Latest Odisha News

BREAKING NEWS

ତଲସରାରେ ବିଜେଡି, ବିଜେପି ସହ ହେବ ପ୍ରବୋଧଙ୍କ ଟକ୍କର!

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ତଲସରାକୁ ଗଣାଯାଏ। ଆଦିବାସୀ ବହୁଳ ଏହି ଅଞ୍ଚଳରେ କଂଗ୍ରେସର ଦବଦବା ଦେଖିବାକୁ ମିଳେ।

କିନ୍ତୁ ବହୁ ବର୍ଷର ଏହି ଟ୍ରେଣ୍ଡକୁ ଭାଙ୍ଗି ଗତ ନିର୍ବାଚନରେ ବିଜେପି ଏହି ସିଟରେ ବିଜୟ ଲାଭ କରିଛି। ୨୦୧୯ ନିର୍ବାଚନରେ ଭବାନୀ ଶଙ୍କର ଭୋଇ ବହୁ ଭୋଟ ବ୍ୟବଧାନରେ ଜିତି ବିଜେପିର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

୧୬ ହଜାର ୧୮୮ ଖଣ୍ଡ ଭୋଟରେ ସେ ବିଜେଡି ପ୍ରାର୍ଥୀ ଷ୍ଟିଫେନ ସୋରେଙ୍ଗଙ୍କୁ ହରାଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ପ୍ରାର୍ଥୀ ତଥା ତିନି ତିନି ଥରର କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ତୃତୀୟ ସ୍ଥାନକୁ ଖସିଥିଲେ।

ପ୍ରଫୁଲ୍ଲ ମାଝୀ ୨୦୦୬ ରେ ତଲସରା ଉପନିର୍ବାଚନରେ ମଇଦାନକୁ ଓଲ୍ହାଇବା ସହ ଜିତିଥିଲେ। ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ମଧ୍ୟ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ଜିତି ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ ରେ ତାଙ୍କୁ ତିନି ନମ୍ବର ସ୍ଥାନରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା।

ଏବେ ତଲସରାର ରାଜନୈତିକ ସ୍ଥିତି ବଦଳିଛି। ୨୦୧୯ ନିର୍ବାଚନରେ ବଡ଼ ପରାଜୟ ପରେ ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡି ଶାସକ ବିଜେଡିରେ ଯୋଗ ଦେଇଛନ୍ତି। ସେପଟେ ଏହି ଆସନରେ ବିଜେଡି କେବେବି ଜିତିବା ସ୍ୱାଦ ଚାଖି ପାରି ନାହିଁ। ତେଣୁ ୨୦୨୪ ନିର୍ବାଚନରେ ଦଳ ଏହି ଆସନରୁ ଜିତିବାକୁ ଅଣ୍ଟା ଭିଡ଼ିଛି।

୨୦୧୪ ନିର୍ବାଚନରେ ବିଜେଡି ବିନୟ ଟପ୍ପୋଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀଙ୍କ ଠାରୁ ୧୪୩୮ ଖଣ୍ଡ ଭୋଟରେ ହାରିଥିଲେ। ୨୦୧୯ ନିର୍ବାଚନରେ ପୁଣି ଥରେ ଟପ୍ପୋ ବିଜେଡିରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିବାବେଳେ ଦଳ ଷ୍ଟିଫେନ ସୋରେଙ୍ଗକୁ ପ୍ରାର୍ଥୀ କରିଥିଲା। ତଥାପି ବିଜେଡି ସଫଳ ହୋଇ ନ ଥିଲା।

୨୦୨୪ ନିର୍ବାଚନ ପାଇଁ ବିନୟ ଟପ୍ପୋ ପୁଣି ଥରେ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଶାସକ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଅମୀୟ ପ୍ରଧାନ ମଧ୍ୟ ଲବି କରୁଥିବା ଚର୍ଚ୍ଚା ହେଉଛି।

ସେପଟେ କଂଗ୍ରେସର ଏହି ପୁରୁଣା ଆସନକୁ ପୁଣିଥରେ ଦଳ ନିଜ ପାଖକୁ ନେବାକୁ ଉଦ୍ୟମ ଜୋରଦାର କରିଛି। ଏହି କ୍ରମରେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ମିସିଛନ୍ତି। ସେ ତଲସରା ଆସନରୁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ନିଜେ ସୂଚନା ଦେଇଛନ୍ତି।

ଦଳୀୟ ନେତୃତ୍ୱଙ୍କୁ ସେ ଏ ସମ୍ପର୍କରେ ଜଣାଇଥିବା କହିଛନ୍ତି। ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡିବା ପରେ ଦଳୀୟ ସଂଗଠନ ଦୁର୍ବଳ ହୋଇଛି। ତେଣୁ ପ୍ରବୋଧଙ୍କୁ ପ୍ରାର୍ଥୀ କରି କଂଗ୍ରେସ ନିଜର ପୂର୍ବ ସଫଳତା ଦୋହରାଇ ପାରେ ବୋଲି ଆଲୋଚନା ହେଉଛି।

ସେପଟେ ଗତ ନିର୍ବାଚନରେ କଂଗ୍ରେସ ଠାରୁ ବିଜେପି ଏହି ସିଟ ଛଡାଇ ଆଣିଥିବା ବେଳେ ଏଥର ବିଜୟ ଧାରା ବଜାୟ ରଖିବାକୁ ଦଳ ଉଦ୍ୟମ କରିବ। ସେଥିପାଇଁ ଦଳ ପକ୍ଷରୁ ବର୍ତ୍ତମାନର ବିଧାୟକ ଭବାନୀ ଶଙ୍କର ଭୋଇ କିମ୍ବା ଅନ୍ୟ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ହେଉଛି।

ଏହି କ୍ରମରେ ବୈକୁଣ୍ଠ କାଲୋଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ଆଗାମୀ ଆଭିମୁଖ୍ୟ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.