Latest Odisha News

BREAKING NEWS

ମୁଁ ହଜି ଯାଇଛି

ମୁଁ ହଜି ଯାଇଛି
ପ୍ରତିଭା ପ୍ରିୟଦର୍ଶିନୀ

ଖୁବ ଅନ୍ୟମନସ୍କ ସୁରୁଚି । ହାତରେ ତିନି ତିନିଟା ବଡ଼ବଡ଼ ପଲିଥିନ ବ୍ୟାଗ । ଫଳ, ପରିବା ଆଉ କିଛି ନିତିଦିନିଆ ଘରକରଣା ବସ୍ତୁ । ଟାଉନ ବସରେ ବିପରୀତ ଦିଗରେ ଯାଉଥିବା କେହିଜଣେ ତାଙ୍କ ବ୍ୟାଗ ଚେନରେ ୟା ଓଢଣୀଟାକୁ ଟାଣି ନେବାରେ ସେ ମନସ୍କ ହେଲା, ଗଳା ରୁଦ୍ଧ ହୋଇଯିବାରୁ । ଏପଟେ ଓଢ଼ଣୀକୁ ମୁକ୍ତ କରିବାକୁ ଚ୍ୟେଷ୍ଟା କରୁ କରୁ, କିଛି ଫଳ ଓ ପରିବା ପାଖରେ ବସିଥିବା ଭଦ୍ର ବ୍ୟକ୍ତିଙ୍କ ଉପରେ ପଡ଼ିଗଲାଣି । ତାଙ୍କ କଟାକ୍ଷ ଏମିତି ଥିଲା ଯେ, ସତେ ବା ଫଳ ନୁହେଁ ଛୋଟ ବୋମା କେତେଟା ଅଜାଡ଼ି ଦେଇଛି ସୁରୁଚି । ବେଶ ପରିପାଟୀରୁ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ଲାଗୁଥିବା ସେହି ମହାଶୟ ବିରକ୍ତ ହୋଇ କହିଲେ, “ମାଡାମ, ଏଗୁଡା ଉଠାନ୍ତୁ ।” ସୁରୁଚି ତଳକୁ ନଇଁ ଫଳ ଓ ପରିବାଗୁଡିକୁ ପୁନରୁଦ୍ଧାର କଳାବେଳେ ଭାବୁଥିଲା, ଭଲହେଲା ପୁଅ ଅଜାଘରକୁ ପଳେଇଛି ଛୁଟି କାଟିବାକୁ । ନହେଲେ ତାକୁ ସମ୍ଭାଳିବାକୁ ଆଉ ଗୋଟେ ହାତ କୋଉଠୁ ଆଣନ୍ତା!

