Latest Odisha News

ଆସନ୍ତାକାଲିଠୁଁ ରାଜ୍ୟରେ ପ୍ରବଳ ବର୍ଷା, ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ ତୀବ୍ରଭାବେ କ୍ରୀୟାଶୀଳ ହେବାଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ଛୁଇଁବ ବାର୍ଷିକ ମୌସୁମୀ । ଏନେଇ ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସୂଚନା ଦିଆଯାଇଛି ।

ଏପରିକି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ପ୍ରଥମେ ମୌସୁମୀ ଓଡ଼ିଶାର ଦକ୍ଷିଣାଞ୍ଚଳରେ ପ୍ରବାହିତ ହେବାପରେ ଏହା କ୍ରମଶଃ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ ପ୍ରବାହିତ ହେବ । ଏହାଫଳରେ ରାଜ୍ୟରେ କ୍ରମାଗତ ଭାବେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଝାଡ଼ଖଣ୍ଡ ରାଜ୍ୟକୁ ସଂଲଗ୍ନ କରି ପଶ୍ଚିମବଙ୍ଗ ଗାଙ୍ଗେୟ ମାଳଭୂମି ଏବଂ ଉତ୍ତର ଓଡ଼ିଶାର ସମୂଦ୍ର ପତ୍ତନର ୦.୯ ମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ଯୋଗୁଁ ବଙ୍ଗୋପସାଗରର ଉତ୍ତର-ପୂର୍ବ ଭାଗରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଓଡ଼ିଶାର ଯେଉଁସବୁ ଜିଲ୍ଲାମାନଙ୍କରେ ଶୁକ୍ରବାର ଦିନ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଯାଜପୁର, ଭଦ୍ରକ, ଗଜପତି ଏବଂ କୋରାପୁଟ ଜିଲ୍ଲା ।

ସେହିପରି ଶନିବାର ଦିନ ଯେଉଁ ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ଼, ସୁନ୍ଦରଗଡ଼, ଖୋର୍ଦ୍ଧା, ବୌଦ୍ଧ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲା ।

ରାଜ୍ୟର ଯେଉଁସବୁ ଜିଲ୍ଲା ଗୁଡ଼ିକରେ ରବିବାର ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସେହି ଜିଲ୍ଲାଗୁଡ଼ିକ ହେଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ।

ପାଣିପାଗ ସୂତ୍ରରୁ ଜଣାପଡ଼ିଛି ଯେ, ବାତ୍ୟା ବାୟୁ ପ୍ରଭାବରେ ମୌସୁମୀ ଜଳବାୟୁ କେରଳ ଛୁଇଁବାରେ ବିଳମ୍ବ ହୋଇଛି । କେରଳ ସମେତ ଦେଶର ଅଧିକାଂଶ ଅଞ୍ଚଳରେ ଏଥର ମୌସୁମୀ ଜଳବାୟୁ ଆସିବାରେ ବିଳମ୍ବ ହୋଇଛି ।

Leave A Reply

Your email address will not be published.