Latest Odisha News

BREAKING NEWS

ବିଜେପିକୁ ନବୀନଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

ଦଶପଲ୍ଲା: ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭାରତୀୟ ଜନତା ପାର୍ଟିକୁ ପ୍ରଶ୍ନ କରିଛନ୍ତି ଯେ, ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ କେଉଁ ବିଧାନସଭା ଆସନରୁ ସେ ଲଢୁଛନ୍ତି । ନବୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାଠାରେ ଏକ ବିଶାଳ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବା ଅବସରରେ ବିଜେପିକୁ ଏହା ପଚାରିଛନ୍ତି ।

“ବିଜେପି କ’ଣ ଏହା ଘୋଷଣା କରିବାକୁ ଭୟ କରୁଛି କି?” ବୋଲି ପ୍ରଶ୍ନ ପଚାରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ବିଜେପିର ବେଶ୍ ଚିହ୍ନାମୁହଁ ହେଲେ ଧର୍ମେନ୍ଦ୍ର ପ୍ରଧାନ, ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସମ୍ଭାବନା ରହିଥିଲା ମାତ୍ର ନିର୍ବାଚନ ଲଢିବେ ନାହିଁ ବୋଲି ଧର୍ମେନ୍ଦ୍ର ପୂର୍ବରୁ ଘୋଷଣା କରିସାରିଛନ୍ତି । ତେବେ ଚାରିଥର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାକୁ ଶାସନ କରୁଥିବା ନବୀନ ବିଜେପୁର ଓ ହିଞ୍ଜିଳି ପରି ୨ଟି ବିଧାନସଭା ଆସନରୁ ଏଥର ନିର୍ବାଚନ ଲଢୁଛନ୍ତି ।

ବିଜେପିର ଡ଼ବଲ ଇଞ୍ଜିନ ସ୍ଲୋଗାନକୁ ଦୃଷ୍ଟିରେ ରଖି ନବୀନ କଟାକ୍ଷ କରି କହିଛନ୍ତି, ନିର୍ବାଚନ ଆସିଲେ ଦିଲ୍ଲୀ ଇଞ୍ଜିନ ଆସିଥାଏ, ମାତ୍ର ନିର୍ବାଚନ ପରେ ପରେ ଏହା ଚାଲିଯାଇଥାଏ । ଓଡ଼ିଶାରେ ଘଟିଥିବା ଫାଇଲିନ, ହୁଡ଼ହୁଡ଼, ତିତଲି, ମରୁଡ଼ି ଏପରିକି ବନ୍ୟା ସମୟରେ ସେମାନେ କେଉଁଠି ରହିଥିଲେ? ବିଜେପିର ଦିଲ୍ଲୀ ଇଞ୍ଜିନ ତିତଲି ବାତ୍ୟା ପରେ ଆନ୍ଧ୍ର ପ୍ରଦେଶକୁ ଯାଇଥିଲା ମାତ୍ର ଓଡ଼ିଶାକୁ ଆସିନଥିଲା ।

କାଳିଆ ଯୋଜନା ସମ୍ପର୍କରେ ନବୀନ କହିଛନ୍ତି, ୪୦ ଲକ୍ଷ ଚାଷୀ ଏହି ଯୋଜନାରୁ ଉପକୃତ ହୋଇପାରିଛନ୍ତି ମାତ୍ର କେନ୍ଦ୍ରର ବିଜେପି ସରକାର ଏହି ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଚାଷୀଙ୍କୁ ଦେବାକୁ ରୋକିଛନ୍ତି । “ମୁଁ ବଞ୍ଚି ରହିଥିବା ପର୍ଯ୍ୟନ୍ତ କେହି ଏହି ଯୋଜନାକୁ ବନ୍ଦ କରିପାରିବେ ନାହିଁ,” ବୋଲି କହିଛନ୍ତି ନବୀନ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ପୋଲସରା ଏବଂ କନ୍ଧମାଳର ତୁମୁଡ଼ିବନ୍ଧଠାରେ ରୋଡ଼ ଶୋ’ କରିଥିଲେ । ସେ ମଧ୍ୟ ଆସ୍କା ଲୋକସଭା ଆସନର ବିଜେଡ଼ି ପ୍ରାର୍ଥୀ ପ୍ରମିଳା ବିଶୋଈଙ୍କ ସହିତ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.