Latest Odisha News

BREAKING NEWS

ରୋମାଞ୍ଚକର ୧ରନରେ ବିଜୟ ହାସଲ କରି ମୁମ୍ବାଇ ଆଇପିଏଲ ଚାମ୍ପିୟନ

ହାଇଦ୍ରାବାଦ: ଚମ୍ପିଆନ ହେବାଲାଗି ଶକ୍ତିଶାଳୀ ଚେନ୍ନାଇ ଦଳକୁ ଶେଷ ବଲରେ ମାତ୍ର ୨ ରନ ଆବଶ୍ୟକ ରହିଥିବା ବେଳେ ମୁମ୍ବାଇ ବୋଲର୍ ଲସିଥ୍ ମାଲିଙ୍ଗା ଏଲବିଡବ୍ଲ୍ୟୁ ଆଉଟ କରିଦେଇଥିଲେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ସାର୍ଦ୍ଦୁଳ ଠାକୁରଙ୍କୁ । ସମ୍ପୂର୍ଣ୍ଣ ସଂଘର୍ଷ ମୂଳକ ମ୍ୟାଚରେ ଉଭୟ ଦଳ ଟକ୍କର୍ ଦେଇ ଖେଳିଥିବା ଯୋଗୁଁ ଫାଇନାଲ୍ ମ୍ୟାଚଟି ବେଶ୍ ରୋମାଞ୍ଚକର ହୋଇଥିଲା । ମ୍ୟାଚର ଅନ୍ତିମ ମୂହୁର୍ତ୍ତ ପର୍ଯ୍ୟନ୍ତ ଉଭୟ ଦଳ କେହି କାହାକୁ ଛାଡୁନଥିବା ବେଳେ ଭାଗ୍ୟ ନୀତା ଅମ୍ବାନୀଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସପକ୍ଷରେ ଯାଇଥିଲା, ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୧ ରନରେ ବିଜୟ ହାସଲ କରି ଚାମ୍ପିୟନ ହେବାର ନୂଆ ଇତିହାସ ରଚିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ଦଳ ୨୦ ଓଭରରେ ୮ ୱିକେଟ ହରାଇ କରିଥିଲେ ୧୪୯ ରନ । ଦଳ ପକ୍ଷରୁ କେରନ୍ ପୋଲାର୍ଡ଼ ସର୍ବାଧିକ ୪୧ ରନ, କକ୍ ୨୯ ରନ ଏବଂ ଇଶାନ ଖାନ ୧୬ ରନ କରିଥିଲେ । ଚେନ୍ନାଇ ସୁପର୍ କିଙ୍ଗସ ପକ୍ଷରୁ ବୋଲର୍ ଚହର୍ ୩ଟି, ସାର୍ଦ୍ଦୁଳ ଠାକୁର ଏବଂ ଇମ୍ରାନ ତାହିର୍ ୨ଟି କରି ୱିକେଟ ଅକ୍ତିଆର କରିଥିଲେ ।

ନିର୍ଦ୍ଦାରିତ ୨୦ ଓଭରରେ ୧୫୦ ରନର ବିଜୟ ଲକ୍ଷକୁ ପିଛା କରି ଚେନ୍ନାଇ କପ୍ତାନ ମହେନ୍ଦ୍ର ସିଂହ ଧୋନୀଙ୍କ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା । ଚେନ୍ନାଇ ଦଳ ଆରମ୍ଭରୁ ୱିକେଟ ହରାଇ ଚାଲିଥିଲେ ମଧ୍ୟ ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲା । ଗୋଟିଏ ପରେ ଅଷ୍ଟ୍ରେଲୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ ସେନ ୱାଟସନ ମୁମ୍ବାଇ ବୋଲରଙ୍କୁ ନିର୍ଦ୍ଦୟ ପ୍ରହାର କରିଚାଲିଥିବା ବେଳେ ଅନ୍ୟ ପଟରେ ୱକେଟ ଖସି ଚାଲିଥିଲା । ୱାଟସନଙ୍କ ଦୁର୍ଦ୍ଦଶ ବ୍ୟାଟିଂ ଏହି ଫାଇନାଲ୍ ମ୍ୟାଚେରେ ଦେଖିବାକୁ ମିଳିଥିଲା । ସେ ମାତ୍ର ୫୯ ବଲରୁ ମୂଲ୍ୟବାନ ୮୦ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଡ୍ୟୁ ପ୍ଲେସିସ ଆକର୍ଷଣୀୟ ୨୬ ରନ ଏବଂ ଡ଼ିଅନ ବ୍ରାଭୋ ୧୫ ରନ କରିପାରିଥିଲେ । ମୁମ୍ବାଇ ବୋଲର୍ ଯଶପ୍ରିତ ବୁମରା ମାତ୍ର ୧୪ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ଷ୍ଟାର୍ ବୋଲର୍ ଲସିଥ୍ ମାଲିଙ୍ଗା ଅନ୍ତିମ ବଲରେ ୱିକେଟ ନେଇ ଦଳକୁ ଚମ୍ପିଆନ କରାଇ ପାରିଛନ୍ତି ।

ଏହି ଫାଇନାଲ ମ୍ୟାଚରେ ମୁମ୍ବାଇ ଦଳର ଯଶପ୍ରିତ ବୁମରା ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି । ତେବେ ଆନ୍ଦ୍ରେ ରସେଲ୍ ପ୍ଲେୟାର୍ ଅଫ ଦି ସିରିଜ୍ ଘୋଷିତ ହୋଇଥିଲେ ।

Leave A Reply

Your email address will not be published.