Latest Odisha News

BREAKING NEWS

ଆଦିବାସୀ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ତଦନ୍ତ କରି ରିପୋର୍ଟ ମାଗିଲେ ଏନସିଏସଟି

ଅନୁଗୁଳ: ଜିଲ୍ଲାରେ ଏକ ମନ୍ଦିର ଉତ୍ସବରେ ବିଜୁ ଜନତା ଦଳର ଜଣେ ନେତା ଓ ତାଙ୍କ ସମର୍ଥକଙ୍କ ଦ୍ୱାରା ଆଦିବାସୀ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗକୁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଗୁରୁତ୍ୱାରୋପ କରିଛନ୍ତି।

କମିଶନ ଓଡ଼ିଶା ଡିଜିପି, ଅନୁଗୁଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଘଟଣାର ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଜାନୁଆରି ୧୫ ତାରିଖରେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରାମୁଣ୍ଡା ଗ୍ରାମରେ ଥିବା ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଥିଲା। ବିଜେଡି ନେତା ତଥା ପୂର୍ବତନ ପୂର୍ତ୍ତ ଅଧିକାରୀ ନଳିନୀ ପ୍ରଧାନ ଓ ତାଙ୍କ ସମର୍ଥକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଆଦିବାସୀ ମହିଳାଙ୍କୁ ଗାଳିଗୁଲଜ କରିବା ସହ ଅପମାନିତ କରିଥିବା ଅଭିଯୋଗ ହୋଇଛି।

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ପରିଷଦ ନାମକ ଏକ ଆଦିବାସୀ ସଂଗଠନ ଏନସିଏସଟିରେ ଅଭିଯୋଗ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

କମିଶନ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଅଭିଯୋଗର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ନେତା, ଜିଲ୍ଲା ପ୍ରଶାସନ ଓ ପୁଲିସ ଏ ପର୍ଯ୍ୟନ୍ତ ଏହି ଅଭିଯୋଗର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Leave A Reply

Your email address will not be published.