Latest Odisha News

BREAKING NEWS

ରହସ୍ୟମୟ ରୋଗ କବଳରେ ଆନ୍ଧ୍ରପ୍ରଦେଶ

ହାଇଦ୍ରାବାଦ: ତେଲୁଗୁ ରାଜ୍ୟରେ ଆତଙ୍କ ଖେଳାଇଛି ଅଜଣା ରୋଗ । ଏଲୁରୁ ସହରରେ ୪୦୦ଜଣ ଏକ ରହସ୍ୟମୟ ରୋଗ କବଳରେ ପଡିଛନ୍ତି । ସେଥିମଧ୍ୟରୁ ୧୫୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ରୋଗ ପଛରେ ପ୍ରକୃତ କାରଣ
ଜଣାପଡିନଥଲାବେଳେ ଗତ ଶନିବାର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଏହି ଅଜଣା ରୋଗରେ ପୀଡିତଙ୍କ ନିକଟରେ ବାନ୍ତି, ବାତ ମାରିବା ଓ ଚେତାଶୂନ୍ୟ ହେବା ଭଳି ପ୍ରମୁଖ ଲକ୍ଷଣ ଦେଖାଦେଇଛି । ଅଜଣା ରୋଗ ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ଏଲୁରୁର ସରକାରୀ ହସ୍ପିଟାଲକୁ ଗସ୍ତ କରି ପୀଡିତଙ୍କ ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରିଥିଲେ ।

ଦିନରାତି ଏକ କରି ଡାକ୍ତରୀ ଦଳ ରୋଗୀଙ୍କଠାରେ ଏକାଧିକ ପରୀକ୍ଷଣ କରିଥିଲେ ବି କୌଣସି ନିର୍ଦ୍ଧିଷ୍ଟ ରୋଗର ଲକ୍ଷଣ ସାମ୍ନାକୁ ଆସିନି । ଏପରିକି ସେମାନଙ୍କ ନିକଟରେ କରୋନା ଭାଇରସ୍ ବି ଠାବ ହୋଇନଥିବା ଜଣାପଡିଛି । ଖାସ କରି ୩୪ରୁ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କଠାରେ ଏହି ଅଜଣା ରୋଗର ଲକ୍ଷଣ ଦେଖିବାକୁ ମିଳିଛି ।

ପ୍ରାଥମିକ ପର୍ଯ୍ୟାୟରେ ପାଣିରୁ ଏହି ରୋଗ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଥିଲା । ହେଲେ ଲ୍ୟାବ୍ ଟେଷ୍ଟରେ ରୋଗୀମାନେ ବ୍ୟବହାର କରିଥିବା ପାଣି ସମ୍ପୁର୍ନ ନିରାପଦ ବୋଲି ସ୍ପଷ୍ଟ ହୋଇଛି । ତଥାପି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମେତ ଭାରତର ଅନ୍ୟ ଅନୁସନ୍ଧାନ କେନ୍ଦ୍ରକୁ ଜଳର ନମୁନା ପଠାଯାଇଛି । ଅନ୍ୟପଟେ ରୋଗୀଙ୍କ ରକ୍ତ, ମଳ ଓ ମସ୍ତିଷ୍କରୁ ମେରୁଦଣ୍ଡକୁ ପ୍ରବାହିତ ହେଉଥିବା ତରଳର ନମୁନା ପରୀକ୍ଷଣରେ ବି କୌଣସି ସମସ୍ୟା ସାମ୍ନାକୁ ଆସିନି । ଏଲୁରୁରେ ଏକ ଆପାତକାଳୀନ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିଲାବେଳେ କଲ୍‌ଚର୍ ରିପୋର୍ଟକୁ ଅପେକ୍ଷା କରିଛନ୍ତି ଡାକ୍ତରୀ ଦଳ ।

Leave A Reply

Your email address will not be published.