Latest Odisha News

ମୁଖତାର ଅନସାରୀ ମୃତ୍ୟୁ ମାମଲା, ହାଇଆଲର୍ଟରେ ୟୁପି

ଲକ୍ଷ୍ନୌ: ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି ପୂର୍ବତନ ବିଧାୟକ ମୁଖତାର ଅନସାରୀ । ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏବେ ୧୪୪ ଧାରା ଲାଗୁ କରାଯାଇଛି । ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ଏହା ପରେ ତାଙ୍କର ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଗାଜୀପୁରର ମହମ୍ମଦାବାଦର କାଲିବାଦ୍ କବରସ୍ଥାନରେ ମୁଖତାର ଅନସାରୀର ଶବଦାହ କରାଯିବ ବୋଲି କହିଛନ୍ତି ପରିବାର ଲୋକେ ।

ମୃତଦେହ ନେବା ପାଇଁ ମୁଖତାର ଅନସାରୀର ପୁଅ ଓମାର ଅନସାରୀ ବୃନ୍ଦା ମେଡିକାଲ କଲେଜ ହସପିଟାଲରେ ପହଞ୍ଚିଛନ୍ତି । ଜୁମେ ନମାଜ ପରେ ମୁଖତାର ଅନସାରୀଙ୍କ ମୃତଦେହ ବୃନ୍ଦା ମେଡିକାଲ କଲେଜରୁ ବାହାର କରାଯିବ । ଏହା ପୂର୍ବରୁ ବିଳମ୍ବିତ ରାତିରେ ଗାଜିପୁରର ଡିଏମ ଏବଂ ଏସପି କବରସ୍ଥାନକୁ ଯାଞ୍ଚ କରିଥିଲେ । କହିରଖୁଛୁ ଯେ, ଅନସାରୀଙ୍କୁ ତାଙ୍କ ପିତା ସୁଭାନୁଲ୍ଲାହ ଅନସାରୀଙ୍କ କବର ସ୍ଥାନ ପାଖରେ କବର ଦିଆଯିବ।

ଏହାରି ଭିତରେ ମୁଖତାର୍ ଅନସାରୀଙ୍କ ବଡ ଭାଇ ସିବଗୁତୁଲ୍ଲାହ ଅନସାରୀ କହିଛନ୍ତି ଯେ, ତାଙ୍କ ମୃତ୍ୟୁ ବିଷୟରେ ପ୍ରଶାସନ ମୋତେ କୌଣସି ସୂଚନା ଦେଇନଥିଲେ । ମାର୍ଚ୍ଚ ୧୮ ଠାରୁ ମୁଖତାର୍ ବହୁତ ଅସୁସ୍ଥ ଥିଲେ କିନ୍ତୁ କତୃପକ୍ଷ ତାଙ୍କର ଚିକିତ୍ସା କରୁନଥିଲେ। ମାର୍ଚ୍ଚ ୨୫/୨୬ ତାରିଖ ରାତିରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥିଲା । ତେଣୁ ତାଙ୍କୁ କିଛି ଘଣ୍ଟା ପାଇଁ ମେଡିକାଲ କଲେଜକୁ ଅଣାଯାଇଥିଲା । ସେଠାରେ ସଠିକ ଭାବରେ ଚିକିତ୍ସ ନକରି ତାଙ୍କ ଦେହ ସମ୍ଫର୍ଣ୍ଣ ଭାବରେ ସୁସ୍ଥ ଥିବା କହି ତାଙ୍କୁ ପଠାଇଦେଇଥିଲେ । ତାଙ୍କୁ ଠିକ ଭାବରେ ଚିକିତ୍ସା କରାଯାଇନଥିଲା ।

ସେପଟେ ଅନସାରୀଙ୍କ ଓକିଲ ରଣଧୀର ସିଂ ସୁମନ କହିଛନ୍ତି ଯେ, ଏହା ହତ୍ୟା ଅଟେ। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଛି । ଦୁଇ ଦିନ ପୂର୍ବେ ପୂର୍ବତନ ବିଧାୟକ ମୁଖତାର ଅନସାରୀ ଅଭିଯୋଗ କରିଥିଲେ ଯେ, ତାଙ୍କୁ ବୃନ୍ଦା ଜେଲରେ ବିଷ ଦିଆଯାଉଛି, ଯାହାଦ୍ଵାରା ତାଙ୍କର ମୃତ୍ୟୁ ହେବ । ଏହା ବ୍ୟତୀତ ମୁଖତାର୍ ଅନସାରୀ କୋର୍ଟରେ ମଧ୍ୟ କହିଥିଲେ ଯେ, ଜେଲ ଭିତରେ ତାଙ୍କ ଜୀବନପ୍ରତି ବିପଦ ଅଛି । ସେଥିପାଇଁ ସେ ଜେଲରେ ଅତିରିକ୍ତ ସୁରକ୍ଷା ଦାବି କରିଥିଲେ କିନ୍ତୁ କୋର୍ଟ ତାହା ପ୍ରତ୍ୟାଖ୍ୟାନ କରିଥିଲେ।

ପୂର୍ବତନ ବିଧାୟକ ମୁଖତାର ଅନସାରୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଛାତ୍ର ରାଜନୀତି କରିବା ପରେ ୧୯୯୬ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ପ୍ରଥମ ଥର ପାଇଁ ସେ ୧୯୯୬ ମସିହାରେ ମଉ ରୁ ବିଧାୟକ ହୋଇଥିଲେ। ୨୦୦୨, ୨୦୦୭, ୨୦୧୨ ଏବଂ ୨୦୧୭ରେ ଏହି ଆସନରୁ ସେ ଲଗାତାର ଭାବରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଏସପି ଟିକେଟ୍ ରେ ଦୁଇଥର, ୨ଥର ସ୍ୱାଧୀନ ପ୍ରାର୍ଥୀ ଭାବରେ ଏବଂ ଥରେ ନିଜସ୍ଵ ଦଳ କୌମି ଏକତା ଦଳ ଟିକେଟ୍ ରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

 

Leave A Reply

Your email address will not be published.