Latest Odisha News

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୩ ତାରିଖରେ ଜୟଦେବ, ଜଟଣୀ, ବେଗୁନିଆ ଓ ଚିଲିକା ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଯାତ୍ରା କରିବେ ।

ସେହିଭଳି ୨୪ ତାରିଖରେ ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଗସ୍ତ କରିବେ । ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଜଟଣୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ବେଗୁନିଆ ଓ ଖୋର୍ଦ୍ଧା ନିମନ୍ତେ ଜିଲ୍ଲା ପଣ୍ୟାଗାରରେ ଷ୍ଟ୍ରଙ୍ଗରୁମ୍‌ର ବ୍ୟବସ୍ଥା କରାଯାଇଛି । ଏଠାରୁ ପୁଲିଂ ପାର୍ଟିମାନେ ସଂପୃକ୍ତ ବୁଥ୍‌ ନିମନ୍ତେ ଯାତ୍ରା କରି ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ଉକ୍ତ ସ୍ଥାନରେ ଦାଖଲ କରିବେ ।

ଚଳିତ ନିର୍ବାଚନ ନିମନ୍ତେ ମୋଟ ୯୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜୟଦେବ ନିର୍ବାଚନ ମଣ୍ଡଳୀରେ ୮ ଜଣ, ଭୁବନେଶ୍ୱର (ମଧ୍ୟ)ରେ ୧୩ ଜଣ, ଭୁବନେଶ୍ୱର (ଉତ୍ତର)ରେ ୧୨ ଜଣ, ଏକାମ୍ରରେ ୧୨ ଜଣ, ଜଟଣୀରେ ୯ ଜଣ, ବେଗୁନିଆରେ ୧୧ ଜଣ, ଚିଲିକାରେ ୧୦ ଜଣ, ଖୋରଧାରେ ୮ ଜଣ ଏବଂ ଭୁବନେଶ୍ୱର ଲୋକସଭା ପାଇଁ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜିଲ୍ଲାର ମୋଟ ୧୯ ଲକ୍ଷ ୬ ହଜାର ୫୧୮ ଜଣ ଭୋଟରଙ୍କ ମଧ୍ୟରେ ୯ ଲକ୍ଷ ୯୦ ହଜାର ୭୩୪ ଜଣ ପୁରୁଷ, ୯ ଲକ୍ଷ ୧୫ ହଜାର ୨୦୫ ଜଣ ମହିଳା ଏବଂ ୫୭୯ ଜଣ ତୃତୀୟ ଲିଙ୍ଗୀ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେମାନଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସର ୪୨ ହଜାର ୧୦୦ ଯୁବ ଭୋଟର ଥିବାବେଳେ ୩୨ ହଜାର ୫୭ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି ।

ସେମାନଙ୍କ ମଧ୍ୟରେ ନିର୍ବାଚନରେ ନିୟୋଜିତ ଜିଲ୍ଲାର ୫୩୩୧ ଜଣ କର୍ମଚାରୀ ପୋଷ୍ଟାଲ ବାଲାଟ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିଥିବାବେଳେ ପ୍ରାୟ ଦେଢ଼ ହଜାରରୁ ଅଧିକ ୮୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି ମତଦାନ କରିଛନ୍ତି । ଜିଲ୍ଲାର ୧୯୨୩ଟି ବୁଥ୍‌ ମଧ୍ୟରୁ ୫୨୫ଟି କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖି ବୁଥ୍‌, ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ୮ଟି ଏବଂ ଯୁବ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ୪୦ଟି ବୁଥ୍‌ ରହିଛି । ଏଥି ମଧ୍ୟରେ ୨୭ଟି ସମ୍ବେଦନଶୀଳ ଓ ୩୦୬ଟି ଅତିସମ୍ବେଦନଶୀଳ ବୁଥ୍‌ ରହିଛି । ଏଥି ସହ ୭ଟି ଇକୋ-ଫ୍ରେଣ୍ଡଲି ଏବଂ ୩୮୪ଟି ଆଦର୍ଶ ମତଦାନ କେନ୍ଦ୍ର ରହିଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ସମସ୍ତ ୨୦୦ଟି ମତଦାନ କେନ୍ଦ୍ର କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ଉକ୍ତଦିନଗୁଡ଼ିକରେ ପୁଲିଂ ପାର୍ଟିମାନଙ୍କ ସହାୟତା ନିମନ୍ତେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ଯଥା-ଜଟଣୀ, ପିପିଲି, ଖୋରଧା, ବାଳକାଟି, ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନ ରୁଟ୍‌ରେ ବସ୍‌ମାନ ଚଳପ୍ରଚଳ କରିବ । ଏହି ବସ୍‌ଗୁଡ଼ିକ ୨୫ ତାରିଖ ସନ୍ଧ୍ୟା ୭ ଘଟିକାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଚଳପ୍ରଚଳ କରିବ । ପ୍ରତ୍ୟେକ ସଖି ବୁଥ୍‌ରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ । ଏଥି ମଧ୍ୟରେ ୧୧୪୪ଟି ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ । ପ୍ରାୟ ୧୫ ହଜାର ପୁଲିଂ ଅଧିକାରୀ ଏହି ମତାଦନ ପ୍ରକ୍ରିୟା ନିମନ୍ତେ ନିୟୋଜିତ ହୋଇଛନ୍ତି । ଆସନ୍ତା ୨୫ ତାରିଖରେ ଜିଲ୍ଲାରେ ସକାଳ ୭ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

 

 

Leave A Reply

Your email address will not be published.