Latest Odisha News

ନିର୍ବାଚନ ଜିତିବାକୁ ଏମପିରେ ‘ମାଗଣା’ ଲଢେଇ!

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ସହ ରାଜନୀତି ଚଳଚଂଚଳ ହୋଇଛି। ନିର୍ବାଚନର ବହୁ ପୂର୍ବରୁ ରାଜନୈତିକ ଦଳଗୁଡିକ ପ୍ରଚାର ପ୍ରସାର ଆରମ୍ଭ କରିସାରିଛନ୍ତି।

କିନ୍ତୁ ଏବେ ନିର୍ବାଚନ ତାରିଖ ଘୋଷଣା ପରେ କେଉଁ ରାଜ୍ୟରେ ରାଜନୈତିକ ସ୍ଥିତି କଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି କ୍ରମରେ ମଧ୍ୟପ୍ରଦେଶକୁ ନେଇ ଆଲୋଚନା ଜୋର ଧରିଛି।

୨୦୧୮ ନିର୍ବାଚନ ପରେ ଉତ୍ଥାନପତନ ଦେଇ ଗତି କରିଥିବା ଏମପି ରାଜନୀତିରେ ଆଗକୁ କଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶର ୨୩୦ ଟି ବିଧାନସଭା ସିଟ ପାଇଁ ନଭେମ୍ବର ୧୭ ତାରିଖରେ ନିର୍ବାଚନ ହେବ। ଚଳିତ ମାସ ୨୧ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୩୦ ରଖାଯାଇଛି। ପ୍ରଦେଶର ପାଞ୍ଚ କୋଟିରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ତେଣୁ ନିର୍ବାଚନର ଆଗାମୀ ସ୍ଥିତି କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହେବା ସହ ପୂର୍ବ ନିର୍ବାଚନର ସ୍ଥିତିକୁ ନେଇ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି।

୨୦୧୮ ମସିହାରେ ନିର୍ବାଚନ ଫଳାଫଳ ଆସିବା ପରେ ୧୫ ବର୍ଷ ପରେ କଂଗ୍ରେସ ସରକାର ଗଢିଥିଲା। କମଲନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୩୦ ବିଧାନସଭା ସିଟ ମଧ୍ୟରୁ କଂଗ୍ରେସ ୧୧୪ ସିଟ ଜିତିଥିଲା ଓ ବିଜେପିକୁ ୧୦୯ ସିଟ ମିଳିଥିଲା।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବିଜେପି ୪୧ ପ୍ରତିଶତ ଭୋଟ ପାଇ କମ ସିଟ ପାଇଥିବା ବେଳେ କଂଗ୍ରେସ ୪୦.୯ ପ୍ରତିଶତ ଭୋଟ ପାଇ ଅଧିକ ସିଟ ଜିତିଥିଲା। ବହୁମତ ଠାରୁ ଅଳ୍ପ କିଛି ପଛରେ ଥିବା କଂଗ୍ରେସ ବହୁଜନ ସମାଜ ପାର୍ଟି ଓ ଅନ୍ୟ ମାନଙ୍କ ସହ ମିଶି ସରକାର ଗଢିଥିଲା।

କିନ୍ତୁ କମଳନାଥଙ୍କ ସରକାର ମାତ୍ର ୧୫ ମାସ ଚାଲିଥିଲା। ବିଜେପି ପୁଣି କ୍ଷମତାକୁ ଫେରିଥିଲା। ୨୦୨୦ ମାର୍ଚ୍ଚ ମାସରେ ଖୋଦ ନିଜ ଦଳର ବିଧାୟକ ମାନଙ୍କ ବିଦ୍ରୋହ ଯୋଗୁ ସରକାର ଭାଙ୍ଗିଥିଲା।

ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକ ବିଧାୟକମାନଙ୍କ ସହ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ବର୍ତ୍ତମାନ ସ୍ଥିତିରେ ଏମପିରେ ବିଜେପିର ୧୨୭ ବିଧାୟକ ଥିବାବେଳେ କଂଗ୍ରେସର ୯୬ ବିଧାୟକ ରହିଛନ୍ତି। ସେହିପରି ଚାରିଜଣ ନିର୍ଦଳୀୟ, ଦୁଇଜଣ ବହୁଜନ ସମାଜବାଦୀ ପାର୍ଟି ଓ ଜଣେ ସମାଜବାଦୀ ପାର୍ଟି ବିଧାୟକ ରହିଛନ୍ତି।

