Latest Odisha News

BREAKING NEWS

କଣ୍ଟାବାଞ୍ଜିରେ `ନବୀନ’ କାର୍ଡ

ଭୁବନେଶ୍ବର: କଣ୍ଟାବାଞ୍ଜି ଲଢେଇରେ ନବୀନ ଟୁଇଷ୍ଟ। ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ଗତଥର ବିଜେପୁର ଫର୍ମୂଲା ସଫଳତା ଆଣିବା ପରେ ଏଥର ପଶ୍ଚିମ ଓଡିଶାରେ ବିଜେଡି ଚଳାଇଛି ନବୀନ ଗୋଟି। ଗତଥର କଣ୍ଟାବାଞ୍ଜିରେ କଂଗ୍ରେସର ହେଭିଓ୍ବେଟ୍ ସନ୍ତୋଷ ସିଂ ସାଲୁଜା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ମାତ୍ର ୧୨୮ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ । ତୃତୀୟରେ ରହିଥିଲେ ବିଜେଡି ପ୍ରାର୍ଥୀ । ତେବେ ବିଜେଡି ସୁପ୍ରିମୋ ନିଜେ ମଇଦାନକୁ ଓହ୍ଲାଇବା ପରେ ବଦଳିଛି ସମୀକରଣ। ବିଜେଡି ଶିବିରରେ ଜୋଶ୍ ଭରିଛି ତ କଡା ଟକ୍କର ଦେବାକୁ ସଜବାଜ ହେଉଛନ୍ତି ବିଜେପି ଓ କଂଗ୍ରେସ।

କଣ୍ଟାବାଞ୍ଜିରୁ ପଶ୍ଚିମ ଟକ୍କର

କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ସହ ପଶ୍ଚିମ ଓଡିଶାର ୫ଲୋକସଭା ଓ ୩୫ବିଧାନସଭା ଆସନ ଉପରେ ନଜର ରଖିଛି ବିଜେଡି । ମୋଦି ଲହରକୁ ମାତ୍ ଦେବାକୁ ନବୀନ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । ହେଲେ ବିଜେପି ବି ନବୀନଙ୍କ ଚାଲର ଜବାବ ମୋଦିଙ୍କ ମୁହଁରେ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ସଭାରେ କଣ୍ଟାବାଞ୍ଜିର ୧୦ଟି ଗାଁ ନାଁ ବିନା କାଗଜରେ କହିବାକୁ ଚ୍ୟାଲେଞ୍ଜ ଦେଇ ବଡ ସନ୍ଦେଶ ଦେଇଛନ୍ତି । ଗତଥର ବିଜେପି ପଶ୍ଚିମ ଓଡିଶାର ସବୁ ଲୋକସଭା ସିଟ୍ ଜିତିଥିଲା । ଏଥର ବିଜେପି ହାତରୁ ସେସବୁ ସିଟ୍ ଛଡାଇ ଆଣିବା ସହ ବଲାଙ୍ଗୀରରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଛି ବିଜେଡି । ତେବେ ବିଜେପି ବି ନିଜ ସିଟ୍ ରଖିବା ସହ ଅଧିକ ବିଧାନସଭା ଆସନ ଜିତିବାକୁ ଅଣ୍ଟା ଭିଡିଛି ।

ସାଲୁଜାଙ୍କ ଗଡରେ ବିଜେଡି ସୁପ୍ରିମୋ

୨୦୧୯ରେ କଂଗ୍ରେସର ହେଭିଓ୍ବେଟ୍ ନେତା ସନ୍ତୋଷ ସିଂ ସାଲୁଜା କଣ୍ଟାବାଞ୍ଜିରୁ ଜିତିଥିଲେ । ତେବେ ବିଜୟ ବ୍ୟବଧାନ ଥିଲା ମାତ୍ର ୧୨୮ଖଣ୍ଡ ଭୋଟ୍ । ଦ୍ବିତୀୟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ରହିଥିଲେ ତ ତୃତୀୟରେ ରହିଥିଲେ ବିଜେଡିର ଅଜୟ କୁମାର ଦାସ । ୨୦୧୪ରେ ବିଜେଡିର ଆୟୁବ ଖାନ୍ ଜିତିଥିଲେ । ତେବେ ୨୦୧୯ରେ ଟକ୍କର ବିଜେପି ଓ କଂଗ୍ରେସ ମଧ୍ୟରେ ରହିଥିଲା । ତେଣୁ ସାଲୁଜାଙ୍କ ଗଡରେ ଲଢି ବିରୋଧୀଙ୍କୁ ବଡ ସନ୍ଦେଶ ଦେଉଛନ୍ତି ନବୀନ ।

ଦାଦନଗଡ଼ରେ ନବୀନ ସ୍ବପ୍ନ

ବଲାଙ୍ଗୀର ଜିଲ୍ଲା ଦାଦନ ସମସ୍ୟା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛି । ବିଜେଡିର ୨୪ବର୍ଷର ଶାସନ ପରେ ବି କଣ୍ଟାବାଞ୍ଜି ବିକାଶଠାରୁ ବହୁ ଦୂରରେ ରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ନିଯୁକ୍ତିରେ ପଛରେ ରହିଛି ଏହି ଅଞ୍ଚଳ । ଫଳରେ ପେଟ ପୋଷିବାକୁ ଏଠାକାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ନବୀନ ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହେବା ପରେ ଚିତ୍ର ବଦଳିବ କି ? ତାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପ୍ରଶ୍ନ କରିଛନ୍ତି ।

କଣ୍ଟାବାଞ୍ଜି: ପଶ୍ଚିମ ବିଜୟ ଚାବିକାଠି !

କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇ ନବୀନ ପଶ୍ଚିମ ଓଡିଶାରେ ଅଧିକରୁ ଅଧିକ ସିଟ୍ ଜିତିବାକୁ ଅଙ୍କ କଷୁଛନ୍ତି । ହେଲେ କଣ୍ଟାବାଞ୍ଜିବାସୀ କଣ ପାଇବେ ? ଗତଥର ବିଜେପୁରରୁ ଜିତିବା ପରେ ସେ ଆସନ ଛାଡିଥିଲେ ନବୀନ । ତେଣୁ ଏଥର ବି ପଶ୍ଚିମ ଓଡିଶାରେ ଅଧିକ ସିଟ୍ ଜିତିବା ପରେ କଣ୍ଟାବାଞ୍ଜି ଆସନ ଛାଡିବେ କି ? ଏନେଇ ମଧ୍ୟ କଣ୍ଟାବାଞ୍ଜି ଭୋଟରଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି। ପଶ୍ଚିମ ଓଡିଶାରୁ ଜିତି ସିଟ୍ ଛାଡିବାକୁ ନେଇ ବି ଅସନ୍ତୋଷ ରହିଛି ।

କଣ୍ଟାବାଞ୍ଜିରୁ ଏଥର ବିଜେପିରୁ ଲକ୍ଷ୍ମଣ ବାଗ ଓ କଂଗ୍ରେସରୁ ସନ୍ତୋଷ ସିଂ ସାଲୁଜା ରିପିଟ୍ ହୋଇଛନ୍ତି । ଉଭୟଙ୍କର ସ୍ଥାନୀୟ ଅଞ୍ଚଳରେ ଭଲ ସଂଗଠନ ରହିଛି । ତେବେ ନବୀନଙ୍କ ଏଣ୍ଟ୍ରି ପରେ ବଦଳିବ କି କଣ୍ଟାବାଞ୍ଜି ବାଜି?

Leave A Reply

Your email address will not be published.