Latest Odisha News

ଦୀର୍ଘ ୧୩ ବର୍ଷର ଅପେକ୍ଷାର ହେବ ଅନ୍ତ, ଆଜି ଉଦଘାଟନ ହେବ ନନ୍ଦନକାନନ ରୋପ-ୱେ

ଭୁବନେଶ୍ଵର: ସବୁ ଅପେକ୍ଷାର ହେବ ଅନ୍ତ । ଦୀର୍ଘ ୧୩ ବର୍ଷ ପରେ ଉଦଘାଟନ ହେବ ନନ୍ଦନକାନନ ରୋପ-ୱେ । ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌‌ଘାଟନ କରିବେ । ଆସନ୍ତାକାଲିଠୁ ପୁଣି ଥରେ ରୋପ-ୱେର ମଜା ଉଠାଇବେ ପର୍ଯ୍ୟଟକ । ରୋପ-ୱେ ଦ୍ୱାରା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ । ଗତ ୧୩ ବର୍ଷ ଧରି ବନ୍ଦ ପଡିଥିଲା ନନ୍ଦନକାନନ ରୋପ-ୱେ । ରୋପ-ୱେ ପୁଣି ଚାଲିବା ଖବର ଶୁଣି ଏବେ ପର୍ଯ୍ୟଟକଙ୍କ ମନରେ ଖୁସିର ଲହରି ଖେଳିଯାଇଛି ।

ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପାର୍ଶ୍ୱରୁ ଏହି ସୁବିଧା ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ହେବ। କ୍ୟାମେରା ନିମନ୍ତେ, ଟିକଟର ମୂଲ୍ୟ ସହିତ କ୍ୟାମେରାର ଶୁଳ୍କ ଦେବାକୁ ପଡ଼ିବ । ଉଭୟ ସୁବିଧା ପାଇଁ, ରୋପୱେ କାଉଣ୍ଟର ନିକଟରେ ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍‌‌ ମିଳିବ । ଯେଉଁ ପର୍ଯ୍ୟଟକ ନନ୍ଦନକାନନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନନ୍ଦନକାନନ ଯାଇ ଭ୍ରମଣ କରିବେ, ସେମାନେ ଟିକେଟ କାଉଣ୍ଟରରୁ ଟିକେଟ କ୍ରୟ କରିବେ । ସକାଳ ୮ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ।

ଏହି ରୋପ-ୱେରେ ଏକା ସମୟରେ ୪୮ଜଣ ଗତି କରିପାରିବେ । ରୋପ୍‌‌-ୱେର ମଜା ନେବା ପାଇଁ ଟିକଟ ବାବଦକୁ ଜଣ ପିଛା ୧୨୦ଟଙ୍କା ଆଦାୟ କରାଯିବ। ଯଦି ପର୍ଯ୍ୟଟକ ପ୍ରାଣୀଉଦ୍ୟାନ ପଟୁ ରୋପ୍‌‌-ୱେରେ ଯାଇ ବଟାନିକାଲ ଗାର୍ଡେନ ବୁଲିବେ, ୨୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୪୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ପଟୁ ରୋପ୍‌‌-ୱେରେ ଆସି ପ୍ରାଣୀଉଦ୍ୟାନ ବୁଲିବା ପାଇଁ ଚାହିଁବେ, ସେମାନଙ୍କଠାରୁ ୫୦ଟଙ୍କା ଅଧିକ ଅର୍ଥାତ୍‌‌ ୧୭୦ଟଙ୍କା ଆଦାୟ କରାଯିବ।

ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ ୨୦୨୧ ମସିହାରେ ଚୁକ୍ତି ହୋଇଥିଲା । ଉକ୍ତ ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ଓ ରୋପୱେକୁ ଚଲାଇବାକୁ ସ୍ୱୀକୃତି ମିଳିଛି । ନନ୍ଦନକାନନ ରୋପୱେ ଚାଲୁ କରିବା ପୂର୍ବରୁ ଏନଡିଆରଏଫ କାଞ୍ଜିଆ ହ୍ରଦ ଉପରେ ମକଡ୍ରିଲ କରିଥିଲା । କୌଣସି ପ୍ରକାର ଦୁର୍ଘଟଣା ଘଟିଲେ କିପରି ମୁକାବିଲା କରାଯିବ ଏବଂ ଦୁର୍ଘଟଣା ସମୟରେ ପର୍ଯ୍ୟଟକଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ମକଡ୍ରିଲ ହୋଇଥିଲା ।

 

 

 

Leave A Reply

Your email address will not be published.