Latest Odisha News

BREAKING NEWS

‘ମୁଖ୍ୟମନ୍ତ୍ରୀ ଡିବେଟ ପାଇଁ ଆସନ୍ତୁ, ସେ ଯେଉଁଠିକୁ ଡାକିବେ ମୁଁ ଯିବି’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଡିବେଟ ପାଇଁ ଆସନ୍ତୁ, ସେ ଯେଉଁଠିକୁ ଡାକିବେ ମୁଁ ଯିବି  । ଏମିତି କହି ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ମୁଁ ଆଶ୍ଚର୍ଯ୍ୟ ୨୪ ବର୍ଷର ଜଣେ ଆଦରଣୀୟ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଜଣେ ସାଂସଦଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ମୋ ରିପୋର୍ଟ କାର୍ଡ ପଢ଼ି ନାହାଁନ୍ତି ସେଥିପାଇଁ କହୁଛନ୍ତି। ଡ୍ରେନେଜ୍ ପାଇଁ, ବସ୍ତି ବାସିନ୍ଦାଙ୍କ ପାଇଁ ୬୦୦ବର୍ଗ ଫୁଟର ଜମି ଯୋଗାଇଦେବାକୁ, ପଦ୍ମ କେଶରୀ ପୁରରେ ହେଉଥିବା ସୁଧ କାରବାର ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ଏବେ ଯାଏ ଉତ୍ତର ମିଳିନି। ବୋଧ ହୁଏ ତାଙ୍କ ପାଖ ଲୋକମାନେ ଚିଠି ପହଞ୍ଚାଇ ନାହାଁନ୍ତି । ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ଡିବେଟ ପାଇଁ ପ୍ରସ୍ତୁତ ଅଛି କହିଛନ୍ତି ଅପାରାଜିତା  ।

ଅପରାଜିତା କହିଛନ୍ତି ଥରେ ଭୁବନେଶ୍ୱର ବିମାନ ବନ୍ଦରରେ ନିଜେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱର ଭଲ କାମ ପାଇଁ ମତେ ପ୍ରଶଂସା କରିଥିଲେ । ଏ କଥାକୁ ନେଇ ମୁଁ ଅନେକ ଥର କହିଛି କେତେ ବଡ଼ ହୃଦୟର ମୁଖ୍ୟମନ୍ତ୍ରୀ ମୋର ପ୍ରସଂଶା କଲେ। ସେ ବାରମ୍ବାର କହୁଛନ୍ତି ଲିଙ୍ଗରାଜ ପ୍ରକଳ୍ପ କାମକୁ ମୁଁ ବିରୋଧ କରୁଥିଲି । ତା’ର କିଛି ପ୍ରମାଣ ତାଙ୍କ ପାଖରେ ଅଛି କି? ଏନେଇ ତାଙ୍କ ପାଖରେ କିଛି ଲିଖିତ ପ୍ରମାଣ ଅଛି କି? ଏ ନେଇ ମୁଁ କେବେ କୌଣସି ବକ୍ତବ୍ୟ ଦେଇଥିବାର ପ୍ରମାଣ ତାଙ୍କ ପାଖରେ ଅଛି? ତାଙ୍କ ପାଖରେ ପ୍ରମାଣ ନାହିଁ। ଲିଙ୍ଗରାଜ ମନ୍ଦିରର କାମ ବିଷୟରେ ମୁଁ କେବେ ଆଲୋଚନା ହିଁ କରି ନାହିଁ। ଯଦି ମୁଖ୍ୟମନ୍ତ୍ରୀ ମୋ ରିପୋର୍ଟ କାର୍ଡ ପଢ଼ିଥାନ୍ତେ ତେବେ ଏମିତି କହି ନଥାନ୍ତେ।

ସେହିଭଳି ଗତ ୫ ବର୍ଷରେ ଅପରାଜିତା ସେମିତି କିଛି ବଡ଼ କାମ କରି ନଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହାର ବି ଜବାବ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ମୁଁ ଯାହା କାମ କରିଛି, ପ୍ରତ୍ୟେକ ବର୍ଷ ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ସାର୍ବଜଜନୀନ କରିଛି। ମହାପ୍ରଭୁ ଜଗନ୍ନାଥ ଆମ ପ୍ରାଣକେନ୍ଦ୍ର, ମହାପ୍ରଭୁ ଜଗନ୍ନାଥ ଆମ ଜୀବନର ମେରୁଦଣ୍ଡ। ପୁରୀ ଜଗନ୍ନାଥ ମନ୍ଦିରର ଯେବେ କାମ ହେଉଥିଲା ମୁଁ କହିଥିଲି ମନ୍ଦିରର ସୁରକ୍ଷା ଦେଖି କାମ କରିବା ଦରକାର। ୧୦୦ ମିଟର ଭିତରେ କାମ ନକରନ୍ତୁ।ଏନଏମଏ,ଏଏସଆଇଙ୍କ ମତାମତ ନେଇ କାମ କରନ୍ତୁ ।

ସୂଚନାଯୋଗ୍ୟ, ଭୁବନେଶ୍ୱରର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଭୋଟ୍ ଦେବାକୁ ଅପିଲ୍ କରି ଆଜି ସକାଳେ ମୁଖ୍ୟମନ୍ତ୍ରୀ  ଏକ ଭିଡିଓ ଜାରି କରିଥିଲେ। ବର୍ତ୍ତମାନର ଭୁବନେଶ୍ୱର ସାଂସଦ ଗତ ୫ ବର୍ଷରେ ସେମିତି କିଛି ବଡ଼ କାମ କରି ନାହାନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ  ।

 

 

Leave A Reply

Your email address will not be published.