ହେଲେ, ସେ ଏତେ ଅନ୍ୟମନସ୍କ ହେବାର କାରଣ? ମିତୁ, ମିତା ମହାନ୍ତି ତା’ କଲେଜ ଦିନର ସାଙ୍ଗ । ହଷ୍ଟେଲରେ ଗୋଟେ ରୁମରେ ରହୁଥିଲେ । ସୁରୁଚି ସମାଜ ବିଜ୍ଞାନ ଓ ମିତା ସୂଚନାପ୍ରଯୁକ୍ତି ବିଜ୍ଞାନର ଛାତ୍ରୀ ଥିଲେ । ମିତା ସେବେଠୁ ଥିଲା ଖୁବ ସ୍ମାର୍ଟ ଓ ସ୍ୱାବଲମ୍ବୀ । ସୁରୁଚି ଖୁବ ଦକ୍ଷ କିନ୍ତୁ ରକ୍ଷଣଶୀଳତାରେ ବନ୍ଧା । ପି.ଜି. ସରୁ ସରୁ ବାପା ଭଲ ପାତ୍ରଟିଏ ଖୋଜି ତା’କୁ ବାହା କରେଇଦେଲେ । ୨୩ ବର୍ଷ ବୟସରେ ସୁରୁଚି ସୁଗୃହିଣୀ ଆଉ ପୁତ୍ର ସନ୍ତାନର ଜନନୀ ହେଇସାରିଥିଲା । ୫ ବର୍ଷ ଭିତରେ ସେ ସବୁ ଭୁମିକାରେ ସଫଳତାର ସହ ନିଜକୁ ଢାଳି ନେଇଚି । ଆଜି ସୁପରମାର୍କେଟରେ ଫଳ ବାଛୁ ବାଛୁ ଜଣେ କେହି ହଠାତ ଧକ୍କା ହେଇଗଲେ । ଭଦ୍ର ମହିଳା ଜଣଙ୍କ ଅବିଳମ୍ବେ “ଓଃ, ଆଇ ଆମ ସୋ ସରି ଦିଦି” କହିପକାଇଲେ । ସୁରୁଚି କିନ୍ତୁ ତାଙ୍କୁ ଜାବୁଡି ଧରିଲା । “ମିତୁ, ଏଠି କେମିତି?” ଓଃ ରୁଚି! ଚିହ୍ନି ହେଲାନି, ତୁ ଯେ ଏକାବେଳେ ବୟସ୍କ ସ୍ତ୍ରୀ ଲୋକଟେ ଭଳି ଲାଗିଲୁ, ତେଣୁ ଦିଦି କହିଦେଲି । ମାଇଣ୍ଡ କରିବୁନି । ସୁରୁଚି ହସିଦେଇ କହିଲା, ବାହାଘର ପୂର୍ବଦିନ ଯାଏଁ ଯେଉଁ ପିଲାମାନେ ଦିଦି ବୋଲି ଡାକୁଥିଲେ, ବାହାଘର ପରଦିନଠୁ ଆଣ୍ଟି ବୋଲି ଡାକିଲେ । କଥାବାର୍ତ୍ତାରୁ ଜାଣିଲା, ମିତୁ ଏବେ ଭଲ ଚାକିରିଟିଏ କରୁଛି । ଏବେ ବି ସିଙ୍ଗିଲ । ପର୍ଫେକ୍ଟ ମ୍ୟାଚ ମିଳୁନି ତା’କୁ କାଳେ । ହେଲେ ସୁରୁଚି! ସେ ଏବେ କୋଉଠି? ଏଇ ଯିଏ ତିନିଟା କ୍ୟାରିବ୍ୟାଗ, ଭ୍ୟାନିଟି ଓ ଓଢଣୀକୁ ଆୟତ୍ତରେ ରଖି ଟାଉନ ବସ ର ଗହଳି ଭିତରେ ନିଜସହ ସଂଗ୍ରାମ କରୁଛି, ସେ କ’ଣ ସୁରୁଚି? ନା, ଇଏତ ମିସେସ ମହାପାତ୍ର, ଶଶାଙ୍କ ମହାପାତ୍ରଙ୍କ ସ୍ତ୍ରୀ, ମନୋଜ ମହାପାତ୍ରଙ୍କ ବୋହୂ । ନଣନ୍ଦ ଓ ଦିଅରଙ୍କ ସାଙ୍ଗମାନଙ୍କ ପାଖରେ ସେମାନଙ୍କ ଭାଉଜ ଓ ସବୁଠୁ ଉର୍ଦ୍ଧରେ ପୁତୁଲର ମାମା ।

ଘରେ ପହଞ୍ଚିବା ବେଳକୁ ଏସବୁ ଭାବନା ସେ ଭୁଲିଯାଇଥିଲା, କିନ୍ତୁ ଶୋଇବାର ଉପକ୍ରମରେ ପୁଣିଥରେ ସେ ସବୁ ମୁଣ୍ଡ ଉଠେଇ ସୁରୁଚିକୁ ବ୍ୟତିବ୍ୟସ୍ତ କରି ପକାଇଲେ । ହଠାତ ତା ମନକୁ ଅଜବ ଗୋଟେ ଖିଆଲ ଜୁଟିଲା । ପରଦିନ ସକାଳୁ ମନ୍ଦିର ଯାଉଛି କହି ବାହାରିଗଲା । ସହରଠାରୁ ଦୂରରେ ଛୋଟ ଏକ ବୃଦ୍ଧାଶ୍ରମ । ସେ ବେଳେ ବେଳେ ସେଠିକୁ ଯାଏ । ଘରେ ଅବଶ୍ୟ କେହି ଜାଣନ୍ତିନି । ମୋବାଇଲ ବନ୍ଦ କରି ସେଠିକା ବୟସ୍କ ସାଙ୍ଗମାନଙ୍କ ଗହଣରେ ୩-୪ ଦିନ ରହିବ ବୋଲି ଘୋଷଣା କରିଦେଲା । ମୁଖ୍ୟ ଉଦେ୍ଧଶ୍ୟ ଥିଲା, ଯେଉଁ ମାନଙ୍କ ଲାଗି ସେ ନିଜକୁ ହଜାଇ ତାଙ୍କ ପରିଚୟ ଆପଣେଇଛି, ସେମାନେ ତା’ ଲାଗି କେତେ ତତ୍ପର ଓ ଚିନ୍ତାଶୀଳ ଜାଣିବା ଲାଗି ସେ ଏମିତି ଗୋଟେ ଅଦ୍ଭୁତ ଯୋଜନା କରିଛି । ଆଶ୍ରମର ଅଲଗା ପରିବେଶରେ ୩ ଦିନ କେମିତି ବିତିଲା ଜାଣି ହେଲାନି ।

