Latest Odisha News

BREAKING NEWS

ବୈଜୟନ୍ତ ନା ଅଂଶୁମାନ?

ଭୁବନେଶ୍ଵର: କେନ୍ଦ୍ରାପଡା ଲୋକସଭା ଆସନ ଆରମ୍ଭରୁ ବିଜେଡିର ଗଡ ରହିଛି । ଦଳ ଗଠନ ପରଠୁ କେନ୍ଦ୍ରାପଡାରେ ଶଙ୍ଖନାଦ ହୋଇଆସୁଛି। ତେବେ ଦଳବଦଳ ସହ ଏଥର କେନ୍ଦ୍ରାପଡା ଗଣିତ ଗୋଳମାଳ ହୋଇଛି । ବିଜେଡି ସାଂସଦ ଅନୁଭବ ପଟ୍ଟନାୟକ ଏବେ ବିଜେପିରେ ତ ଗତଥର କଂଗ୍ରେସରୁ ରାଜନଗର ବିଧାନସଭା ଲଢି ହାରିଥିବା ଅଂଶୁମାନ ମହାନ୍ତି ଏଥର ବିଜେଡି ପ୍ରାର୍ଥୀ। ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପୁଣି ରିପିଟ୍ କରିଛି । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସିଦ୍ଧାର୍ଥ ସ୍ବରୂପ ଦାଶ ।

କେନ୍ଦ୍ରାପଡାରେ କଡା ମୁକାବିଲା

ପ୍ରଥମ ଥର ପାଇଁ ଲୋକସଭା ଲଢେଇ ଲଢୁଛନ୍ତି ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି । ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ବାପାଙ୍କ ସଂଗଠନର ଫାଇଦା ପାଇବେ। ପୂର୍ବରୁ କଂଗ୍ରେସରେ ଥିବା ଅଂଶୁମାନ ୨୦୧୪ରେ ରାଜନଗର ବିଧାନସଭାରୁ ଜିତିଥିଲେ । ତେଣୁ କଂଗ୍ରେସ ଭୋଟ ବି ନିଜ ଆଡକୁ ନେବାକୁ ଉଦ୍ୟମ କରୁଛନ୍ତି । ତାସହ କେନ୍ଦ୍ରାପଡାରେ ବିଜେଡିର ମଜଭୂତ ସଂଗଠନ ବି ତାଙ୍କ ସପକ୍ଷରେ ଯାଇପାରେ। ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା । ସେ ବିଜେଡିରେ ଥିବା ବେଳେ ଦୁଇ ଥର କେନ୍ଦ୍ରାପଡା ଜିତିଥିଲେ । ହେଲେ ବିଜେପିରୁ ପ୍ରାର୍ଥୀ ହୋଇ ଗତଥର ନିର୍ବାଚନ ହାରିଥିଲେ । ଏଥର ମୋଦି ଲହର ଭରସାରେ ବିଜୟ ରଣନୀତି କଷୁଛନ୍ତି ବୈଜୟନ୍ତ ।

ଡ ନେତାଙ୍କ ପୁଅ ବିଜେଡି ଯୋଦ୍ଧା

ନଳିନୀ ମହାନ୍ତିଙ୍କ ପୁଅ ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏଥର ବିଜେଡିର ଯୋଦ୍ଧା। ଅଂଶୁମାନ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ତ ଅରବିନ୍ଦ ପାଟକୁରାରୁ ଲଢୁଛନ୍ତି। ଉଭୟ ନଳିନୀ ଓ ବିଜୟଙ୍କର ବିଜୁବାବୁଙ୍କ ସମୟରୁ କେନ୍ଦ୍ରାପଡାରେ ପ୍ରଭାବ ରହିଛି। ଏବେବି ଉଭୟ ନେତାଙ୍କ ସମର୍ଥକ ପୂରା ଜିଲ୍ଲାରେ ରହିଛନ୍ତି । ତେଣୁ ଅଂଶୁମାନ ଓ ଅରବିନ୍ଦ ଶଙ୍ଖ ଶିବିରରୁ ଲଢିବା କେନ୍ଦ୍ରାପଡା ରାଜନୀତି ଉପରେ ପ୍ରଭାବ ପକାଇବ । ବିଜେଡି ଏଥିରୁ ଫାଇଦା ନେଇପାରେ ।

