Latest Odisha News

BREAKING NEWS

ଆର୍ଥିକ ଅନଗ୍ରସର ଲୋକଙ୍କୁ ଏମ୍‌ଏସ୍‌ଏମ୍‌ଇ ଗୁଣାତ୍ମକ ଜୀବନଶୈଳୀ ପ୍ରଦାନ କରିବାରେ ସହାୟ ହେବ: କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ଶିଳ୍ପସଂସ୍ଥା ଏବଂ ଏମ୍‌ଏସ୍‌ଏମ୍‌ଇ ଆମ ଜୀବିକାନିର୍ବାହର ମୁଖ୍ୟ ଉତ୍ସ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ସର୍ବାଧିକ ରୋଜଗାର ସୁଯୋଗ ରହିଛି । ବର୍ତ୍ତମାନ ଆମ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଯୋଗ୍ୟ ଯୁବକ କରୋନା ଯୋଗୁଁ ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟକୁ ଫେରିଆସିଛନ୍ତି । ଏହି କୁଶଳୀ ଶ୍ରମିକମାନଙ୍କୁ ଆମେ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରିପାରିଲେ ଆମ ରାଜ୍ୟର ଅର୍ଥନୀତି ସୁଦୃଢ ହୋଇପାରିବ । ସେପଟେ ଆମ ରାଜ୍ୟରେ ଉନ୍ନତମାନର ଭିତ୍ତିଭୂମି, ପରିବହନ, ଜଳ ସମ୍ପଦ ଯୋଗୁଁ ଶିଳ୍ପସଂସ୍ଥାମାନେ ପୁଞ୍ଜିନିବେଶ କରିବା ନିମନ୍ତେ ଆଗ୍ରହୀ ବୋଲି ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମତ ଦେଇଛନ୍ତି ।

ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ଓଡିଶାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ବ୍ୟବସାୟ କରିବାର ସହଜତା’ ବିଷୟବସ୍ତୁ ଉପରେ ଆୟୋଜିତ ଏକ ୱେବିନାରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ମତ ରଖିଛନ୍ତି କ୍ୟାପଟେନ ମିଶ୍ର । ଏଥି ସହ ସେ କହିଥିଲେ ଯେ, କରୋନା ମହାମାରୀ ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଓଡିଶା ୧୭୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହାତେଇପାରିଛି । ଆମ ରାଜ୍ୟରେ ବ୍ୟବସାୟ କରିବା ନିମନ୍ତେ ବିଭିନ୍ନ ସୁଯୋଗ ରହିଛି । ଆମ ଯୁବଗୋଷ୍ଠୀ ନିଜ ନିଜର ମାନସିକତାକୁ ପରିବର୍ତ୍ତନ କରି ରାଜ୍ୟରେ ବ୍ୟବସାୟ ପାଇଁ ଥିବା ଅନୁକୂଳ ପରିବେଶ, ସରକାରଙ୍କ ସଂପୂର୍ଣ୍ଣ ସହଯୋଗ, ଅତ୍ୟାଧୁନିକ ଭିତ୍ତିଭୂମି, ରେଳ ସଂଯୋଗ, ପରିବହନ, ଶକ୍ତି. ଏବଂ ସ୍ୱଚ୍ଛ ଶିଳ୍ପନୀତି ଆଦି ସୁଯୋଗକୁ ସଠିକ୍ ଉପଯୋଗ କରିପାରିଲେ ଓଡିଶାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଆଗାମୀ ଦିନରେ ଏକ ନୂତନ ଦିଗନ୍ତ ପ୍ରଦାନ କରିବ । ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ଏମ୍‌ଏସ୍‌ଏମ୍‌ଇ ଗୁଣାତ୍ମକ ଜୀବନଶୈଳୀ ପ୍ରଦାନ କରିବାରେ ସହାୟ ହେବ ।

ଓଡିଶା ଷ୍ଟେଟ୍ କାଉନସିଲ୍ ଇଣ୍ଡିଆ ଚାମ୍ବର ଅଫ କମର୍ସର କୋ- ଚେୟାରମ୍ୟାନ ଜେ ବି ପାଣି ମୁଖ୍ୟ ବକ୍ତାଭାବେ ଯୋଗ ଦେଇ କହିଥିଲେ ଯଦିଓ ଓଡିଶାରେ ଉଦ୍ୟୋଗିତା କ୍ଷେତ୍ର ସକ୍ରିୟ ହେବା ନିମନ୍ତେ ବେଶ୍ ବିଳମ୍ବ ହୋଇଛି, କିନ୍ତୁ ଆମ ରାଜ୍ୟ ସରକାର ଯଦି ଉଦ୍ୟୋଗିତା କ୍ଷେତ୍ରର ବିକାଶ ଦିଗରେ କାର୍ଯ୍ୟ କରିପାରିବେ । କରୋନା ସମୟରେ ଜାପାନର ପ୍ରାୟ ୨୦୦ ରୁ ଅଧିକ କ୍ଷୁଦ୍ର ଶିଳ୍ପ ସଂସ୍ଥାମାନେ ଓଡିଶାରେ ପୁଞ୍ଜି ନିବେଶ କରିବାକୁ ବେଶ୍ ଆଗ୍ରହୀ । ଓଡିଶା କର୍ପୋରେଟ୍ ଫାଉଣ୍ଡେସନ, ସରକାର ଏବଂ ପୁଞ୍ଜି ନିବେଶକଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବା ନିମନ୍ତେ ଏକ ଉତ୍ତମ ମାଧ୍ୟମ ।

ଓଡିଶା କର୍ପୋରେଟ୍ ଫାଉଣ୍ଡେସନର ଡ. ଶାନ୍ତନୁ ରଥ ଆଲୋଚନାଚକ୍ରରେ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ସେ କହିଥିଲେ, ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ଉଦୀୟମାନ ଉଦ୍ୟୋଗୀମାନଙ୍କ ନିମନ୍ତେ ପରାମର୍ଶ ସହ ବିଭିନ୍ନ ସୁବିଧା ଯୋଗାଇବା ଭଳି ଏକାଧିକ ଭୂମିକା ନିର୍ବାହ କରୁଛି ।

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏହି ଆଲୋଚନା ଚକ୍ରରେ ମଡରେଟର ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବେଙ୍ଗାଳୁରୁର ମନୋଜ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡିଶା କର୍ପୋରେଟ୍ ଫାଉଣ୍ଡେସନର ସଭାପତି ଏଚ. କେ. ବେହେରା ମଧ୍ୟ ଆଲୋଚନାରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଜଣେ ଯୁବ ଉଦ୍ୟୋଗୀଙ୍କ ପ୍ରଶ୍ନର ଉତ୍ତର ରଖି ଶିଳ୍ପ ମନ୍ତ୍ରୀ କ୍ୟାପଟେନ ମିଶ୍ର କହିଥିଲେ ଯେ ଯଦି ଯୁବ ଉଦ୍ୟେଗୀ କୌଣସି ଅଭିଯୋଗ ବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ତାଙ୍କୁ ପ୍ରତ୍ୟକ୍ଷ ଭାବେ ଜଣାଇ ପାରିବେ ଏବଂ ଯୁବ ଉଦ୍ୟୋଗୀଙ୍କ ସାହାଯ୍ୟ ନିମନ୍ତେ ସେ ସର୍ବଦା ପ୍ରସ୍ତୁତ ।

Leave A Reply

Your email address will not be published.