୍ ଭାବେ ପ୍ରକାଶ କରାଯିବ।

Leave A Reply

Your email address will not be published.