Latest Odisha News

BREAKING NEWS

ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା, ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢାଉ

ପାଟନା: ବିହାର ବ୍ରିଜ ନିର୍ମାଣ ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ବାହାରିଲା ସୁଟେକଶ ଭର୍ତ୍ତି ନୋଟ୍‌। ଗତ କିଛି ଦିନ ତଳେ ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ବ୍ରିଜ ଦୁଇ ଥର ଭୁଶୁଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ମାତ୍ର ଏହି ବ୍ରିଜ ନିର୍ମାଣ କରିଥିବା ଏକଜିକ୍ୟୁଟିଭ ଇଞ୍ଜିନିୟର ମାଲାମାଲ ହୋଇଥିବା ଖବର ପାଇ ତାଙ୍କ ଘରେ ପଶିଥିଲା ଭିଜିଲାନ୍ସ। ଯାଞ୍ଚ ବେଳେ ଇଞ୍ଜିନିୟରଙ୍କ ଘରୁ ମିଳିଥିଲା ଅନେକ ନଗଦ ଟଙ୍କା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୃକ୍ତ ଏକଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀକାନ୍ତ ଶର୍ମାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍।

ସୂଚନା ଥାଉକି ବିହାରର ଭାଗଲପୁରରେ ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ଅବସ୍ଥାରେ ଥିବା ବ୍ରିଜ କାମ ସରି ନ ଥିବା ବେଳେ ତାହା ୨ ଥର ଭୁଶୁଡ଼ି ସାରିଲାଣି। ତେବେ ଏହି ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଏକଜିକ୍ୟୁଟିଭ ଇଞ୍ଜିନିୟର ଲାଞ୍ଚ ଖାଇ ନିମ୍ନମାନର କାମ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏହାପରଠୁ ତାଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ। ଭିଜିଲାନ୍ସ ଟିମ୍ ଶ୍ରୀକାନ୍ତ ଶର୍ମାଙ୍କ ଘରୁ ୮୦ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଏବଂ ବହୁ ଜମି ଦଲିଲ ଜବତ କରିଛି।

ଭାଗଲପୁରର ହନୁମାନ ନଗର କଲୋନୀରେ ଶ୍ରୀକାନ୍ତ ଶର୍ମାଙ୍କ ଘରେ ଅତର୍କିତ ଭାବେ ଚଢାଉ କରିଛି ଭିଜିଲାନ୍ସ। ଏଥିସହ ତାଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ବି ଚଢ଼ାଉ ହୋଇଥିବା ଜଣାଯାଇଛି। ଭିଜିଲାନ୍ସ ଶ୍ରୀକାନ୍ତଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଜଣାଯାଇଛି।

Leave A Reply

Your email address will not be published.