ଦଳବଦଳ ଗଣିତ ଗୋଳମାଳ

କେନ୍ଦ୍ରାପଡା ନିର୍ବାଚନରେ ବଡ ଫ୍ୟାକ୍ଟର ହୋଇପାରେ ଦଳବଦଳ। କଂଗ୍ରେସ ଛାଡି ବିଜେଡିରେ ମିଶିବା ସହ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଗଣେଶ୍ବର ବେହେରା । ତେବେ ଗଣେଶ୍ବରଙ୍କର ଏଣ୍ଟ୍ରି ପରେ କେନ୍ଦ୍ରାପଡା ବିଜେଡିରେ ଅସନ୍ତୋଷ ବଢିଥିଲା। ବିଜେଡି ଛାଡିଥିଲେ ସିପ୍ରା ମଲ୍ଲିକ ଓ ଗୀତାଞ୍ଜଳି ସେଠୀ। ସିପ୍ରା କଂଗ୍ରେସରେ ମିଶି କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରେ ମିଶି ପ୍ରାର୍ଥୀ ହୋଇଛନ୍ତି ଗୀତାଞ୍ଜଳି ସେଠୀ। ଗଣେଶ୍ବରଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ବିଜେଡି ଭୋଟ୍ ଭାଗ ଭାଗ ହୋଇଛି । ଲୋକସଭା ଲଢେଇ ଉପରେ ଏହାର ସିଧାସଳଖ ପ୍ରଭାବ ପଡିପାରେ ।

ଖେଳ ବିଗାଡିବେ ସଂଖ୍ୟାଲଘୁ !

କେନ୍ଦ୍ରାପଡାରେ ନିର୍ଣ୍ଣାୟକ ହୋଇପାରନ୍ତି ସଂଖ୍ୟାଲଘୁ ଓ ବଙ୍ଗୀୟ ଭୋଟର । ଏକଲକ୍ଷରୁ ଅଧିକ ସଂଖ୍ୟାଲଘୁ ସଂପ୍ରଦାୟର ମତଦାତା ରହିଥିବା ବେଳେ ରାଜନଗର ଓ ମହାକାଳପଡା ବିଧାନସଭା କ୍ଷେତ୍ରରେ ପ୍ରାୟ ୫୦ହଜାର ବଙ୍ଗ ଭାଷାଭାଷୀ ମତଦାତା ରହିଛନ୍ତି । ପାରମ୍ପରିକ ଭାବେ ସଂଖ୍ୟାଲଘୁ ଭୋଟ୍ ବିଜେଡି କିମ୍ବା କଂଗ୍ରେସକୁ ଯାଇଛି । ପ୍ରାର୍ଥୀ ହେବା ପରଠୁ ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କକୁ ଫୋକସ୍ କରିଛି ବିଜେଡି । ତେବେ ଏଥର ବିଏସପି ପ୍ରାର୍ଥୀ ସେକ୍ ସାଦିକ ହୁସେନ୍ କିଛି ସଂଖ୍ୟାଲଘୁ ଭୋଟ୍ ନିଜ ଖାତାକୁ ନେଇପାରନ୍ତି ।

ବୈଜୟନ୍ତଙ୍କୁ ସାହା ମୋଦି ହାଓ୍ବା !

ବିଜେଡିରୁ ଦୁଇଥର ସାଂସଦ ହୋଇଥିବା ବୈଜୟନ୍ତ ବିଜେପିରେ ମିଶିବା ପରଠୁ ନିର୍ବାଚନରେ ବିଜୟର ସ୍ବାଦ ଚାଖି ନାହାନ୍ତି । ଗତଥର ତାଙ୍କୁ ଅନୁଭବ ମହାନ୍ତି ଦେଢ ଲକ୍ଷରୁ ଅଧିକ ଭୋଟରେ ହରାଇଥିଲେ। ଏହାପରେ କେନ୍ଦ୍ରୀୟ ରାଜନୀତିରେ ଆକ୍ଟିଭ୍ ରହିଥିଲେ ବି କେନ୍ଦ୍ରାପଡାରେ ଦେଖିବାକୁ ମିଳିନଥିଲେ ବୈଜୟନ୍ତ । ଏପରିକି ସେ ଏଥର ନିର୍ବାଚନ ଲଢିବାକୁ ଆଗ୍ରହୀ ନଥିବା ବି ଚର୍ଚ୍ଚା ହେଉଥିଲା । ତେବେ ଟିକେଟ୍ ମିଳିବା ପରଠୁ କେନ୍ଦ୍ରାପଡାର ବିଭିନ୍ନ ବିଧାନସଭା କ୍ଷେତ୍ରରେ ରୋଡ୍ ଶୋ ଓ ସଭା କରୁଛନ୍ତି ବୈଜୟନ୍ତ । ସିଧାସଳଖ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ପରିବର୍ତ୍ତନର ନାରା ଲଗାଉଛନ୍ତି । ରାଜ୍ୟ ଶାସନ ବିରୋଧୀ ହାଓ୍ବା ଓ ମୋଦି ଲହର ତାଙ୍କ ସପକ୍ଷରେ ଯାଇପାରେ ।

କେନ୍ଦ୍ରାପଡା ଦେବ କି ସରପ୍ରାଇଜ୍ !

କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର ଓ ମହାକାଳପଡା ବିଧାନସଭା ଆସନ । ଗତଥର ସବୁ ଆସନ ଜିତିଥିଲା ବିଜେଡି । ତେବେ ଏଥର ଦଳବଦଳ ତଥା ଦଳ ଭିତରର ଅସନ୍ତୋଷ ଫଳାଫଳ ଏପଟ ସେପଟ କରିପାରେ ।

Leave A Reply

Your email address will not be published.