Latest Odisha News

BREAKING NEWS

ସମ୍ବିତଙ୍କ ବିବାଦୀୟ ମନ୍ତବ୍ୟ: ପଲ୍ଲୀରୁ ଦିଲ୍ଲୀ ତେଜିଲା ରାଜନୀତି, ପ୍ରଭାବିତ ହେବ କି ଭୋଟ୍ ବ୍ୟାଙ୍କ?

ଭୁବନେଶ୍ୱର: ଯେଉଁଠୁ ପ୍ରଧାନମନ୍ତ୍ରୀଙ୍କୁ ରୋଡ ଶୋ କରାଇ ବିଜେପି ସାରା ଦେଶର ହିନ୍ଦୁ ଭୋଟରଙ୍କୁ ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରୁଥିଲା, ହେଲେ ଦଳୀୟ ପ୍ରାର୍ଥୀଙ୍କ ବିବାଦୀୟ ବୟାନ ବା ପାଟିରୁ ଖସି ଯାଇଥିବା କଥା ପାଇଁ ଅଡୁଆରେ ପଡିଥିବା କୁହାଯାଉଛି। ଆଉ ପୁରୀର ଏହି ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନକୁ ନେଇ ଏବେ ତେଜିଛି ରାଜନୀତି। ନିର୍ବାଚନ ବେଳେ ପଲ୍ଲୀରୁ ଦିଲ୍ଲୀ ସମ୍ବିତଙ୍କ ବୟାନ ପାଲଟିଛି ବଡ଼ ପ୍ରସଙ୍ଗ। ଯଦିଓ ନିଜ ମନ୍ତବ୍ୟ ଭୁଲ ବୋଲି ସ୍ବୀକାର କରିଛନ୍ତି ଏବଂ ପଶ୍ଚାତାପ କରିବାକୁ ଯାଇ ତିନି ଦିନ ଓପବାସ କରୁଛନ୍ତି ବୋଲି କହିଛନ୍ତି; କିନ୍ତୁ ବିଜେଡି ଏବଂ କଂଗ୍ରେସ ଓ ଅନ୍ୟ ଦଳ ଏହାକୁ ନେଇ ବିଜେପିକୁ ଘେରିଛନ୍ତି।

ସମ୍ବିତ ହେଉଛନ୍ତି ବିଜେପିର ଅନ୍ୟତମ ନେତା ଯିଏକି ବିଭିନ୍ନ ସମୟରେ ଟିଭି ବିତର୍କରେ ସାମିଲ ହୁଅନ୍ତି। ସେ ଜଣେ ଚର୍ଚ୍ଚିତ ଚେହେରା। ପୁରୀରୁ ଅନ୍ତିମ ଥର ଅଳ୍ପ ବ୍ୟବଧାନରେ ବିଜେଡିର ପିନାକି ମିଶ୍ରଙ୍କଠୁ ପରାଜିତ ହୋଇଥିଲେ। ଏଥର କିନ୍ତୁ ସେ ମୈଦାନରେ ସକ୍ରିୟ ରହିଛନ୍ତି। ତାଙ୍କ ସପକ୍ଷରେ ସେ ଏକ ଜନମତ ତିଆରି କରିବାରେ ସଫଳ ହୋଇଛନ୍ତି ବୋଲି କୁହାଯାଉଛି।

ଏହାରି ଭିତରେ ବଡ଼ଦାଣ୍ଡରେ ସମ୍ବିତ ଏବଂ ଦଳର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ରୋଡ ଶୋ କରି ପ୍ରଚାର କରିଛନ୍ତି। କିନ୍ତୁ ଦଳର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନ ପରେ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି। ଉଭୟ ବିଜେଡି ଏବଂ କଂଗ୍ରେସ ଏହାକୁ ସମାଲୋଚନା କରିଛନ୍ତି।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଓ ଏଆଇସିସି ମୁଖପାତ୍ର ପବନ ଖେରା କହିଛନ୍ତି, ଓଡ଼ିଆ ଅସ୍ମିତା ଉପରେ କହୁଥିବା ଦଳ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ କହିବା ଅପରାଧ। ଯାହା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ସମ୍ବିଙ୍କ ବୟାନକୁ ୨୪ ଘଣ୍ଟା ବିତିଲାଣି ହେଲେ ସନାତନ ଧର୍ମର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦୀ ଏଯାବତ ସମ୍ବିତ ପାତ୍ରଙ୍କୁ ଦଳରୁ କାହିଁକି ବହିଷ୍କୃତ କରିନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଜଗନ୍ନାଥଙ୍କୁ ନେଇ ଏଭଳି କହିଥିବାରୁ କ୍ଷମା ପ୍ରାର୍ଥନା ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ କହିଛି।

ସେହିପରି ବିଜେଡି ନେତା ଭି.କେ ପାଣ୍ଡିଆନ୍ କହିଛନ୍ତି, ଓଡ଼ିଶାରେ  ନିର୍ବାଚନରେ ଧର୍ମ କିମ୍ବା ମହାପ୍ରଭୁ ଜଗନ୍ନାଥଙ୍କୁ ଆଣିବା ପସନ୍ଦ କରନ୍ତ ନାହିଁ। ଏହାପରେ ସେ ସମ୍ବିତ ପାତ୍ରଙ୍କୁ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ଉପବାସ କଲେ ଚେତା ହରାଇପାରନ୍ତି ବୋଲି କହିଛନ୍ତି ପାଣ୍ଡିଆନ।

ଉଲ୍ଲେଖଯୋଗ୍ୟ, ପୁରୀରେ ମୋଦୀ ରୋଡ ଶୋ କରିବା ପଛରେ ଗୋଟିଏ ବଡ କାରଣ ରହିଛି ବୋଲି କୁହାଯାଏ। ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ପଡୁଥିବା ବେଳେ ଏବଂ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ବେଳେ ପୁରୀରେ ରୋଡ୍ ଶୋ କରି ମୋଦୀ ହିନ୍ଦୁ ଭୋଟରଙ୍କୁ ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପରୋକ୍ଷରେ ଚେଷ୍ଟା କରିଛନ୍ତି ବୋଲି କୁହାଯାଏ। ଏବେ ସମ୍ବିତଙ୍କ ବିବାଦୀୟ ବୟାନ ପରେ  ବିଜେପିର ଭୋଟ୍ ବ୍ୟାଙ୍କରେ ଘାଟା ଆସିବ ବୋଲି ଅନେକ ମଧ୍ୟ କହିବା ଆରମ୍ଭ କଲେଣି। ଯାହାକୁ ହୃଦବୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ କରିଥିବା ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ସମ୍ବିତ ପାତ୍ର ଭୁଲ ସ୍ବୀକାର କରିଥିବା କୁହାଯାଉଛି।

Leave A Reply

Your email address will not be published.