Latest Odisha News

ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଓ ରାଜଧାନୀ ଚିକିତ୍ସାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଏବଂ ଅନୁସନ୍ଧାନ ସ୍ନାତକୋତ୍ତର ପ୍ରତିଷ୍ଠାନ  ତଥା ରାଜଧାନୀ ଚିକିତ୍ସାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଗବେଷଣା ଓ ଆନ୍ତଃ-ଶିକ୍ଷା ବିନିମୟ ଆଭିମୁଖ୍ୟ ନେଇ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି।

ଏହି ଚୁକ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ଓ ଗବେଷଣା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫଳରେ ଆନ୍ତବିଷୟକ ଅଧ୍ୟୟନ ଓ ଗବେଷଣାରେ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଆଇକ୍ୟୁଏସି ନିର୍ଦ୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ଓ କୁଳସଚିବ ଡ. ଅଭୟ କୁମାର ନାୟକଙ୍କ ସମେତ ଡାକ୍ତରୀ ଶିକ୍ଷା ଏବଂ ଅନୁସନ୍ଧାନର ସ୍ନାତକୋତ୍ତର ପ୍ରତିଷ୍ଠାନ  ତଥା ରାଜଧାନୀ ଚିକିତ୍ସାଳୟ ନିର୍ଦ୍ଦେଶକ ପ୍ରଫେସର ନିବେଦିତା ପାଣିଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଥିବା ଦୁଇଟି ଅଗ୍ରଣୀ ଅନୁଷ୍ଠାନ ଏକାଠି ଆଗକୁ ବଢିବା ଅତ୍ୟନ୍ତ ପ୍ରଶଂସନୀୟ। ଏହି ସହଯୋଗ ପାରସ୍ପରିକ ଭାବେ ଲାଭଦାୟକ ହେବ ଏବଂ ସହଭାଗୀତା କାର୍ୟ୍ୟକ୍ରମକୁ ସୁଗମ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା।

କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ଭାସ୍ୱତୀ ପଟ୍ଟନାୟକ, ରାଜଧାନୀ  ଚିକିତ୍ସାଳୟ ଅଧିକ୍ଷକ ପ୍ରଫେସର ସୂଜାତା ମିଶ୍ର, ଅତିରିକ୍ତ ନିର୍ଦେଶକ ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.