Latest Odisha News

BREAKING NEWS

ମୁମ୍ବାଇ ରେଲୱେ ଫୁଟ୍ ଓଭରବ୍ରିଜ୍ ଭୁଷୁଡ଼ି ୫ ମୃତ, ୩୬ ଜଣ ଗୁରୁତର ଆହତ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ ଓଭରବ୍ରିଜ ଭୁଷୁଡ଼ି ପଡ଼ିବା ଫଳରେ ୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଫୁଟ ଓଭରବ୍ରିଜଟି ୧ନଂ ସିଏସଟି ପ୍ଲାଟଫର୍ମର ଉତ୍ତର ଦିଗର ଶେଷ ଆଡ଼କୁ ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂ ନିକଟ ବିଟି ଲେନ୍ ନିକଟରେ ଅବସ୍ଥିତ ।

ବୃହତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ସ୍ପଷ୍ଟ କରିଛନ୍ତି ଯେ, ଏହି ବ୍ରିଜଟି ଭୁଷୁଡ଼ି ପଡ଼ିବା ଯୋଗୁଁ ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କ ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଛି । ବିଏମସି କାର୍ଯ୍ୟାଳୟର ଖୁବ ନିକଟରେ ଏହି ଦୁର୍ଘଟଣାଗ୍ରସ୍ତ ଫୁଟ୍ ଓଭରବ୍ରିଜଟି ରହିଛି ।

ଜଣେ ସ୍ଥାନୀୟ ରେଳ କର୍ତ୍ତୃପକ୍ଷ ‘ଓଡ଼ିଶା ସମ୍ବାଦ’ କୁ ସୂଚନାଦେଇ କହିଛନ୍ତି, ବିଏମସି ଦ୍ୱାରା ପ୍ରାଣମୂର୍ଚ୍ଛା ଉଦ୍ଧାର କାର୍ଯ୍ୟ ହୋଇଥିଲା ଏବଂ ଏହି ଦୁର୍ଘଟଣାଟି ସନ୍ଧ୍ୟା ପ୍ରାୟ ୭ଟା ୪୨ ମିନିଟରେ ଘଟିଥିଲା । ବିଏମସିର କର୍ମକର୍ତ୍ତା ଏବଂ ରେଳବାଇ ଡ଼ାକ୍ତର ତଥା ବିଏମସି କର୍ମକର୍ତ୍ତା ମାନେ ଯଥାଶିଘ୍ର ଉଦ୍ଧାର କାର୍ଯ୍ୟ କରିଥିଲେ ।

ଏହି ଫୁଟ ଓଭରବ୍ରିଜକୁ ମଧ୍ୟ କସାବ ବ୍ରିଜ କୁହାଯାଇଥାଏ, କାରଣ ୨୦୦୮ ମସିହାରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀ ଅଜମଲ୍ କସାବ ଏହି ବ୍ରିଜ ଦେଇ ମୁମ୍ବାଇ ସହର ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ଏହି ସିଏସଟି ଟର୍ମିନସରେ ଆଖିବୁଜା ଗୁଳିଚାଳନା କରିଥିଲା । ଅବଶ୍ୟ କସାବକୁ ଜୀବନ୍ତ ଧରାଯାଇ ତାକୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ସେଣ୍ଟ ଜର୍ଜ ହସ୍ପିଟାଲ ଏବଂ ଜି ଟି ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.