Latest Odisha News

BREAKING NEWS

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ, ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ଵର: ରାଜ୍ୟର ସକ୍ରିୟ ରହିଛି ମୌସୁମୀ । ଆଉ ସେପଟେ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ଦୁର୍ବଳ ହୋଇଛି । ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା ଲାଗି ରହିପାରେ । ଆଜି ପ୍ରବଳ ବର୍ଷା ପାଇଁ ଓଡ଼ିଶାର ୭ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି ନୁଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ । ସେହିଭଳି ୨୯ ତାରିଖ ପାଇଁ ରାଜ୍ୟର ନୁଆପଡ଼ା, ବରଗଡ଼, ବଲାଙ୍ଗିର, ସମ୍ବଲପୁର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ଏବଂ ୩୦ ତାରିଖରେ ରାଜ୍ୟର ବରଗଡ଼, ସମ୍ବଲପୁର, ଝରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ବାଲେଶ୍ଵର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, କଟକ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ .

ଉପକୂଳ ଓଡ଼ିଶାରେ ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ଥିବାରୁ ତୁହାକୁ ତୁହା ବର୍ଷା ଲାଗି ରହିବ। ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଆଜି ସମୁଦ୍ର ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୫.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୧୨.୬ ମିଲିମିଟର ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି। ବୁଧବାର କଳାହାଣ୍ଡି ଜିଲ୍ଲାର ଜଇପାଟଣା ଠାରେ ୧୦୬ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

Leave A Reply

Your email address will not be published.