ରାତିରେ ନିଦ ହୁଏନି ଭଲରେ । ତେବେ ଶଶାଙ୍କ କ’ଣ ଏକା ଏକା ଆରାମରେ ଶୋଇପାରୁଥିବେ ତା’ର ଏମିତି ଅଚାନକ ଆତ୍ମଗୋପନର ଯନ୍ତ୍ରଣାରେ? ଶାଶୂ, ଶ୍ୱଶୁର, ନଣନ୍ଦ, ଦିଅର, ଏତେବେଶି ନିର୍ଭରଶୀଳ ତା’ ଉପରେ, ସେମାନେ ନିଶ୍ଚୟ ଖୁବ ବ୍ୟସ୍ତ ହେଉଥିବେ । ତିନିଦିନ ପରେ ଘରକୁ ଫେରିଲା । ବାଟସାରା ଭାବୁଥିଲା ତାକୁ ଦେଖି ସମସ୍ତେ ପ୍ରଥମେ ଖୁସିହେବେ ନା ନଜଣେଇ ଚାଲିଯିବା ଯୋଗୁଁ ବିବ୍ରତ ହେବେ? ହଜିଲା ସମ୍ପଦଟେ ଫେରି ପାଇବାର ଚମକ ଦେଖିବ ସମସ୍ତଙ୍କ ଆଖିରେ! ପହଞ୍ଚିବା ପର ବାସ୍ତବିକ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଅସରନ୍ତି ପ୍ରଶ୍ନବାଣରେ, ଲା‚ନା ଓ ଦୋଷୀସାବ୍ୟସ୍ତ କରିବା ଭିତରେ କ୍ଷତାକ୍ତ ହେଲା ମନ, ତୁଟିଗଲା ସବୁ ଆଶା । ଦାୟିତ୍ୱହୀନ, ସ୍ୱେଚ୍ଛାଚାରିଣୀ ଭଳି ଗୁଡ଼ାଏ ବିଶେଷଣରେ ମଣ୍ଡିଦେଲାବେଳେ କେହି ଥରେ ପଚାରିଲେନି ସେ କୋଉଠି ଥିଲା, କେମିତି ଥିଲା, କାହିଁକି ଗଲା? ତଥାପି କୌତୁହଳ ଥାଏ ତା’ ମନରେ । ନିରୋଳା ବେଳ ଦେଖି ତା’ ସହାୟିକା କମଳା (ଯାହାକୁ ଘରଲୋକ ଚାକରାଣୀ କୁହନ୍ତି)କୁ ପଚାରିଲା । ତା’ଠୁ ଜାଣିଲା ଯେ ସେ ଅନୁପସ୍ଥିତ ଥିବାର ସେମିତି କୌଣସି ପ୍ରଭାବ ନଥିଲା ଘରେ । କେହି ସୁରୁଚି ବୋଲି ମଣିଷଟିକୁ ଖୋଜୁନଥିଲେ, ବରଂ ତା’ ଦ୍ୱାରା ସମ୍ପାଦିତ ଦାୟିତ୍ୱଗୁଡ଼ାକ ବାଟବଣା ହେବାଯୋଗୁ ବିରକ୍ତ ହେଉଥିଲେ । ଆଉ କେହି ନ ହେବା ଯେତିକି ବାଧିନଥିଲା, ସବୁଠୁ ବେଶି କଷ୍ଟ ପାଇଥିଲା ଏକଥା ଜାଣି ଯେ, ଯାହାକୁ ସେ ନିଜର ମନ ଓ ଶରୀର ନୈବେଦ୍ୟ କରି ସମର୍ପିଛି, ତା’ ସ୍ୱାମୀ, ଶଶାଙ୍କ ଦୁଃଖୀ ହୋଇନଥିଲେ । ବରଂ ବିରକ୍ତ ହେଉଥିଲେ ଏତେ କାମ ଭିତରେ ସ୍ତ୍ରୀକୁ ଖୋଜିବାର ଅତିରିକ୍ତ ଦାୟିତ୍ୱ ବି ତାଙ୍କ ଉପରେ ଥିବାରୁ । ରାତି ଦିନ ଅଭିସମ୍ପାତ ଢାଳୁଥିଲେ ତା ଲାଗି । ସତ୍ୟସହ ସାମ୍ନାସାମ୍ନି ହେବାପରେ ଅଜବ ଗୋଟେ ହାଲୁକା ଅନୁଭବ କରୁଥିଲା ସେ । କାହାଠୁ ଆତ୍ମୀୟତାର ଛଦ୍ମ ଅନୁଭବର ଅପେକ୍ଷା ନଥିଲା ଆଉ । କେବଳ କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ସମର୍ପଣର ଭାବ ବାକି ରହିଥିଲା ତା’ ଭିତରେ ।

ଏତିକି ବେଳେ ଫୋନଟା ବାଜି ଉଠିଲା । ମିତା ଫୋନ କରିଥିଲା । ସେ ଯେବେ ପଚାରିଲା, “ରୁଚି, କୋଉଠି ଅଛୁ”? ସୁରୁଚି ହସି ହସି ପ୍ରତ୍ୟୁତ୍ତରରେ ନିରୋଳା ସତ୍ୟଟିଏ କହି ପକାଇଲା, “ମିତୁ! ମୁଁ ହଜି ଯାଇଛି”…

Leave A Reply

Your email address will not be published.