Latest Odisha News

BREAKING NEWS

ସୁରେନ୍ଦ୍ର ସିଂ ଭୋଇ ହେବେ ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ !

କାଲି କଂଗ୍ରେସ ଛାଡିଥିଲେ, ଆଜି ବିଜେଡିରେ ମିଶିଲେ

ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ଜୋର ଧରିଛି ଦଳ ଡିଆଁ ପର୍ବ । ବିଭିନ୍ନ ଦଳର ପ୍ରତିଦିନନ ମାରାଥନ୍ ମିଶ୍ରଣ ପର୍ବ ହେଉଛ । ଆଜି ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ଭିତରେ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସମର୍ଥକ ଓ କର୍ମୀଙ୍କ ଗହଣରେ ବିଧିବଦ୍ଧ ଭାବରେ ବିଜେଡିରେ ମିଶିଛନ୍ତି ସୁରେନ୍ଦ୍ର ସିଂ ଭୋଇ । ଗତକାଲି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ସୁରେନ୍ଦ୍ର କଂଗ୍ରେସ ଛାଡିବାକୁ ନେଇ ଯେତିକି ଚର୍ଚ୍ଚା, ତାଠୁ ଅଧିକ ଆଲୋଚନା ହେଉଛି କାହିଁକି ବିଜେଡିକୁ ଆସିଲେ । ଗୋଟିଏ କଥା ସ୍ପଷ୍ଟ ଯେ, ସେ ବିଜେଡିରୁ ପ୍ରାର୍ଥୀ ହେବା ନିଶ୍ଚିତ । ଚର୍ଚ୍ଚା ହେଉଛି ତାଙ୍କୁ ବିଜେଡି ବଲାଙ୍ଗିର ଲୋକସଭା ପାଇଁ ଯୋଦ୍ଧା କରିବ ବିଜେଡି । କାରଣ ବଲାଙ୍ଗିର ପାଇଁ ନାଁ ଘୋଷଣା ଅଟକିଛି । ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ବିଧାନସଭା ଲଢୁଥିବାରୁ ତାଙ୍କ ସ୍ଥାନରେ ପ୍ରାର୍ଥୀ କିଏ ହେବ କଳ୍ପନାଜଳ୍ପନା ଚାଲିଥିଲା । କୁହାଯାଉଛି ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗିରରୁ ସୁରେନ୍ଦ୍ର ସିଂ ଭୋଇଙ୍କ ନାଁରେ ମୋହର ମାରିପାରନ୍ତି ବିଜେଡି ସୁପ୍ରିମୋ । ବିଜେପି ଏଥର ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ରିପିଟ୍ କରିଛି । ତାଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ସେଭଳି ଜଣେ ନେତାଙ୍କ ସନ୍ଧାନରେ ରହିଥିଲା । ଜଣେ ତୃଣମୂଳସ୍ତରର ନେତା ଓ ଦକ୍ଷ ସଂଗଠକକୁ ଖୋଜୁଥିଲା । ଚର୍ଚ୍ଚା ହେଉଛି ଏଥିପାଇଁ ସୁରେନ୍ଦ୍ର ସିଂ ଭୋଇଙ୍କୁ ସ୍ୱାଗତ କରିଛି ବିଜେଡି ।

ସୁରେନ୍ଦ୍ର ସିଂ ଭୋଇ ୩ ଥର ବିଧାୟକ ଥିଲେ । ବଲାଙ୍ଗିର ଜିଲ୍ଲା ସଇଁତଳାରୁ ଦୁଇ ଥର ଓ ଟିଟିଲାଗଡ଼ରୁ ଥରେ ବିଧାୟକ । ୧୯୯୫ରୁ ୨୦୦୪ ଯାଏ ଲଗାତାର ଦୁଇ ଥର ଜିତିଥିଲେ ନିର୍ବାଚନ । ପରେ ୨୦୦୯ରେ ଟିଟିଲାଗଡ଼ରୁ ଜିତିଥିଲେ । କଂଗ୍ରେସ ସରକାରରେ ଜଙ୍ଗଲ ଓ ପରିବେଶ ସହ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଥିଲେ । ଗତ ୨ଟି ନିର୍ବାଚନରେ ଟିଟିଲାଗଡ଼ରୁ କଂଗ୍ରେସ ଟିକେଟରେ ଲଢି ପରାସ୍ତ ହୋଇଥିଲେ ସୁରେନ୍ଦ୍ର ସିଂ ଭୋଇ । ଟୁକୁନି ସାହୁଙ୍କଠାରୁ ୨୦ ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ହାରିଥିଲେ ।

ସୁରେନ୍ଦ୍ର ସିଂ ଭୋଇ ବିଜେଡିରୁ ପ୍ରାର୍ଥୀ ହେଲେ କଂଗ୍ରେସ ଓ ବିଜେଡି ଭୋଟ ମିଶିଲେ ବିଜୟ ସମ୍ଭାବନା ଅଧିକ ରହିଛି । ପଲିଟିକାଲ୍ ଫ୍ୟାମିଲିରୁ ଆସିଛନ୍ତି ସୁରେନ୍ଦ୍ର ସିଂ ଭୋଇ । ତାଙ୍କ ବାପା ରମେଶ ଚନ୍ଦ୍ର ସିଂ ଭୋଇ ଥି୍ଲେ ୬ ଥର ବିଧାୟକ । ୧୯୫୨ରୁ ୧୯୭୩ ଯାଏ ଲଗାତାର ୫ ଥର ଜିତିଥିଲେ । ପରେ ୧୯୮୦ରେ କଂଗ୍ରେସ ଟିକେଟରେ ଥରେ ଜିତିଥିଲେ ରମେଶ ଚନ୍ଦ୍ର ସିଂ ଭୋଇ । ବାପାଙ୍କ ଲିଗାସୀକୁ ଆଗକୁ ନେଇଥିଲେ ପୁଅ ସୁରେନ୍ଦ୍ର ସିଂ ଭୋଇ ।

Leave A Reply

Your email address will not be published.