ତେଣୁ କଂଗ୍ରେସକୁ ଅଧାରୁ ହଟାଇ ଶାସନକୁ ଆସିଥିବା ବିଜେପି କ୍ଷମତାକୁ ବଜାୟ ରଖିବା ପାଇଁ ଉଦ୍ୟମ ଜୋରଦାର କରିଥିବା ବେଳେ କଂଗ୍ରେସ ପ୍ରତିଶୋଧ ନେବାକୁ ସବୁ ଯୋଜନା କରୁଛି। ଏବେ କିନ୍ତୁ ଏମପିରେ ବିଜେପି ସରକାର ପାଇଁ ରୋଜଗାର ଏକ ପ୍ରମୁଖ ସମସ୍ୟା ହୋଇ ଛିଡା ହୋଇଛି।

ନିଯୁକ୍ତି ଓ ବେରୋଜଗାର ପ୍ରସଙ୍ଗ ବିଜେପି ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ସେପଟେ ଆଦିବାସୀ ଓ ମହିଳା ଭୋଟର ମଧ୍ୟପ୍ରଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କୁ ଆକର୍ଷିତ କରିବା ଲାଗି ନାନା ଯୋଜନା ଘୋଷଣା କରିଛନ୍ତି ଶିବରାଜ ସରକାର।

ସେପଟେ କଂଗ୍ରେସ କମଳନାଥଙ୍କୁ ପ୍ରମୁଖ ଚେହେରା କରି ନିର୍ବାଚନକୁ ଓଲ୍ହାଇଛି। ବହୁ ଲୋଭନୀୟ ଗ୍ୟାରେଣ୍ଟି ସହ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରିଛି।

ଦଳ କ୍ଷମତାକୁ ଆସିଲେ ମାସିକ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଓ ମହିଳାଙ୍କୁ ଅର୍ଥରାଶି ଦେବାକୁ ଘୋଷଣା କରିଛି। ଏପରିକି ପୂର୍ବ ନିର୍ବାଚନରେ ଦଳ ଯେଉଁସବୁ ସିଟରେ ହାରିଥିଲା ସେସବୁ ସିଟରେ ଜିତିବାକୁ ସବୁ ଶକ୍ତି ଏକାଠି କରିଛି।

ସେପଟେ ଏଥର ଆମ ଆଦମୀ ପାର୍ଟିର ଏମପିରେ ବଡ଼ ଏଣ୍ଟ୍ରି ହୋଇଛି। ଦଳ ସମସ୍ତ ୨୩୦ ସିଟରେ ପ୍ରାର୍ଥୀ ଦେବା ସହ ନିଜର ମୁଖ୍ୟମନ୍ତ୍ରୀ ଚେହେରା ମଧ୍ୟ ଘୋଷଣା କରିବାକୁ ସୂଚନା ଦେଇଛି।

ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦମଦାର ଢଙ୍ଗରେ ପ୍ରଚାର କରିବା ସହ ଦଳ ପକ୍ଷରୁ ମାଗଣା ପ୍ରତିଶ୍ରୁତି ମଧ୍ୟ ଦିଆଯାଉଛି। ତେଣୁ ଆଗାମୀ ନିର୍ବାଚନରେ ଆପ ଏକ ଫ୍ୟାକ୍ଟର ହେବ ବୋଲି କୁହାଯାଉଥିବା ବେଳେ ଦଳ କାହାର ଭୋଟ କାଟିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ସେପଟେ ବିଜେପିର ଆଗୁଆ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ କଂଗ୍ରେସ ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପିର ପ୍ରାର୍ଥୀ ଘୋଷଣା ପରେ ଦଳ ଭିତରେ ଅସନ୍ତୋଷ ଓ ବିଦ୍ରୋହ ମଧ୍ୟ ଦେଖିବକୁ ମିଳିଛି। ଯାହାର ପରିଣାମ ସ୍ୱରୂପ ଦଳ ବଦଳ ପ୍ରକ୍ରିୟା ମଧ୍ୟ ତୀଵ୍ର ହୋଇଛି। ତେଣୁ ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳ କଣ ହେବ ତା ଉପରେ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.