ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲତନ ଥ୍ରୋୟର ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରେ ୪ର୍ଥ ସ୍ଥାନ ହାସଲ କରିଛନ୍ତି । ଆଘାତ ସମସ୍ୟାରୁ ମୁକୁଳିବା ପରେ ଏହା ତାଙ୍କର ବଡ ମୁକାବିଲା ଥିଲା । ନୀରଜ ୮୫.୬୯ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । । ସେ ୮୨.୬୧ ମିଟର କ୍ୱାଲିଫାଇଂ ମାର୍କ ଅତିକ୍ରମ କରି ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଶ୍ରୀଲଙ୍କାର ରମେଶ ଥରଙ୍ଗା ପାଥିରାଗେ ୮୮.୬୮ ମିଟର ଦୂରତା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଗ୍ରେନେଡାର ଆଣ୍ଡରସନ ପିଟର୍ସ(୮୬.୩୮ ମିଟର) ଓ ଆମେରିକାର କାର୍ଟିସ ଥମ୍ପସନ(୮୫.୯୯ ମିଟର) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ବିଶେଷଜ୍ଞଙ୍କ ମତରେ ନୀରଜଙ୍କ ପାଇଁ ଏହା ମ୍ୟାଚ ପ୍ରାକ୍ଟିଶ ସଦୃଶ ଥିଲା । ୨୩ ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରାଯାଇଛି । ନୀରଜଙ୍କ ପ୍ରଥମ ଉଦ୍ୟମ ଫାଉଲ ରହିଥିଲା । ଦ୍ୱିତୀୟରେ ୮୨.୭୭ ଓ ତୃତୀୟରେ ୮୫.୬୯ ମିଟର ଥ୍ରୋ କରିଥିଲେ ।
